ଭୁବନେଶ୍ୱର: ପେଟ୍ରୋଲ୍‌, ଡିଜେଲ୍‌ ଦର ବୃଦ୍ଧି ଓ ମହାନଦୀ ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦାୟୀ। ତୈଳ ଦର ବୃଦ୍ଧି ରୋକିବାକୁ ନା କେନ୍ଦ୍ର ନା ରାଜ୍ୟ ସରକାର କିଛି ପଦକ୍ଷେପ ନେଉଛନ୍ତି। ଉଭୟେ ଉଦାସୀନ। ବରଂ ଟିକସ ଆଦାୟ କରିବାକୁ ପଛଉ ନାହାନ୍ତି। ପେଟ୍ରୋଲ୍‌, ଡିଜେଲ୍‌ ବ୍ୟବହାର କରୁଥିବା ଜନସାଧାରଣଙ୍କ ଦୁଃଖ କେହି ଶୁଣୁୁନାହାନ୍ତିି। ସେହିପରି ମହାନଦୀ ପ୍ରସଙ୍ଗରେ ବିଜେଡି କୁମ୍ଭୀରକାନ୍ଦଣା କରି ଭୋଟ ରାଜନୀତି ଚଳାଇଛି। ସେପଟେ ଛତିଶଗଡ଼ ସରକାରଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ବିଜେପି ରାଜ୍ୟ ସ୍ୱାର୍ଥକୁ ଜଳାଞ୍ଜଳି ଦେଇଛି। ନିକଟରେ କଟକ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାବାସୀଙ୍କୁ ଆଶ୍ୱାସନା କି ସାନ୍ତ୍ୱନା ଦେବା ପରିବର୍ତେ ଛତିଶଗଡ଼କୁ ପରୋକ୍ଷ ଭାବେ ସମର୍ଥନ କରିଗଲେ। ଆଜି ଏଭଳି ଆକ୍ରମଣାତ୍ମକ ଢଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଗର୍ଜିଛନ୍ତି ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ।

Advertisment

ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ବିଜେଡି, ବିଜେପି ବିରୁଦ୍ଧରେ କେବଳ ଗର୍ଜିନାହାନ୍ତି, କଂଗ୍ରେସ ଚରମ ପଦକ୍ଷେପ ଗ୍ରହଣ କରିବାକୁ ଯାଉଥିବା ସୂଚନା ଦେଇଥିଲେ। ପେଟ୍ରୋଲ୍‌, ଡିଜେଲ୍‌ ଦର ବୃଦ୍ଧିର ପ୍ରତିବାଦ ସ୍ୱରୂପ ଆସନ୍ତା ୪ ତାରିଖ(ସୋମବାର) ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ କଟକ, ଭୁବନେଶ୍ୱରରେ ‘ଚକବନ୍ଦ’ ଆହ୍ଵାନ ଦେଇଛନ୍ତି। ଏ ନେଇ ସେ ଯାନବାହନ ବ୍ୟବହାର କରୁଥିବା ଦ୍ୱୈତନଗରବାସୀଙ୍କ ସହଯୋଗ କାମନା କରିଛନ୍ତି। କଂଗ୍ରେସ ତରଫରୁ ଜନସାଧାରଣଙ୍କୁ ଅନୁରୋଧ ବୋଲି ଶ୍ରୀ ପଟ୍ଟନାୟକ ସ୍ପଷ୍ଟ କରିଦେଇଛନ୍ତି। ମହାନଦୀ ପ୍ରସଙ୍ଗରେ ଆଉ ପାଦେ ଆଗେଇ ଯାଇ ପିସିସି ସଭାପତି କହିଲେ, କଂଗ୍ରେସ ତରଫରୁ ଖୁବଶୀଘ୍ର ଓଡ଼ିଶା ବନ୍ଦ ଡାକରା ଦିଆଯିବ। ଦିନେ ଦୁଇଦିନ ଭିତରେ ଏ ନେଇ ନିଷ୍ପତ୍ତି ନିଆଯାଇ ତାରିଖ ଘୋଷଣା କରାଯିବ। ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଯେଉଁ ରାଜନୈତିକ ଦଳ, ସାମାଜିକ ଓ ସ୍ୱେଚ୍ଛାସେବୀ ସଂଗଠନମାନେ କ୍ରିୟାଶୀଳ ଅଛନ୍ତିି, ସେମାନଙ୍କ ସହିତ ଆଲୋଚନା ଜାରି ରହିଛି। ତେବେ ବିଜେଡି କି ବିଜେପି ସହିତ ଆଲୋଚନା ହୋଇ ନ ଥିବା ସେ କହିଥିଲେ। ପେଟ୍ରୋଲ୍‌, ଡିଜେଲ୍‌ ଦର ବୃଦ୍ଧି ପ୍ରସଙ୍ଗର ଅବତାରଣା କରି ପିସିସି ସଭାପତି କହିଲେ, ଦର ନିୟନ୍ତ୍ରଣ ନେଇ କେନ୍ଦ୍ର ସରକାରଙ୍କ ଆଖିଦୃଶିଆ ଉଦ୍ୟମ ଦେଖିବାକୁ ମିଳୁ ନାହିଁ। ଲୋକଙ୍କ କଟାଘା’ରେ ଚୂନ ଲଗାଇବା ପାଇଁ ଗୋଟିଏ ପଇସା କମିଲା। ଓଡ଼ିଶାବାସୀଙ୍କୁ ଦର ବୃଦ୍ଧିରୁ ଆଶ୍ୱସ୍ତି ଦେବା ପାଇଁ ରାଜ୍ୟ ସରକାର ଭାଟ୍‌ କମାଇ ପାରେନ୍ତ। କିନ୍ତୁ ସେଥିପାଇଁ ଆଦୌ ରାଜି ନୁହେଁ। ଏହାର ପ୍ରତିବାଦରେ ୪ ତାରିଖରେ ହେବାକୁ ଥିବା କଂଗ୍ରେସର ଚକ ବନ୍ଦ ପାଇଁ ନିବେଦନକୁ ଉଭୟ କଟକ ଓ ଭୁବନେଶ୍ୱର ବାସିନ୍ଦାମାନେ ସହଯୋଗ କରିବାକୁ ଶ୍ରୀ ପଟ୍ଟନାୟକ କହିଥିଲେ।

