ଦଲାଲଙ୍କ କୋପ ଦୃଷ୍ଟିରେ ଜୁନାଗଡ଼ର ସରକାରୀ ଜମି

ସରକାରୀ ଜମିକୁ ନିଜ ଆୟତ୍ତରେ ରଖିବାକୁ ଜମି ମାଫିଆଙ୍କ ମସୁଧା

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ବ୍ଲକର ଗ୍ରାମାଞ୍ଚଳ ଓ ସହରାଞ୍ଚଳର ସରକାରୀ ଜମି ଉପରେ ବର୍ତ୍ତମାନ ଦଲାଲଙ୍କ କୋପ ଦୃଷ୍ଟି ପଡିଛି । ସରକାରୀ ଜମିକୁ ନିଜ ଆୟତ୍ତରେ ରଖିବାକୁ ଜମି ମାଫିଆ ମାନଙ୍କ ମସୁଧା ନେଇ ସାଧାରଣରେ ଉଦବେଗର ବିଷୟ ହୋଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଜୁନାଗଡ଼ରେ ଥିବା ୩୯ ଏକର ସରକାରୀ ଜାଗାକୁ ୪୭୭ ଜଣ ଜବର ଦଖଲ କରି ରଖିଛନ୍ତି । କରୋନା ଲକଡାଉନ ପୂର୍ବରୁ  ଜୁନାଗଡ଼ ତହସିଲଦାରଙ୍କ ପକ୍ଷରୁ ସରକାରୀ ଜମିକୁ ନିଜ ଆୟତ୍ତରେ ରଖିଥିବା ଜବର ଦଖଲକାରୀ ମାନଙ୍କୁ ନୋଟିସ ଜାରି କରାଯାଇଥିଲା । ବର୍ତ୍ତମାନ ଲକଡାଉନ ଯୋଗୁଁ ଉଚ୍ଛେଦ ପ୍ରକ୍ରିୟାକୁ ବନ୍ଦ ରଖାଯାଇଛି । କରୋନା କଟକଣାର ଫାଇଦା ନେଇ ବର୍ତ୍ତମାନ ଜମି ମାଫିଆ ମାନେ ପୁଣି ସକ୍ରିୟ ହୋଇ ଉଠିଲେଣି । ବେସରକାରୀ ଜାଗା ପାଖରେ ଥିବା ସରକାରୀ ଜମି କୁ ନିଜ ଆୟତ୍ତରେ ରଖିବା ପାଇଁ ସେହି ବେସରକାରୀ ଜାଗାକୁ କିଣିଥିବା ବେଳେ ସରକାରୀ ସହିତ ବେସରକାରୀ ଜମିକୁ ପ୍ଲଟିଂ କରି ଚଢା ଦରରେ ବିକ୍ରି କରିବା ପାଇଁ ଯୋଜନା କରୁଥିବା  ଅଭିଯୋଗ ହୋଇଛି । 
ଗରିବଲୋକଙ୍କୁ ବାସ କରିବା ପାଇଁ ଏକ ଡ଼ିସିମିଲ ଜାଗା ମିଳୁନଥିବା ବେଳେ ମାଫିଆ ମାନେ ଏକର ଏକର ଜମିକୁ ନିଜ ଅକ୍ତିଆରରେ ରଖିବା ନେଇ ସରକାରୀ ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କିଛି ଦିନ ତଳେ ଜୁନାଗଡ଼ ସହର ନିକଟସ୍ଥ ଚନ୍ଦନ ନଗର ପାଖରେ ଥିବା ବେସରକାରୀ ଜମିକୁ କିଛି ଲୋକ ପ୍ଲଟିଂ କରି ବିକ୍ରି କରିବା ଉଦ୍ଧେଶ୍ୟରେ କିଣିଥିଲେ । ଏହି ପାଖରେ ଥିବା ସରକାରୀ ଜମିକୁ ତତ୍କାଳୀନ ତହସିଲଦାର ସୂର୍ଯ୍ୟମଣୀ ଦାସ ଖୁଣ୍ଟପୋତି ଚିହ୍ନଟ କରିଥିଲେ । ବର୍ତ୍ତମାନ ସେହି ସରକାରୀ ଜାଗାକୁ କିଛି ଲୋକ ନିଜ ଆୟତ୍ତରେ ରଖିବାକୁ ଉଦ୍ୟମ କରୁଥିବା ନେଇ ଜୁନାଗଡ଼ ତହସିଲ କାର୍ଯ୍ୟାଳୟରେ ଅଭିଯୋଗ ହୋଇଥିଲା । ପରେ ତହସିଲଦାର  ସେହି ସରକାରୀ ଜାଗାକୁ ଚିହ୍ନଟ କରି ଖୁଣ୍ଟ ପୋତିଥିଲେ । ଜୁନାଗଡ଼ ସହରରେ ଆନେକ ଲୋକ ଅଛନ୍ତି ଯିଏ କି ସରକାରୀ ଜମିକୁ ନିଜ ଆୟତ୍ତରେ ରଖି ବିକ୍ରି କରିବାକୁ ମସୁଧା ଆରମ୍ଭ କରିଛନ୍ତି । ବର୍ତ୍ତମାନ ଅସଲି ଜୁନାଗଡିଆ ସହରର ବିଭିନ୍ନ ବନ୍ଧହୁଡାରେ ଦୁର୍ବିସହ ବାସ କରୁଥିବା ବେଳେ ୩୯ ଏକର ଜମିକୁ ନିଜ ଆୟତ୍ତରେ ରଖିବା ନେଇ ସାଧାରଣରେ ଉଦବେଗର ବିଷୟ ହୋଇଛି । ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ତଦନ୍ତ କରି ୪୭୭ ଜଣ ଜବର ଦଖଲ କରିଥିବା ସରକାରୀ ଜମିକୁ ବନ୍ଧ ହୁଡାରେ ବାସ କରୁଥିବା ଗରିବ ଲୋକଙ୍କୁ ପ୍ରଦାନ କରିବା ପାଇଁ ଦାବୀ ହୋଇଛି । ଏନେଇ ଜୁନାଗଡ଼ ତହସିଲଦାର ଉପେନ୍ଦ୍ର ଲୁହାଙ୍କୁ ପଚାରିବାରୁ ସେ କହିଥିଲେ ଯେ, ବେସରକାରୀ ଜମି ପାଖରେ ଥିବା ସରକାରୀ ଜମିକୁ ଆୟତ୍ତ କରୁଥିବା ଅଭିଯୋଗ ହେବାରୁ ନିଜେ ଯାଇ ଡିମାରକେସନ କରିବା ସହ ସେହି ସରକାରୀ ଜାଗାକୁ ଖୁଣ୍ଟପୋତି ଚିହ୍ନଟ କରିଛି ବୋଲି କହିଥିଲେ  ।
ସମ୍ବନ୍ଧିତ ଖବର