ଜୁଗାର ବାର୍ଷିକ ସଂଖ୍ୟା ଉନ୍ମୋଚନ ଉତ୍ସବ ‘ଅସ୍ମିତା-୨୦୨୦’ : ଆମ ଭାଷାକୁ ମିଳିବ ସାମ୍ବିଧାନିକ ସ୍ବୀକୃତି

ଝାରସୁଗୁଡ଼ାରୁ ଆରମ୍ଭ ହେବ ସ୍ବପ୍ନର ଉଡ଼ାଣ
ସାକାର ହେବ ଏ ଅଞ୍ଚଳ ବିକାଶର ସ୍ବପ୍ନ
ବିକାଶର ଉଡ଼ାଣରେ ଭାଷାକୁ ଭୁଲିଯିବା ଉଚିତ ନୁହେଁ

ଝାରସୁଗୁଡ଼ା : ଅସ୍ମିତା ହେଉଛି ସ୍ବାଭିମାନର ଝଂକାର, ଅସ୍ମିତା ହେଉଛି ଏକ କୋମଳ ଅହଂକାର। ପଶ୍ଚିମ ଓଡ଼ିଶାର ଆବେଗ ହିଁ ତାର ଅସ୍ମିତା। ଆଉ ଆମ ଭାଷା ହେଉଛି ଅସ୍ମିତାର ପରିଚୟ। ତେଣୁ ଜୀବନରେ ଯେତେ ଭାଷା ଶିଖିଲେ ବି ନିଜ ମା ଓ ମାଟିର ଭାଷାକୁ ସର୍ବାଗ୍ରେ ରଖିବା ‌ହେଉଛି ଜ୍ଞାନୀ ଓ ବିକାଶଶୀଳ ମଣିଷର ପରିଚୟ ବୋଲି ଏଠାରେ ଆୟୋଜିତ ‘ଜୁଗାର’ ବା‌ର୍ଷିକ ବିଶେଷାଙ୍କର ଉନ୍ମୋଚନ ଉତ୍ସବ ଅସ୍ମିତା-୨୦୨୦ରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି।

‘ସମ୍ବାଦ ଜୁଗାର’ର ବାର୍ଷିକ ବିଶେଷାଙ୍କ ଉନ୍ମୋଚନ ଅବସରରେ ରବିବାର ସଂଧ୍ୟାରେ ଝାରସୁଗୁଡ଼ା ସଂସ୍କୃତି ଭବନ ପରିସରରେ ଏହି ଭବ୍ୟ ଉତ୍ସବ ଆୟୋଜିତ ହୋଇଥିଲା। ‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବକୁ ଉଦ୍‌ଘାଟନ କରି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଲେ, ଉନ୍ନତ ରାଷ୍ଟ୍ରର ଲୋକେ ନିଜ ଭାଷାକୁ ସବୁଠୁ ଅଧିକ ଭଲ ପାଆନ୍ତି। ଆମେ ଆମ ଅଞ୍ଚଳର ଭାଷାକୁ ଭଲ ପାଇବା ଏକ ଶୁଭ ଲକ୍ଷଣ। ଏ ଦିଗରେ ‘ଜୁଗାର’ର ଅବଦାନ ଅବିସ୍ମରଣୀୟ। ଏହା ଆଉ ଏକ ପତ୍ରିକାରେ ସୀମିତ ରହିନାହିଁ। ଏହା ଏକ ଆନ୍ଦୋଳନ ପାଲଟି ସାରିଛି। ଏହି ଆନ୍ଦୋଳନ ଦିନେ ନା ଦିନେ ନି‌ଶ୍ଚୟ ସଫଳ ହେବ ବୋଲି ଶ୍ରୀ ଦାସ କହିଥିଲେ।

ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ଥାନୀୟ ସାଂସଦ ସୁରେଶ ପୂଜାରୀ କହିଲେ, ବିବିଧତା ମଧ୍ୟରେ ଏକତା ପାଇଁ ଯେମିତି ଭାରତ ପରିଚିତ ସେମିତି ଝାରସୁଗୁଡ଼ା ମଧ୍ୟ ପରିଚିତ। ସମ୍ବଲପୁରୀ/କୋଶଲୀ ଭାଷାକୁ ସାମ୍ବିଧାନିକ ସ୍ବୀକୃତି ମିଳିଲେ ସଂସଦରେ ସମ୍ବଲପୁରୀ ଭାଷାରେ ବକ୍ତବ୍ୟ ରଖିବାର ସୁଯୋଗ ପାଇବି। ସେତେବେଳେ ଏହି ଆନ୍ଦୋଳନ ସଫଳ ହେବ। ଏହି ଭାଷା ଆନ୍ଦୋଳନକୁ ବଳିୟାନ କରିବାରେ ‘ସମ୍ବାଦ’ ଓ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଅବଦାନକୁ ଇତିହାସ ସବୁଦିନ ମନେ ରଖିବ।

