ସେପ୍ଟେମ୍ବର ୨ରୁ ଓଡ଼ିଶା ରିଅଲ୍‌ ଇଷ୍ଟେଟ୍‌ ଆପିଲେଟ୍‌ ଟ୍ରିବ୍ୟୁନାଲ୍‌ର ନ୍ୟାୟିକ ପ୍ରକ୍ରିୟା

ଭୁବନେଶ୍ୱର : ଓଡ଼ିଶା ରିଅଲ୍‌ ଇଷ୍ଟେଟ୍‌ ଆପିଲେଟ୍‌ ଟ୍ରିବ୍ୟୁନାଲ୍‌(ଓଆର୍‌ଇଏଟି) ସେପ୍ଟେମ୍ବର ୨ ତାରିଖରୁ ତାଙ୍କ ନ୍ୟାୟିକ ପ୍ରକ୍ରିୟା ଆରମ୍ଭ କରିବ। କୋଭିଡ୍‌ ପାଇଁ ବ୍ୟକ୍ତିଗତ ଶୁଣାଣି ଆୟୋଜନ ନ କରି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଶୁଣାଣି କରିବାକୁ ‌ଟ୍ରିବ୍ୟୁନାଲ୍‌ ପକ୍ଷରୁ ଆଜି ସୂଚନା ଦିଆଯାଇଛି। ଇମେଲ୍‌ ମାଧ୍ୟମରେ ଆଗ୍ରହୀ ବ୍ୟକ୍ତିଙ୍କୁ ଆଦେଶଗୁଡ଼ିକ ମଧ୍ୟ ଉପଲବ୍ଧ କରାଇବା ନିମନ୍ତେ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଗତ ବର୍ଷ ଫେବ୍ରୁଆରି ମାସରେ ଓଆର୍‌ଇଏଟି ଗଠନ କରାଯାଇଥିଲା। ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ସୁବାସ ଚନ୍ଦ୍ର ପରିଜାଙ୍କୁ ଏହାର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଟ୍ରିବ୍ୟୁନାଲ୍‌ର ସଦସ୍ୟ ଭାବେ ଇଶାନ କୁମାର ଦାସ ଓ ମଳୟ ଚାଟାର୍ଜୀଙ୍କୁ ସରକାର ନିଯୁକ୍ତି ଦେଲେ। କିନ୍ତୁ ଟ୍ରିବ୍ୟୁନାଲ୍‌ ଗଠନ ହେବାର ଦେଢ଼ ବର୍ଷ ପର୍ଯ୍ୟନ୍ତ ତାହାର ନ୍ୟାୟିକ ପ୍ରକ୍ରିୟା ଆରମ୍ଭ ହୋଇପାରି ନ ଥିଲା। ଏହାକୁ ନେଇ ହୋଇଥିବା ଏକ ମାମଲାରେ ହାଇକୋର୍ଟ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ। ସେପ୍ଟେମ୍ବର ୨ରୁ ଟ୍ରିବ୍ୟୁନାଲ୍‌ରେ ନ୍ୟାୟିକ ପ୍ରକ୍ରିୟା ଆରମ୍ଭ ହେବା ନେଇ ଆଜି ବିଜ୍ଞପ୍ତି ଜାରି ହେଲା ପରେ ଲୋକଙ୍କ ବହୁ ଦିନର ପ୍ରତୀକ୍ଷାର ଅନ୍ତ ଘଟିଛି। ନିୟମିତ ଟ୍ରିବ୍ୟୁନାଲ୍‌ ଗଠନ କରିଥିବା କିଛି ରାଜ୍ୟଙ୍କ ମଧ୍ୟରେ ବର୍ତ୍ତମାନ ଓଡ଼ିଶା ସ୍ଥାନ ପାଇଛି।

