ଜୁନାଗଡ଼ ଏକ୍ସପ୍ରେସ୍‌ର ଗତିପଥକୁ ନେଇ ଦ୍ବନ୍ଦ୍ବ, ରେଳମନ୍ତ୍ରୀ, ପୀୟୂଷଙ୍କୁ ପାଲଟା ଚିଠି ଲେଖିଲେ ୨ ସାଂସଦ

ଭୁବନେଶ୍ବର : ଜୁନାଗଡ଼ ଗତିପଥ ପରିବର୍ତ୍ତନକୁ ନେଇ ଏବେ ଦ୍ବନ୍ଦ୍ବ ପ୍ରକାଶ ପାଇଛି। ଏପରିକି, ପଶ୍ଚିମଓଡ଼ିଶା ଓ ଦକ୍ଷିଶ ଓଡ଼ିଶା‌ରେ ରାଜ‌ନୀତି ଜୋର୍‌ ଧରିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତିପଥ ପରିବର୍ତ୍ତନ ସଂକ୍ରାନ୍ତରେ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ପତ୍ର ଲେଖିଥିବାବେଳେ ଗତିପଥ ପରିବର୍ତ୍ତନକୁ ବିରୋଧ କରିଛନ୍ତି ଦକ୍ଷିଣ ଓଡ଼ିଶାର ୨ ସାଂସଦ ସପ୍ତଗିରି ଉଲାକା ଓ ଏନ୍‌. ଭାସ୍କରରାଓ । ୨ ସାଂସଦ ଉଭୟ କେନ୍ଦ୍ରମନ୍ତ୍ରୀଙ୍କୁ ପତ୍ର ଲେଖି ଗତିପଥ ପରିବର୍ତ୍ତନ ନ କରିବା ପାଇଁ ଅନୁରୋଧ କରିଛନ୍ତି।

କଳାହାଣ୍ଡି ଜିଲ୍ଲାର କେସିଙ୍ଗା ସିଟିଜେନ୍‌ ଫୋରମ୍‌ ପକ୍ଷରୁ ଶ୍ରୀ ପ୍ରଧାନଙ୍କୁ ପତ୍ର ଲେଖି ଭୁବନେଶ୍ୱର ଜୁନାଗଡ଼ ଏକ୍ସପ୍ରେସ୍‌କୁ ରାୟଗଡ଼ା ବଦଳରେ ସମ୍ବଲପୁର ଦେଇ ଚଳାଇବାକୁ ଅନୁରୋଧ କରାଯାଇଥିଲା। ଏହାର ଆଧାରରେ ସେ ରେଳମନ୍ତ୍ରୀଙ୍କୁ ଏକ ଚିଠି ଲେଖିଥିଲେ। କେନ୍ଦ୍ରମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ଉଲ୍ଲେଖ କରାଯାଇଥିଲା ଯେ, ଜୁନାଗଡ଼-ଭୁବନେଶ୍ବର ଟ୍ରେନ୍‌ ପାଇଁ ଦୁଇଟି ବିକଳ୍ପ ରହିଛି। ପ୍ରଥମ ବିକଳ୍ପ- ଭାୟା ରାୟଗଡା, ବିଜୟନଗରମ୍‌ ଏବଂ ଦ୍ବିତୀୟ ବିକଳ୍ପ- ଭାୟା, ରାୟଗଡ଼ା, ଟିଟିଲାଗଡ଼, ସମ୍ବଲପୁର, କଟକ। ଦ୍ବିତୀୟ ପ୍ରସ୍ତାବ ବିକଳ୍ପ ଓ ଗ୍ରହଣୀୟ ବୋଲି ଫୋରମ୍‌ ପକ୍ଷରୁ କୁହାଯାଇଥିଲା। ଏହାପଛରେ ଯୁକ୍ତି ଦର୍ଶାଯାଇଥିଲା ଯେ, ଏହାଦ୍ବାରା ପଶ୍ଚିମାଞ୍ଚଳର ସମସ୍ତ ଜିଲ୍ଲାର ଯାତ୍ରୀମାନେ ଉପକୃତ ହେବ। ଏବଂ, ଆର୍ଥିକ ଦୃଷ୍ଟିରୁ ରେଳବିଭାଗ ଲାଭବାନ ହେବ।

ମାତ୍ର ଏହାକୁ ନେଇ ବିରୋଧ ଆରମ୍ଭ ହୋଇଯାଇଛି । କୋରାପୁଟର କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ରେଳମନ୍ତ୍ରୀ ପୀୟୂଷ ଗୋୟଲ ଏବଂ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପତ୍ର ଲେଖି ଏପରି ନକରିବାକୁ ଅନୁରୋଧ କରିଛନ୍ତି। ଏହାଦ୍ୱାରା ଦକ୍ଷିଣ ଓଡ଼ିଶାବାସୀ ଅସୁବିଧାର ସମ୍ମୁଖୀନ ହେବେ ବୋଲି ସେ ଉଲ୍ଲେଖ କରିଛନ୍ତି। ସେହିପରି ବିଜେଡିର ରାଜ୍ୟସଭା ସାଂସଦ ଏନ୍‌. ଭାସ୍କର ରାଓ ମଧ୍ୟ ରେଳମନ୍ତ୍ରୀ ଶ୍ରୀ ଗୋୟଲ ଓ ଶ୍ରୀ ପ୍ରଧାନଙ୍କୁ ଚିଠି ଲେଖି ଭୁବନେଶ୍ୱର-ଜୁନାଗଡ ଏକ୍ସପ୍ରେସ୍‌ର ଗତିପଥ ନ ବଦଳାଇବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ, ଦୀର୍ଘ ୧୦ ବର୍ଷ ଧରି ଦାବି ପରେ ଏହା ପୂରଣ ହୋଇଥିବାବେଳେ ଗତିପଥ ପରିବର୍ତ୍ତନ କଲେ ଦକ୍ଷିଣ ଓଡ଼ିଶାର ଲୋକମାନେ ହଇରାଣ ‌ହେବେ।

ଏହି ଗତିପଥ ପରିବର୍ତ୍ତନ ହେବ କି ନାହିଁ ତାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ‌ଧରିଛି। ସମ୍ପୃକ୍ତ ଅଞ୍ଚଳର ଲୋକମାନଙ୍କ ମଧ୍ୟରେ ବି ଆଶା, ଆଶଙ୍କା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର