‘ଜୁଗାର୍‌’ ବାର୍ଷିକ ବିଶେଷାଙ୍କର ଉନ୍ମୋଚନ ଉତ୍ସବ : ଭୋକର ଭୂଗୋଳ ବଦଳି ସାରିଛି

କଳାହାଣ୍ଡି ଏବେ କଳା ଓ ସଂସ୍କୃତିର ବାର୍ତ୍ତା ଦେଉଛି

ଭବାନୀପାଟଣା : ଭୋକର ଭୂଗୋଳ ଆଉ ନାହିଁ। ବିଗତ ଦିନର ଚିତ୍ର ବଦଳି ସାରିଛି। କଳାହାଣ୍ଡି ଏବେ କଳା ଆଉ ସଂସ୍କୃତିର କଥା କହୁଛି। ସାରା ବିଶ୍ବକୁ ନିଜ ମାଁ, ମାଟି ଓ ଭାଷାର ଅନନ୍ୟ ବାର୍ତ୍ତା ଦେଉଛି। ଆଜିର ଏହି ମଞ୍ଚ ଏହାର ପ୍ରକୃଷ୍ଟ ଉଦାହରଣ ବୋଲି ‘ସମ୍ବାଦ’ ପକ୍ଷରୁ ଆୟୋଜିତ ‘ଜୁଗାର୍‌’ ପତ୍ରିକାର ବାର୍ଷିକ ବିଶେଷାଙ୍କ ଉନ୍ମୋଚନ ଉତ୍ସବ ଅବସରରେ ମନ୍ତ୍ରୀ କ୍ୟାପ୍‌ଟେନ୍ ଦିବ୍ୟଶଂକର ମିଶ୍ର କହିଛନ୍ତି।

ଭବାନୀପାଟଣାର ଲାଲବାହାଦୁର ଷ୍ଟାଡିୟମ୍‌ରେ ଆୟୋଜିତ ଭବ୍ୟ ଉତ୍ସବକୁ ଉଦ୍‌ଘାଟନ କରି ମନ୍ତ୍ରୀ ଶ୍ରୀ ମିଶ୍ର କହିଲେ, ଚନ୍ଦ୍ରଯାନ-୨ର ନିର୍ମାଣରେ କଳାହାଣ୍ଡିର ଯୋଗଦାନ ରହିଛି। ବହୁରାଷ୍ଟ୍ରୀୟ କମ୍ପାନିମାନଙ୍କ ବିଭିନ୍ନ ଉତ୍ପାଦରେ ବ୍ୟବହୃତ ହେଉଥିବା ଉନ୍ନତ ମାନର କ୍ରୋମାଇଟ୍ କଳାହାଣ୍ଡି ଯୋଗାଉଛି। ଏଠି ବକ୍ସାଇଟ୍‌ ଭଳି ଖଣିଜ ସହ ପ୍ରଚୁର ପରମାଣରେ ଜଳ ସଂପଦ ରହିଛି। ତାରି ବଳରେ ଦିନେ ଭୋକ ପାଇଁ ସାରା ଦୁନିଆରେ ପରିଚିତ ହୋଇଥିବା କଳାହାଣ୍ଡି ଆଜି ଅନ୍ୟମାନଙ୍କର ଭୋକ ମେଣ୍ଟାଉଛି।

ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କ‌ହିଲେ, ଇନ୍ଦ୍ରାବତୀ ଯୋଜନା ଯୋଗୁଁ କଳାହାଣ୍ଡିର ଭୋକ ଦୂର ହୋଇ ପାରିଛି ଏହା ସତ; କିନ୍ତୁ ଏଠାରେ ଖଣି କାରବାରରେ ବ୍ୟାପକ କଳାବଜାର ଚାଲିଛି। ଦୁର୍ନୀତିର ମୂଳୋତ୍ପାଟନ ହେଲେ ଯାଇ ଉନ୍ନତି ସମ୍ଭବ ହୋଇ ପାରିବ।

ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କଂଗ୍ରେସ ନେତା ନରସିଂହ ମିଶ୍ର କହିଲେ, ଆମ ଭାଷା ଏକ ସ୍ବୟଂସମ୍ପୂର୍ଣ୍ଣ ବଳିଷ୍ଠ ଭାଷା ଏଥିରେ ଆଉ କୌଣସି ଦ୍ବିମତ ନାହିଁ। ‘ସମ୍ବାଦ’ ବହୁଳ ପ୍ରସାରିତ ଓଡ଼ିଆ ଖବରକାଗଜ ହୋଇ ଆମ ଭାଷାରେ ନିୟମିତ ‘ଜୁଗାର୍‌’ ପତ୍ରିକା ପ୍ରକାଶ କରିବା ଏହାର ପ୍ରମାଣ। ସେ କହିଥିଲେ ବିଡ଼ମ୍ବନାର ବିଷୟ ଏହି ଯେ ଆମ ଭାଷା, ସଂସ୍କୃତି, ଇତିହାସ ଯେତେ ସମୃଦ୍ଧ ହେଲେ ବି ଆମେ ପଛୁଆ। ୧ ଲକ୍ଷ ୪୭ ହଜାର କୋଟିର ରାଜ୍ୟ ବଜେଟ୍‌ରୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ମାତ୍ର ୧୦୦ କୋଟି ଟଙ୍କା ଦିଆଯାଉଛି।