ଟ୍ରିବ୍ୟୁନାଲ୍‌ର ସ୍ଥାୟୀ କାର୍ଯ୍ୟାଳୟ ପାଇଁ ତୋଷାଳି ଭବନରେ ଆବଶ୍ୟକ ଜାଗା ଦିଆଯାଇଛି। ତେବେ ତାହା ପ୍ରସ୍ତୁତ ‌େହାଇ ନ ଥିବାରୁ ବର୍ତ୍ତମାନ ଏହା ଅସ୍ଥାୟୀ ଭାବେ ଫର୍ଚ୍ୟୁନ୍ ଟାୱାର୍‌ରେ କାର୍ଯ୍ୟକ୍ଷମ ହେବ। ଜିଲ୍ଲା ଜଜ୍‌ ପାହ୍ୟାର ଅଧିକାରୀ ଅଖିଳ କୁମାର ପଶ୍ଚିମକବାଟଙ୍କୁ ଟ୍ରିବ୍ୟୁନାଲ୍‌ର ରେଜିଷ୍ଟ୍ରାର୍‌ ଭାବେ କାର୍ଯ୍ୟ କରିବା ପାଇଁ ନିଯୁକ୍ତି ଦିଆଯାଇଛି। ଏହା ସହ ଟ୍ରିବ୍ୟୁନାଲ୍‌ର ୩୮ଟି ପଦବିକୁ ସରକାର ଅନୁମୋଦନ ଦେଇଛନ୍ତି। କିଛି କର୍ମଚାରୀ ଟ୍ରିବ୍ୟୁନାଲ୍‌ରେ ଯୋଗ ଦେଇ ସାରିଛନ୍ତି। ମଧ୍ୟବର୍ତ୍ତୀକାଳୀନ ଟ୍ରିବ୍ୟୁନାଲ୍‌ ଭା‌େବ ଘୋଷିତ ସେଲ୍ସ ଟ୍ୟାକ୍ସ ଟ୍ରିବ୍ୟୁନାଲ୍‌ରେ ଓ ଅନ୍ୟାନ୍ୟ ସ୍ଥାନରେ ଦାଖଲ ହୋଇଥିବା ସମସ୍ତ ମାମଲା ବର୍ତ୍ତମାନ ଓଆର୍‌ଇଏଟିକୁ ସ୍ଥାନାନ୍ତର କରାଯାଇଛି।

ଓଡ଼ିଶାରେ ରିଅଲ୍‌ ଇଷ୍ଟେଟ୍‌ କାରବାର ବଢ଼ିବାରେ ଲାଗିଛି। ଏହି କ୍ଷେତ୍ରର ଅଭିବୃଦ୍ଧି ଏକ ସୁସ୍ଥ ଅର୍ଥନୀତିର ସୂଚକ। କିନ୍ତୁ ଏଥିରେ ଅନେକ ଆହ୍ବାନ ଅଛି, ଯାହା କି ଏହି ବଜାରକୁ ଅସୁରକ୍ଷିତ କରିଦିଏ। ଏହାକୁ ନଜରରେ ରଖି ଓଡ଼ିଶା ସରକାର ରିଅଲ୍‌ ଇଷ୍ଟେଟ୍‌(ନିୟନ୍ତ୍ରଣ ଓ ବିକାଶ) ଆଇନ୍,୨୦୧୬ର ବ୍ୟବସ୍ଥା ଅନୁଯାୟୀ ଓଡ଼ିଶା ରିଅଲ୍‌ ଇଷ୍ଟେଟ୍‌ ରେଗୁଲେ‌ଟାରି ଅଥରିଟି(ଓରେରା) ପ୍ରତିଷ୍ଠା କରିଛନ୍ତି। ଏଠାରେ ପ୍ରକଳ୍ପ ପଞ୍ଜୀକରଣ ଓ ବିବାଦର ସମାଧାନ ପାଇଁ ପ୍ରାପ୍ତ ହେଉଥିବା ଆବେଦନ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହି ପରିସ୍ଥିତିରେ ଓରେରା ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶ ବିରୋଧରେ ମଧ୍ୟ ଅଭିଯୋଗ ବୃଦ୍ଧି ପାଇବାର ଆଶଙ୍କା ଦେଖାଦେଇଛି। ଏ ସଂକ୍ରାନ୍ତୀୟ ସମସ୍ତ ମାମଲାର ବିଚାର ଏଣିକି ଓଆର୍‌ଇଏଟିରେ ହେବ। ଫଳରେ ଉଭୟ ରିଅଲ୍‌ ଇଷ୍ଟେଟ୍‌ ଡେଭେଲପର୍‌ ଓ ଘର କ୍ରେତା ଠିକ୍ ସମୟରେ ନ୍ୟାୟ ପାଇପାରିବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର