ଜୁନାଗଡ଼ ଗଣଦୁଷ୍କର୍ମ ମାମଲା : ଭିଡିଓ ଭାଇରାଲ ରୋକିବା ପାଇଁ କ୍ରାଇମ୍‌ବ୍ରାଞ୍ଚକୁ ଚିଠି, ଘଟଣାସ୍ଥଳକୁ ଗଲେ ମହିଳା କମିସନ ଅଧ୍ୟକ୍ଷା

ଭୁବନେଶ୍ବର : ଜୁନାଗଡ଼ ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଭିଡିଓ ସୁଟିଂ କରି ସୋସିଆଲ ମିଡିଆରେ ଭାଇରାଲ କରିଛି। ଏହାକୁ ନେଇ ‌କ୍ଷୋଭ ପ୍ରକାଶ କରିଛନ୍ତି ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ମିନତି ବେହେରା। ଏହା କିଭଳି ତୁରନ୍ତ ରୋକା ଯାଇପାରିବ ସେଥିପାଇଁ ପଦକ୍ଷେପ ନେବାକୁ ଅଧ୍ୟକ୍ଷା କ୍ରାଇମ୍‌ବ୍ରାଞ୍ଚକୁ ଚିଠି ଲେଖିଛନ୍ତି। ଏହାଛଡ଼ା ଯେଉଁମାନେ ଏହାକୁ ଭାଇରାଲ କରୁଛନ୍ତି ସେମାନଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପରାମର୍ଶ ଦେଇଛନ୍ତି। ଏ ନେଇ ସେ ଜୁନାଗଡ଼ ଗସ୍ତ କରି ଘଟଣାସ୍ଥଳ ପରିଦର୍ଶନ କରିବା ସହ କଳାହାଣ୍ଡି ଏସ୍‌ପି ଓ ଜୁନାଗଡ଼ ଥାନା ଇନ୍‌ସ୍‌ପେକ୍ଟରଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିଛନ୍ତି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ସହ ଅଭିଯୁକ୍ତମାନେ ଯେଭଳି ଖସି ନ ଯିବେ ତାହା ଉପରେ ଗୁରୁତ୍ବ ଦିଆଯାଉଥିବା ସେ କହିଛନ୍ତି।

ଅନ୍ୟପଟେ ଏହି ଭିଡିଓ ଭାଇରାଲ ଉପରେ କଡ଼ା ନଜର ରଖାଯାଇଥିବା କ୍ରାଇମ୍‌ବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ବିଭିନ୍ନ ସୋସିଆଲ ମିଡିଆ ସହ ଯୋଗାଯୋଗ କରାଯାଇଛି। ଯେଉଁ ମୋବାଇଲ୍‌ରୁ ଏହା ଭାଇରାଲ ହେବ ବା ସୋସିଆଲ ମିଡିଆରେ ଅପ୍‌ଲୋଡ୍‌ ହେବ ସେ ନେଇ କ୍ରାଇମ୍‌ବ୍ରାଞ୍ଚ ପାଖକୁ ଖବର ଆସିବା ଭଳି ବ୍ୟବସ୍ଥା ହୋଇଛି। ମୋବାଇଲ୍‌ର ଆଇଏମ୍‌ଇଆଇ (ଇଣ୍ଟରନାସନାଲ ମୋବାଇଲ ଇକ୍ୟୁପ୍‌ମେଣ୍ଟ ଆଇଡେଣ୍ଟିଟି) ନମ୍ବର ଜରିଆରେ ମୋବାଇଲ ଉପଭୋକ୍ତାର ପରିଚୟ ଜାଣିହେବ। ଉପଭୋକ୍ତାକୁ ଚିହ୍ନଟ କରାଯିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସମ୍ପୃକ୍ତ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର