ଭୁବନେଶ୍ବର : ନିଅଣ୍ଟିଆ ବର୍ଷାରେ ସରିଗଲା ଜୁନ୍। ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ଜୁନ୍ରେ ସାରା ରାଜ୍ୟରେ ମୋଟ ୧୩୧ ମିମି ବର୍ଷା ହୋଇଯାଇଛି। ଏହା ସ୍ବାଭାବିକଠାରୁ ୩୯% କମ। କେବଳ ଗୋଟିଏ ଜିଲ୍ଲା ବୌଦ୍ଧରେ ୪୨.୩% ଅଧିକ ବର୍ଷା ହୋଇଥିବା ବେଳେ ଢେଙ୍କାନାଳ, ରାୟଗଡ଼ା ଓ ନୂଆପଡ଼ା ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି। ତେବେ ଜୁଲାଇ ଆରମ୍ଭରୁ ରାଜ୍ୟରେ ପୁଣି ଦକ୍ଷିଣ-ପଶ୍ଚିମ ମୌସୁମୀ ସକ୍ରିୟ ହେବ ଓ ୧୦ ତାରିଖ ପର୍ଯ୍ୟନ୍ତ ଭଲ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି।
ଖାଲି ରାଜ୍ୟରେ ନୁହେଁ, ଦେଶରେ ବି ୮% ନିଅଣ୍ଟିଆ ବର୍ଷା ହୋଇଛି। ୧୮ଟି ରାଜ୍ୟ ଓ ୫୫% ଜିଲ୍ଲାରେ ନିଅଣ୍ଟିଆ ବର୍ଷାର ସ୍ଥିତି ରହିଥିବା ବେଳେ ୧୨ଟି ରାଜ୍ୟ ଓ ୨୨% ଜିଲ୍ଲାରେ ବର୍ଷା ସ୍ବାଭାବିକ ରହିଛି।
The Bangkok Postଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ, ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଭଲ ବର୍ଷା ହୋଇଛି। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ବର, ଭଦ୍ରକ, ବୌଦ୍ଧ ଓ କନ୍ଧମାଳ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ସେହିଭଳି ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, କଳାହାଣ୍ଡି ଓ ବୌଦ୍ଧ ଆଦି ଜିଲ୍ଲାର କିଛି ଅଞ୍ଚଳରେ ବିଜୁଳି, ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ୪ ତାରିଖ ଯାଏ ବହୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ କେନ୍ଦ୍ର ୟେଲୋୱାର୍ଣ୍ଣିଂ ଜାରି କରିଛି।
ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ୨ ତାରିଖ ଦିନ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରରେ ପ୍ରବଳ ବର୍ଷା ହେବ। ୩ ତାରିଖ ଦିନ ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ଯାଜପୁର, ଢେଙ୍କାନାଳ, ଜଗତସିଂହପୁର, ବରଗଡ଼, ସୋନପୁର, ବଲାଙ୍ଗୀର, ନୂଆପଡ଼ା, କେନ୍ଦ୍ରାପଡ଼ା ଓ ଝାରସୁଗୁଡ଼ାରେ ଏବଂ ୪ ତାରିଖ ଦିନ ଯାଜପୁର, ଢେଙ୍କାନାଳ, କଟକ, ବୌଦ୍ଧ, ଅନୁଗୁଳ ଓ କନ୍ଧମାଳ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ।
ଗୁରୁବାର ଦିନ ଉପକୂଳ ସମେତ ଭୁବନେଶ୍ବରର ପାଗ ମେଘୁଆ ରହିବା ସହ ଅପରାହ୍ଣରେ ବର୍ଷା ହୋଇଥିଲା। ଆଜି ମଧ୍ୟ ରାଜ୍ୟର ପାଗ ମେଘୁଆ ରହିବ। ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି। ଦିନର ସର୍ବୋଚ୍ଚ ତାପମାତ୍ରା ୩୪ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୬ ଡିଗ୍ରି ମଧ୍ୟରେ ରହିବ।
Image Courtesy of India Todayପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଚଳିତ ବର୍ଷ ରାଜ୍ୟରେ ଜୁନ୍ ମାସରେ ବର୍ଷା ନିଅଣ୍ଟିଆ ରହିଲା। ଜୁଲାଇ ଆରମ୍ଭରୁ ମୌସୁମୀ ପୁଣି ସକ୍ରିୟ ହୋଇଯିବ। ଆକଳନ କରାଯାଉଛି, ଜୁଲାଇ ପହିଲା ଅର୍ଥାତ୍ ରଥଯାତ୍ରାରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ହାଲୁକାରୁ ସ୍ବଳ୍ପ ବର୍ଷା (୧୫ ମିମି ପର୍ଯ୍ୟନ୍ତ) ହେବ। ପାଗ ମୁଖ୍ୟତଃ ମେଘୁଆ ରହିବ। ପୁରୀରେ ସକାଳ ବେଳା ବର୍ଷା ହେବାର ସମ୍ଭାବନା ଅଧିକ। ଜୁଲାଇ ୧୦ ତାରିଖରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଧିକ। ଏଣୁ ଏବର୍ଷ ରଥଯାତ୍ରା ‘ଧୁଳିଆ ଗୁଣ୍ଡିଚା, କାଦୁଆ ବାହୁଡ଼ା’ ହୋଇପାରେ।
ପଞ୍ଜାବଠାରୁ ଉତ୍ତର ବଙ୍ଗୋପସାଗର ପର୍ଯ୍ୟନ୍ତ ଘୂର୍ଣ୍ଣିବଳୟ ଭିତରେ ଓଡ଼ିଶା ଓ ସଂଲଗ୍ନ ରାଜ୍ୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ଏକ ଲଘୁଚାପବଳୟ ସୃଷ୍ଟି ହେତୁ ବର୍ଷା ହେବ। ସାରା ରାଜ୍ୟରେ ବର୍ଷା ଜୁଲାଇ ୧ରୁ ୩ ହାଲୁକାରୁ ସ୍ବଳ୍ପ, ୪ରୁ ୬ ହାଲୁକାରୁ ମଧ୍ୟମ ଓ ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ। ଜୁଲାଇର ପ୍ରଥମ ୧୦ ଦିନର ସମୁଦାୟ ବର୍ଷା ରାଜ୍ୟରେ ହାରାହାରି ୧୩୫ ମିମି ହେବ। ଦକ୍ଷିଣ ଓଡ଼ିଶାରେ ୧୦୦ ମିମି, ଆଭ୍ୟନ୍ତରୀଣ (ପଶ୍ଚିମ ଓ ଉତ୍ତର) ଓଡ଼ିଶାରେ ୧୬୫ମିମି ହୋଇପାରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/Monsoon.jpg)