ଭୁବନେଶ୍ବର : ବିଳମ୍ବିତ ମୌସୁମୀ ପାଇଁ ୨୦ ପ୍ରତିଶତ ନିଅଣ୍ଟିଆ ବର୍ଷାରେ ସରିଛି ଜୁନ୍‌। କିନ୍ତୁ ଜୁଲାଇରେ ରାଜ୍ୟ ଓ ଦେଶରେ ସ୍ବାଭାବିକ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ସୂଚନା ଦେଇଛି। ଏହି ସୂଚନା ଚାଷୀକୁଳକୁ ଏକପ୍ରକାର ଆଶ୍ବସ୍ତ କରିଛି। କେନ୍ଦ୍ରୀୟ ଭାରତର ଅଧିକାଂଶ ସ୍ଥାନ ସହ ସଂଲଗ୍ନ ଅଞ୍ଚଳ, ପୂର୍ବ ଭାରତ ସହ ଉତ୍ତର-ପୂର୍ବ ଓ ଉତ୍ତର-ପଶ୍ଚିମ ଭାରତର କିଛି କିଛି ଅଞ୍ଚଳରେ ଜୁଲାଇରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇପାରେ। ଏଥିସହ ପାଣିପାଗ ବିଭାଗର ଦୀର୍ଘ ଅବଧି ଆକଳନ କହୁଛି, ଏଥର ଜୁଲାଇରେ ଦେଶ ତଥା ରାଜ୍ୟର ଅଧିକାଂଶ ସ୍ଥାନର ଦିନ ଓ ରାତି ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ। ‌‌ତେବେ ରାଜ୍ୟର କିଛି କିଛି ଅଞ୍ଚଳରେ ଜୁଲାଇରେ ନିଅଣ୍ଟିଆ ବର୍ଷା ସମ୍ଭାବନା ରହୁଥିବାରୁ ଜୁନ୍‌ର ନିଅଣ୍ଟିଆ ସ୍ଥିତି ଜୁଲାଇରେ ଭରଣା ହେବା ନେଇ ସନ୍ଦେହ ଉପୁଜିଛି।

Advertisment

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଜୁନ୍‌ରେ ରାଜ୍ୟରେ ୨୦୯ ମିମି ବର୍ଷା ହୋଇଛି। ସମୁଦାୟ ୩୦ଟି ଜିଲ୍ଲା ମଧ୍ୟରୁ ୭ଟି ଜିଲ୍ଲାରେ ଅଧିକ, ୩ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଥିବା ବେଳେ ୨୦ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ସେଥିମଧ୍ୟରୁ ୫ଟି ଜିଲ୍ଲା ଯଥା ଗଞ୍ଜାମ, କନ୍ଧମାଳ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଓ ନବରଙ୍ଗପୁର ଜିଲ୍ଲାରେ ଭୀଷଣ ନିଅଣ୍ଟିଆ ବର୍ଷା ଅର୍ଥାତ ୪୦ରୁ ୫୯% କମ୍‌ ବର୍ଷା ହୋଇଛି। ଏଥିସହ ୨ଟି ଜିଲ୍ଲା କଳାହାଣ୍ଡି ଓ ରାୟଗଡ଼ାରେ ୬୦%ରୁ ଅଧିକ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। ତେବେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ଜିଲ୍ଲାଗୁଡ଼ିକ ସାଧାରଣତଃ ଦକ୍ଷିଣ ଓ ଉପକୂଳ ଓଡ଼ିଶାର ଜିଲ୍ଲା।

publive-image Image Courtesy of Skymet

ରାଜ୍ୟରେ ବର୍ତ୍ତମାନ ମୌସୁମୀ ନିଷ୍କ୍ରିୟ ଅବସ୍ଥାରେ ରହିଛି। ଆସନ୍ତା ୪ ଦିନ ପର୍ଯ୍ୟନ୍ତ କାଁ ଭାଁ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଜୁଲାଇ ୪ ତାରିଖରେ ସମ୍ଭାବ୍ୟ ଲଘୁଚାପ କ୍ଷେତ୍ର କେନ୍ଦ୍ରୀୟ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇ ଓଡ଼ିଶା ଉପକୂଳ ଓ ତା’ପରେ ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼ ଓ ଉତ୍ତର ପ୍ରଦେଶ ଉପରେ ଏକ ଘୂର୍ଣ୍ଣିବଳୟ ହେବ। ଫଳରେ ୫ରୁ ୭ ତାରିଖ ଭିତରେ ରାଜ୍ୟରେ ସ୍ବଳ୍ପ ବର୍ଷା ହେବ। ହୁଏ ତ ପଶ୍ଚିମ ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ହୋଇପାରେ। ଜୁଲାଇର ଦ୍ବିତୀୟ ସପ୍ତାହରେ ସମ୍ଭାବ୍ୟ ସିଷ୍ଟମ ହେତୁ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବର୍ଷା ହୋଇପାରେ। କିନ୍ତୁ ଜୁନ୍‌ରେ ନିଅଣ୍ଟିଆ ଥିବା ଉପକୂଳ ଓଡ଼ିଶାରେ କମ୍‌ ବର୍ଷା ହେବ। ଏଣୁ ଜୁଲାଇ ମଧ୍ୟଭ‌ାଗ ପର୍ଯ୍ୟନ୍ତ ଉପକୂଳରେ ବର୍ଷା ନିଅଣ୍ଟିଆ ହେବ। ଅନ୍ୟପଟେ ମଡେଲ କହୁଛି, ଜୁଲାଇରେ ବର୍ଷା କ୍ଲାଇମାଟିକ୍‌ ନର୍ମାଲ ହେବ। ଅର୍ଥାତ ମରୁଡ଼ି ପ୍ରଭାବିତ ଅଞ୍ଚଳରେ କମ୍‌ ବର୍ଷା ହେବ। ବର୍ଷାର ପରିମାଣରେ ଅସମାନତା ରହିବ। ଜୁନ୍‌ର ନିଅଣ୍ଟିଆ ସ୍ଥିତି ଜୁଲାଇରେ ଭରଣା ହେବାର ସମ୍ଭାବନା କମ୍‌।

ଜୁନ୍‌ ମାସରେ ରାୟଗଡ଼ା, କନ୍ଧମାଳ, କେନ୍ଦ୍ରାପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ସମୁଦାୟ ବର୍ଷା ୧୦୦ ମିମିରୁ କମ୍‌ ହୋଇଛି। ଏଠି ଢିପ ଜମିରେ ବୁଣାବୁଣି ଓ ମଧ୍ୟମ ଜମିରେ ତଳି ପକାଇବା ପାଇଁ ବର୍ଷା ଯଥେଷ୍ଟ ନୁହେଁ। ପୁଣି ସପ୍ତାହେ ଯାଏ ଭଲ ବର୍ଷାର ସମ୍ଭାବନା ନ ଥିବାରୁ ବୁଣାବୁଣି ବିଳମ୍ବ ହେବ। ପୁରୀ, ଖୋର୍ଧା, କଟକ ଓ ଜଗତସିଂହପୁର ଜିଲ୍ଲାରେ ୧୦୦ରୁ ୧୫୦ ମିମି ବର୍ଷା ହୋଇଛି। ଏଣୁ ଏଠାରେ ଧାନ ତଳି ପକାଇବା ଓ ବୁଣାବୁଣି କରିପାରିବେ। କିନ୍ତୁ ଏ ସବୁ ଅଞ୍ଚଳରେ ଫସଲ ବଞ୍ଚାଇବା ପାଇଁ ଜଳସେଚନର ଆବଶ୍ୟକତା ରହିଛି। ସେହିଭଳି ଅନୁଗୁଳ, ଗଜପତି, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା ଓ ସୋନପୁର ଆଦି ଜିଲ୍ଲାରେ ଢିପ ଜମି ଅଧିକ ରହିଥିବାରୁ ଏହି ଜିଲ୍ଲାଗୁଡ଼ିକରେ ଯେଉଁଠି ଅଧିକ ବର୍ଷା ହୋଇଛି, ସେଠାରେ ବୁଣାବୁଣି ହୋଇପାରିବ। ନଚେତ ଅଧିକ ବର୍ଷାକୁ ଅପେକ୍ଷା କରିବାକୁ ପଡ଼ିବ। ନିଅଣ୍ଟିଆ ବର୍ଷା ହେତୁ ଫସଲରେ ଡିଏପି ସାର ସହ ପଟାସ ସାରକୁ ମୂଳ ସାର ହିସାବରେ ପ୍ରୟୋଗ କରନ୍ତୁ। ଯାହାକି ଫସଲର ମରୁଡ଼ି ସହନଶୀଳତା ବଢ଼ାଇଥାଏ। ଏଥିସହ ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରା ଅଧିକ ରହିବା ସହ ଗୁଳୁଗୁଳି ମଧ୍ୟ ଅଧିକ ରହିବ।