କାର୍ଯ୍ୟକ୍ରମରେ ସଭାପତିତ୍ବ କରି ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ଭାଷାର କାମ ହେଲା ମଣିଷକୁ ମଣିଷ ସହ ଯୋଡ଼ିବା। ଅବହେଳିତ ପଶ୍ଚିମ ଓଡ଼ିଶାବାସୀଙ୍କ ମଧ୍ୟରେ ଭାବଗତ ଏକତା ସୃଷ୍ଟି କରିବା ‘ଜୁଗାର୍‌’ର ଉଦ୍ଦେଶ୍ୟ। ନିଜ ମାଁର ଭାଷା ହିଁ ଏହା କରିପାରେ। ଆଜି ଆମ ନିଜ ଭାଷା ପ୍ରତି ଯୁବ ପିଢ଼ିଙ୍କ ଅନାଦର ବଢ଼ୁଥିଲେ ବି ମାତୃଭାଷାର ବିକଳ୍ପ ନାହିଁ। ତେଣୁ ଉତ୍ତର ପିଢ଼ିକୁ ଏହି ଭାଷା ପ୍ରତି ଆକୃଷ୍ଟ କରିବାକୁ ହେଲେ ନୂଆ କାରିଗରୀ କୌଶଳ ଜରିଆରେ ଏହି ଭାଷାକୁ ସେମାନଙ୍କ ନିକଟରେ ପହଞ୍ଚାଇବାକୁ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଅତିଥି ପରିଚୟ ପ୍ରଦାନ କରି ‘ସମ୍ବାଦ’ର ମୁଖ୍ୟ ମହାପ୍ରବନ୍ଧକ ଅରବିନ୍ଦ ଦାସ କଳାହାଣ୍ଡିର ରାଜନେତାମାନଙ୍କ ମଧ୍ୟରେ ଥିବା ସୌହାର୍ଦ୍ଦ୍ୟ ଓ ଲୋକଙ୍କ ଭିତରେ ରହିବା ଗୁଣର ପ୍ରଶଂସା କରିଥିଲେ। ବରିଷ୍ଠ ସହସଂପାଦକ ଲକ୍ଷ୍ମୀ ନାରାୟଣ ହୋତା ମଞ୍ଚ ଆବାହନ କରିଥିଲା ବେଳେ ପଶ୍ଚିମ ଓଡ଼ିଶା ସଂସ୍କରଣ ଉପମହାପ୍ରବନ୍ଧକ ଦେବେନ୍ଦ୍ର ସାମନ୍ତରାୟ ଧନ୍ୟବାଦ ଦେଇଥିଲେ। ସୁଶାନ୍ତ ପାଢ଼ୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ଅତିଥିମାନେ ‘ଜୁଗାର୍‌’ର ଷଷ୍ଠ ବାର୍ଷିକ ସଂଖ୍ୟାକୁ ଉନ୍ମୋଚନ କରିଥିଲେ। ଏହା ପୂର୍ବରୁ ମାଁ ମାଣିକେଶ୍ବରୀଙ୍କ ମନ୍ଦିରରୁ ସାଂସ୍କୃତିକ ‘ଜୁଗାର୍‌’ ଶୋଭାଯାତ୍ରା ବାହାରି ସଭାସ୍ଥଳ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍‌ରେ ପହଞ୍ଚିଥିଲା। ଏହି ମଶାଲ ଶୋଭାଯାତ୍ରାକୁ ବିଭିନ୍ନ ସଂଗଠନ ପକ୍ଷରୁ ସ୍ବାଗତ କରାଯାଇଥିଲା। ଭବାନୀପାଟଣା ସ୍ବାଗତ ଆଇଟିସି, ସଂସ୍କାର ଭାରତୀ, ଜିଲ୍ଲା ଅମଲା ସଂଘ, ସିଟି ପ୍ରାଥମିକ ଶିକ୍ଷକ ସଂଘ, ସମ୍ବାଦ ସାହିତ୍ୟଘର, ଜିଲ୍ଲା ବ୍ୟାଡମିଣ୍ଟନ ଏସୋସିଏସନ, ବିଜୁ ଯୁବ ବାହିନୀ ପକ୍ଷରୁ ଜୁଗାର ମଶାଲକୁ ସ୍ବାଗତ କରିଥିଲେ। ‘ଜୁଗାର୍‌’ କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ, ପୂର୍ବତନ ମନ୍ତ୍ରୀ ରାସବିହାରୀ ବେହେରା, ଆଇନଜୀବୀ ଦୈତାରୀ ପ୍ରଧାନ, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ଶରତ ନାଏକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ଜୁଗାର୍‌ର ବା‌ର୍ଷିକ ସଂଖ୍ୟା ଉନ୍ମୋଚନ ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ପଶ୍ଚିମ ଓଡ଼ିଶାର ୪ ଜଣ ବର୍ଷୀୟାନ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଧିତ କରା ଯାଇଥିଲା। ସେମାନେ ହେଲେ ବିଶିଷ୍ଟ ନାଟ୍ୟବିତ୍ ଡ. ଦ୍ବାରିକା ନାଥ ନାୟକ, ସଂଗୀତ ନିର୍ଦେଶକ ରମେଶ ମହାନନ୍ଦ, ଘୁମୁରା ଗୁରୁ ସତ୍ୟ ନାରାୟଣ ନାଏକ ଏବଂ ହାସ୍ୟ କବି ରସରାଜ ଅଚ୍ୟୁତ ପୁରୋହିତ। ଏହି ଅବସରରେ ସିନେ ତାରକା ସୋହମ ଏବଂ ମହିମାଙ୍କୁ ମଧ୍ୟ ସମ୍ବର୍ଧିତ କରା ଯାଇଥିଲା।

ସମ୍ବନ୍ଧିତ ଖବର