ଆନ୍ତଃରାଜ୍ୟ ନଦୀ ଭାବେ ମହାନଦୀ ଏକାଧିକ ରାଜ୍ୟରେ ପ୍ରବାହିତ ହେଉଛି। କୌଣସି ଗୋଟିଏ ରାଜ୍ୟ ଏହାକୁ ନିଜର ବୋଲି ଦାବି କରିପାରିବ ନାହିଁ। ଏହା ସତ୍ତ୍ୱେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ମନ୍ତବ୍ୟ ଦେଶର ସମ୍ବିଧାନ, ଆଇନ ପ୍ରତି ବଡ଼ ଆହ୍ଵାନ। ଏହା ଓଡ଼ିଶାବାସୀଙ୍କ ପ୍ରତି ସାଂଘାତିକ ବ୍ୟାପାର। ସେ ଯାହା ହେଉ ବିଳମ୍ବରେ ହେଉ ବା ନିଜର ସ୍ୱାର୍ଥ ରକ୍ଷା ପାଇଁ ହେଉ ପଛେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାନିଛନ୍ତି ଯେ ଛତିଶଗଡ଼ ସରକାର ଭୁଲ କରିଛନ୍ତି। ଯଦି ତାଙ୍କର ମହାନଦୀ ଓ ଓଡ଼ିଶାବାସୀଙ୍କ ପ୍ରତି ଆନ୍ତରିକତା ଓ ଦରଦ ଅଛି, ତାହାହେଲେ କଲ୍‌ମା ବ୍ୟାରେଜ୍‌ କାମ ବନ୍ଦ କରାନ୍ତୁ। ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଭୂମିକାକୁ ଦାୟୀ କରି ପିସିସି ସଭାପତି କହିଲେ, ୨୦୧୫ ପର୍ଯ୍ୟନ୍ତ ନବୀନ ସରକାର ଶୋଇଗଲେ। ପ୍ରଥମେ ୨୯ଟି ଶିଳ୍ପ ସଂସ୍ଥା ଓଡ଼ିଶା ଆସିଥିଲେ। ଏଠାରେ ସହଯୋଗ ପାଇଲେନି। ସେହି କମ୍ପାନିମାନେ ଓଡ଼ିଶାରୁ ମୁହଁ ଫେରାଇ ଛତିଶଗଡ଼ରେ ବଡ଼ ବଡ଼ ବ୍ୟାରେଜ୍‌ କଲେ। କଂଗ୍ରେସ ତରଫରୁ ମହାନଦୀ ସମସ୍ୟା ପ୍ରସଙ୍ଗରେ ପ୍ରଥମେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ସର୍ବଦଳୀୟ ବୈଠକ ଡାକିଥିଲେ। ସେଥିରେ ବିଜେଡି ଯୋଗ ଦେଇନଥିଲା। ବିଧାନସଭାରେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗଠିତ ଗୃହ କମିଟି ବୈଠକ କାହିଁକି ଡକାଯାଉନାହିଁ? ଏଥିରୁ ବିଜେଡିର ମହାନଦୀ ବିବାଦ ସମାଧାନ ନେଇ କେତେ ଆନ୍ତରିକତା ରହିଛି ତାହା ସ୍ପଷ୍ଟ। ରାଜ୍ୟସଭା ଉପାଧ୍ୟକ୍ଷ ପଦବିରେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ସମର୍ଥନ ପ୍ରସଙ୍ଗରେ କଂଗ୍ରେସ ସଭାପତି ଓଲଟା ପଚାରିଥିଲେ ବିଜେଡିର ସମଦୂରତ୍ୱ କିପରି ମାପ କରାଯାଉଛି। ସଂସଦରେ ମୋଦି ସରକାରଙ୍କ ବିରୁଦ୍ଧରେ ଅନାସ୍ଥା ଭୋଟ, ଗୁରୁତ୍ୱପୂର୍ଣ୍ଣ ବିଲ୍‌ ପାସ୍‌ ଆଦି ପ୍ରସଙ୍ଗରେ ବିଜେଡିର ଭୂମିକା କ’ଣ ଥିଲା ତାହା କାହାରିକୁ ଅଜଣା ନାହିଁ। କଂଗ୍ରେସ କ୍ଷମତାକୁ ଆସିଲେ ବିଭିନ୍ନ ଭତ୍ତା ରାଶିକୁ ୩୦୦ ଟଙ୍କାରୁ ଏକ ହଜାର ଟଙ୍କାକୁ ବୃଦ୍ଧି କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।