ନୂଆଦିଲ୍ଲୀ: ଏ ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସର ବିଷୟବସ୍ତୁ ହେବ ‘ଯୋଗ ଫର ହ୍ୟୁମାନିଟି’ (ମାନବତା ପାଇଁ ଯୋଗ)। ଆୟୁଷ ମନ୍ତ୍ରଣାଳୟ ୨୧ ଜୁନ୍ ୨୦୨୨ରେ ଭାରତ ଏବଂ ସମଗ୍ର ବିଶ୍ୱରେ ଆୟୋଜିତ ହେବାକୁ ଯାଉଥିବା ଅଷ୍ଟମ ଅନ୍ତର୍ଜାତୀୟ ଯୋଗ ଦିବସ ନିମନ୍ତେ ଏହି ବିଷୟକୁ ଚୟନ କରିଛନ୍ତି। ଯୋଗ ଦିବସ-୨୦୨୨ର ମୁଖ୍ୟ କାର୍ଯ୍ୟକ୍ରମ କର୍ଣ୍ଣାଟକର ମହୀଶୂରରେ ଆୟୋଜିତ ହେବ। ଗତବର୍ଷର ବିଷୟ ଥିଲା ‘ଯୋଗ ଫର ୱେଲନେସ୍’ ବା ‘ସୁସ୍ଥତା ପାଇଁ ଯୋଗ’।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ‘ମନ୍ କି ବାତ୍’ରେ ଏହି ବିଷୟ ସମ୍ପର୍କରେ ଘୋଷଣା କରିଛନ୍ତି। ଚଳିତ ବର୍ଷର ଯୋଗ ଦିବସ ନିମନ୍ତେ ବିଷୟକୁ ବହୁତ ବିଚାରବିମର୍ଶ ପରେ ଚୟନ କରାଯାଇଛି। କୋଭିଡ୍ ମହାମାରୀ ଚରମ ସୀମାରେ ପହଂଚିଥିବା ସମୟରେ, ଯନ୍ତ୍ରଣାକୁ କମ୍ କରିବା କ୍ଷେତ୍ରରେ ଯୋଗ ସାହାଯ୍ୟ କରିଛି। ଯୋଗ ଏକତାର ଭାବନାକୁ ପ୍ରୋତ୍ସାହିତ କରେ ଏବଂ ସାରା ବିଶ୍ୱରେ ଲୋକମାନଙ୍କ ମଧ୍ୟରେ ସହନଶୀଳତା ସୃଷ୍ଟି କରେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
କେନ୍ଦ୍ର ଆୟୁଷ, ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ କହିଥିଲେ ଯେ ଆମର ପ୍ରଧାନମନ୍ତ୍ରୀ ଏହି ବର୍ଷ ଯୋଗ ଦିବସର ଥିମ୍କୁ ‘ମାନବତା ନିମନ୍ତେ ଯୋଗ’ ଭାବରେ ଘୋଷଣା କରିଛନ୍ତି। ଆମେ ଜାଣିଛେ ଯେ, ଯୋଗ ଏମିତି ଏକ ଅଭ୍ୟାସ, ଯାହା ଭିତରୁ ଆନନ୍ଦ, ସୁସ୍ଥତା ଏବଂ ଶକ୍ତି ଆଣିଥାଏ ଏବଂ ଏହା ବ୍ୟକ୍ତିର ଅନ୍ତର୍ନିହିତ ଚେତନା ଓ ବାହ୍ୟ ଜଗତ ମଧ୍ୟରେ ନିରନ୍ତର ସମ୍ବନ୍ଧର ଭାବନାକୁ ଗଭୀର କରିଥାଏ। ଯୋଗ ଦିବସ-୨୦୨୨ ଏହି ବିଷୟକୁ ଉପଯୁକ୍ତ ଭାବରେ ପ୍ରଚାରିତ କରିବା କ୍ଷେତ୍ରରେ ସଫଳ ହେବ ବୋଲି ସେ ଆଶା କରିଥିଲେ।
ଅନ୍ତର୍ଜାତୀୟ ଯୋଗ ଦିବସର ଅଷ୍ଟମ ସଂସ୍କରଣରେ ଅନେକ ଜିନିଷ ପ୍ରଥମ ଥର ପାଇଁ ଦେଖିବାକୁ ମିଳିବ। ସେଥି ମଧ୍ୟରୁ “ଗାର୍ଡିଅନ୍ ରିଙ୍ଗ” ନାମକ ଯୋଗ ଏକ ଅଭିନବ କାର୍ଯ୍ୟକ୍ରମ, ଯାହା ସୂର୍ଯ୍ୟଙ୍କର ଗତିକୁ ପ୍ରଦର୍ଶିତ କରିବ। ଯୋଗ କରୁଥିବା ଲୋକମାନଙ୍କର ଭାଗୀଦାରି ସୂର୍ଯ୍ୟଙ୍କ ଗତି ଭଳି ରହିବ। ଏହା ପୂର୍ବରୁ ଆରମ୍ଭ ହୋଇ ପଶ୍ଚିମ ଆଡକୁ ଗତିଶୀଳ ହେବ। ଏହା ଏକ ଅଦ୍ଭୁତ ରିଲେ ଯୋଗ ଷ୍ଟ୍ରିମିଂ କାର୍ଯ୍ୟକ୍ରମ ହେବ, ଯାହା ଡିଡି ନ୍ୟାସନାଲ୍ରେ ସିଧା ପ୍ରସାରଣ କରାଯିବ। ସ୍ବାଧୀନତାର ୭୫ ବର୍ଷ ଉପଲକ୍ଷେ ଦେଶ ଆଜାଦୀର ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଜାତୀୟ ସ୍ତରରେ ପ୍ରତିଷ୍ଠିତ ୭୫ଟି ସ୍ଥାନରେ ଜୁନ୍ ୨୧ରେ ବହୁତ ବଡ ଆକାରରେ ସିୱାଇପିର ପ୍ରଦର୍ଶନ କରାଯିବ। ଏଥି ସହ ରାଜ୍ୟଗୁଡ଼ିକ ମଧ୍ୟ ନିଜର ପସନ୍ଦ ଅନୁସାରେ ୭୫ଟି ମହତ୍ତ୍ବପୂର୍ଣ୍ଣ ସ୍ଥାନରେ ଏହି ପ୍ରକାରର କାର୍ଯ୍ୟକ୍ରମ ଆୟୋଜନ କରିବେ। ମୋରାରଜୀ ଦେଶାଇ ଜାତୀୟ ଯୋଗ ସଂସ୍ଥାନ ସହଯୋଗରେ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଅନ୍ତର୍ଜାତୀୟ ଯୋଗ ଦିବସ-୨୦୨୨ର ଅଷ୍ଟମ ସଂସ୍କରଣକୁ କିଛି କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ କରାଯିବାର ଯୋଜନା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/Yoga.jpeg)