ବିଶେଷ ଅତିଥି ଭାବେ ଯୋଗ ଦେଇ ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ କହିଲେ, ଆମ ଅସ୍ମିତାର ପରିଚୟ ହେଉଛି ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର। ଏଠୁ ଆମ ସ୍ବପ୍ନର ଉଡ଼ାଣ ଆରମ୍ଭ ହେବ। ସାକାର ହେବ ଏ ଅଞ୍ଚଳର ବିକାଶର ସ୍ବପ୍ନ। ବିକାଶର ସ୍ବପ୍ନରେ ବିଭୋର ଏ ଅଞ୍ଚଳର  ଯୁବଗୋଷ୍ଠୀ କେମିତି ନିଜ ଷ୍ଟାର୍ଟଅପ୍‌ ଆରମ୍ଭ କରି ବିଶ୍ବ ବଜାରର କବାଟ ବାଡ଼େଇଛନ୍ତି ତାର ତିନିଟି ସୁନ୍ଦର ଉଦାହରଣ ରଖିଥିଲେ।

ସମ୍ମାନିତ ଅତିଥି ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ ସାମଲ କହିଲେ, ଭାଷା ଅଞ୍ଚଳର ସ୍ବାଭିମାନକୁ ବଞ୍ଚାଇ ରଖେ। ଭାଷାକୁ ନେଇ ସମ୍ବଲପୁରର ପରିଚୟ ଅନନ୍ୟ। ଆଜି ଏହି ମାଟି ନିଜ କଥିତ ଭାଷାକୁ ନେଇ ଆନ୍ଦୋଳନ କରୁଛି ତାହା ନିଶ୍ଚିତ ସଫଳ ହେବ। ଏଥିରେ ‘ସମ୍ବାଦ’ ଓ ‘ଜୁଗାର’ର ଭୂମିକା ‌ଲୋକେ ସବୁଦିନ ମନେ ରଖିବେ।

ସଭାପତି ଶ୍ରୀ ପଟ୍ଟନାୟକ କହିଲେ, କଥିତ ଭାଷାକୁ ସମୃଦ୍ଧ କରିବାକୁ ଅଧିକରୁ ଅଧିକ ମୁଦ୍ରଣର ଆବଶ୍ୟକତା ରହିଛି। ସେହି ଉତ୍ତରଦାୟିତ୍ବ ନିର୍ବାହ କରିବାକୁ ଯାଇ ଆମେ ‘ଜୁଗାର’ର ଆରମ୍ଭ କରିଥିଲୁ। ତେବେ ବର୍ତ୍ତମାନ ମା’ର ଭାଷାକୁ ବଞ୍ଚାଇ ରଖିବାକୁ ହେଲେ ଏହି ଭାଷାରେ  ଅଧିକ ସାହିତ୍ୟ ସୃଷ୍ଟି କରି ତାକୁ ଡିଜିଟାଲ୍ ପ୍ଲାଟ୍‌ଫର୍ମରେ ସାଇତି ରଖିବାକୁ ହେବ। ଜଣକୁ ଅନ୍ୟ ଜଣକ ସହ ଯୋଡ଼ିବା ଏଭଳି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ଅତି ସୁନ୍ଦର ହୋଇଛି ଓ ଆଗାମୀ ଦିନରେ ବିଶ୍ବସ୍ତରୀୟ ହୋଇପାରିବ। ତେବେ ଏହି ବିକାଶର ଉଡ଼ାନ ଉଡ଼ିବା ଭିତରେ ଆମେ ଯେମିତି ନିଜ ଭାଷାକୁ ଭୁଲି ନଯାଉ ସେଥିପ୍ରତି ଯତ୍ନବାନ ହେବାକୁ ପଡ଼ିବ।

ଏହି ଉତ୍ସବରେ ‘ଜୁଗାର’ର ସପ୍ତମ ବାର୍ଷିକ ବିଶେଷାଙ୍କ ଅତିଥିମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏ ଅଞ୍ଚଳର ୫ ଜଣ ପ୍ରତିଭାଙ୍କୁ ସମ୍ମାନିତ କରା ଯାଇଥିଲା। ନାଟ୍ୟକାର ପ୍ରଦୀପ ଭୋଳ, ସଂଗୀତଜ୍ଞ ଅଭିଜିତ ମଜୁମଦାର, କ୍ରିକେଟର୍‌ ଶୋଭନ ଦେବ, ଯୁବ କଣ୍ଠଶିଳ୍ପୀ ଡୁଲେ ରାପର୍‌, ମିସନ୍‌ ଡ୍ରିମ୍ସ ମିସ୍‌ ଇଣ୍ଡିଆ ଅର୍ପିତା ନନ୍ଦଙ୍କୁ ସମ୍ବର୍ଧିତ କରା ଯାଇଥିଲା। ‘ସମ୍ବାଦ’ର ମୁଖ୍ୟ ମହାପ୍ରବନ୍ଧକ (ବାର୍ତ୍ତା) ଅରବିନ୍ଦ ଦାସ ଅତିଥି ପରିଚୟ ପ୍ରଦାନ ସହ ସଭା ସଂଯୋଜନା କରିଥିଲେ। ସମ୍ବଲପୁର ସଂସ୍କରଣର ଉପମହାପ୍ରବନ୍ଧକ (ବାର୍ତ୍ତା) ଦେବେନ୍ଦ୍ର ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ। ବରିଷ୍ଠ ସହସଂପାଦକ ଲକ୍ଷ୍ମୀ ନାରାୟଣ ହୋତା ମଞ୍ଚ ଆବାହନ କରିଥିଲେ।

ସମ୍ବନ୍ଧିତ ଖବର