ଭୁବନେଶ୍ବର: ଧାର୍ଯ୍ୟ ସମୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଥିଲା। ଲାଗୁଥିବା ଜୁନ୍ ମାସରେ ସ୍ବାଭାବିକ ବର୍ଷିବ। ମାତ୍ର ତାହା ହୋଇପାରି ନାହିଁ। ପାଖାପାଖି ଦୁଇ ସପ୍ତାହ ଧରି ଓଡ଼ିଶାରୁ ମୌସୁମୀ ଉଭାନ ହୋଇଯିବା ଦ୍ବାରା ୨୭ ପ୍ରତିଶତ ନିଅଣ୍ଟିଆ ବର୍ଷାରେ ଶେଷ ହୋଇଛି ଜୁନ୍ ମାସ। ଜୁନ୍ ୧ରୁ ୩୦ ତାରିଖ ଅର୍ଥାତ୍ ମୌସୁମୀ ସମୟରେ ରାଜ୍ୟରେ ସ୍ବାଭାବିକ ଭାବେ ୨୦୯.୩ ମିମି ବର୍ଷା ହେବା କଥା। ମାତ୍ର ଚଳିତବର୍ଷ ୧୫୩.୬ ମିମି ହୋଇଛି। ମାଲକାନଗିରିରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ଅଧିକ ନିଅଣ୍ଟିଆ ସ୍ଥିତି ଉପୁଜିଛି। ଦେବଗଡ଼, ଢେଙ୍କାନାଳ, କଟକ, ଜଗତ୍ସିଂହପୁର, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, ସୁବର୍ଣ୍ଣପୁର, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ସ୍ବାଭାବିକ ଏବଂ ବାକି ୧୬ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ରାଜ୍ୟରେ ବର୍ତ୍ତମାନ ମୌସୁମୀ ସକ୍ରିୟ ରହିଛି। ପ୍ରଭାବରେ ସୋମବାର ମଧ୍ୟାହ୍ନ ସୁଦ୍ଧା ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, କେନ୍ଦ୍ରାପଡ଼ା, ଭଦ୍ରକ, ଜଗତ୍ସିଂହପୁର, ପୁରୀ ଓ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ପରବର୍ତ୍ତୀ ୫ ଦିନ ପର୍ଯ୍ୟନ୍ତ କାଁ ଭାଁ ହାଲୁକାରୁ ମଧ୍ୟମଧରଣ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ମୌସୁମୀ ସକ୍ରିୟ ରହିଥିବାରୁ ଜୁଲାଇ ପ୍ରଥମ ସପ୍ତାହରେ ବର୍ଷା ଲାଗିରହିବ। ଜୁନ୍ ମାସରେ ମୟୂରଭଞ୍ଜ, ପୁରୀ ଜିଲ୍ଲାରେ ସମୁଦାୟ ବର୍ଷା ପରିମାଣ ୧୦୦ ମିମିରୁ କମ୍ ହୋଇଛି। ଅଧିକାଂଶ ଜିଲ୍ଲାରେ ୧୦୦ରୁ ୧୫୦ ମିମି ବର୍ଷା ହୋଇଥିବା ଜିଲ୍ଲାଗୁଡ଼ିକର ଚାଷୀ ଭାଇମାନେ ଧାନ ତଳି ପକାଇବା ଓ ବୁଣାବୁଣି କରିପାରିବେ। ମୟୂରଭଞ୍ଜରେ ନିଅଣ୍ଟିଆ ବର୍ଷା ପରିମାଣ ୬୭% ରହିଥିବା ବେଳେ ବାଲେଶ୍ବରରେ ୫୫%, ଭଦ୍ରକରେ ୪୪%, କେନ୍ଦ୍ରାପଡ଼ାରେ ୪୦%, ଯାଜପୁରରେ ୩୩%, କେନ୍ଦୁଝରରେ ୫୧%, ଅନୁଗୁଳରେ ୪୪%, ସମ୍ବଲପୁରରେ ୩୨%, ସୁନ୍ଦରଗଡ଼ରେ ୩୮%, ଝାରସୁଗୁଡ଼ାରେ ୩୭%, କଳାହାଣ୍ଡିରେ ୩୭%, ନୂଆପଡ଼ାରେ ୩୦%, ବରଗଡ଼ରେ ୨୮%, ବଲାଙ୍ଗୀରରେ ୨୭%, ପୁରୀରେ ୩୮%, ଗଞ୍ଜାମରେ ୨୫% ଓ ଗଜପତି ଜିଲ୍ଲାରେ ୨୨% ନିଅଣ୍ଟିଆ ବର୍ଷା ହୋଇଛି। ମାଲକାନଗିରିରେ ସ୍ବାଭାବିକଠାରୁ ୩୮% ଅଧିକ ବର୍ଷା ରେକର୍ଡ କରାଯାଇଛି।
ଗତକାଲି ସକାଳ ସାଢ଼େ ୮ଟାରୁ ଆଜି ପୂର୍ବାହ୍ନ ମଧ୍ୟରେ କଟକ ଜିଲ୍ଲାର ବାଙ୍କିରେ ୧୧୭ ମିମି ବର୍ଷା ହୋଇଥିବା ବେଳେ ବାଲେଶ୍ବର ଜିଲ୍ଲାର ଭୋଗରାଇରେ ୧୦୫, ବାହାନଗାରେ ୧୦୦, ନୟାଗଡ଼ ଜିଲ୍ଲା ରଣପୁରରେ ୧୦୨.୪, ପୁରୀ ଜିଲ୍ଲା ସତ୍ୟବାଦୀରେ ୮୬, ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗିରେ ୭୮, ପୁରୀରେ ୭୩.୮ ମିମି ବର୍ଷା ରେକର୍ଡ ହୋଇଛି। ଆଜି ସକାଳଠାରୁ ସନ୍ଧ୍ୟା ମଧ୍ୟରେ ନବରଙ୍ଗପୁରରେ ୪୭ ମିମି ବର୍ଷା ହୋଇଥିବା ବେଳେ ବାରିପଦାରେ ୨୭.୨, ଖୋର୍ଦ୍ଧାରେ ୨୫, ଢେଙ୍କାନାଳରେ ୨୨, ମାଲକାନଗିରିରେ ୨୧, ପରଳାଖେମୁଣ୍ଡିରେ ୧୯.୪, ସୋନପୁରରେ ୧୦ ମିମି ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।