ଭୁବନେଶ୍ବର : ରାଜ୍ୟରେ କରୋନା ମୁକାବିଲା ଦୃଷ୍ଟିରୁ ଜୁନ୍ ମାସ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। କିଛିଦିନ ଭିତରେ ୫ଲକ୍ଷ ପ୍ରବାସୀ ଓଡ଼ିଆ ନିଜ ଘରକୁ ଫେରିଛନ୍ତି। ଏଭଳି ପରିସ୍ଥିତିରେ ଏହାର କ’ଣ ପ୍ରଭାବ ରହିବ ତାହା ଆସନ୍ତା ୧୫ଦିନ ଭିତରେ ଜଣାପଡ଼ିବ ବୋଲି କୋଭିଡ-୧୯ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି।

Advertisment

କିଛିଦିନର ବ୍ୟବଧାନ ପରେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଗୀତଗୋବିନ୍ଦ ସଦନରେ କରୋନା ପାଇଁ ପୁଣିଥରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ରୀ ବାଗଚୀ କହିଲେ, ରାଜ୍ୟର ପ୍ରଥମ କରୋନା ପଜିଟିଭ୍ ମାର୍ଚ ୧୫ତାରିଖରେ ଚିହ୍ନଟ ହୋଇଥିଲା। ତେଣୁ ରାଜ୍ୟକୁ ସଂକ୍ରମଣ ଆସିବାର ୩ ମାସ ଅତିକ୍ରମ କରିଛି। ଏ ଦୃଷ୍ଟିରୁ ଜୁନ୍ ମାସ ହେଉଛି ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ରାଜ୍ୟ କୋଭିଡ ଯୁଦ୍ଧର ଚତୁର୍ଥ ପର୍ଯ୍ୟାୟରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ ମଧ୍ୟ ଜୁନ୍‌ ମାସ ନିର୍ଣ୍ଣାୟକ ହେବ ବୋଲି କହିଛନ୍ତି। ଜୁନ୍‌ ମାସରେ ମୌସୁମି ଆସୁଥିବାରୁ ପୂର୍ବରୁ ସତର୍କ ରହିବାକୁ ହେବ। ପ୍ରଥମ ୩ଟି ପର୍ଯ୍ୟାୟରେ ସରକାର କର୍ଣ୍ଣଧାର ଥିଲେ। ଚତୁର୍ଥ ପର୍ଯ୍ୟାୟରେ ପ୍ରତି ପରିବାରର ସଦସ୍ୟ କର୍ଣ୍ଣଧାର ହେବେ। ଏଥିପାଇଁ ସମସ୍ତଙ୍କୁ ସଚେତନ ହେବାକୁ ପଡ଼ିବ। ଖାଲି ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବା ବଡ଼ କଥା ନୁହେଁ। ଗୋଟିଏ ମାସରେ ସମୁଦାୟ ୭୨୦ ଘଣ୍ଟାରୁ ଦିନକୁ ୧୦ଘଣ୍ଟା ଓ ସପ୍ତାହରେ ୨ଦିନ ବାହାରକୁ ନ ଗଲେ କିଛି ଅସୁବିଧା ହେବ ନାହିଁ। ଏହାଦ୍ବାରା ଆମେ ଚଳିତମାସରେ ୪୯୨ଘଣ୍ଟା କରୋନାଠାରୁ ଦୂରେଇ ରହିପାରିବା।

ସେ ଆହୁରି ମଧ୍ୟ କହିଥିଲେ ଯେ, ମାର୍ଚ ୧୩ତାରିଖରେ ମୁଖ୍ୟମନ୍ତ୍ରୀ ବିଧାନସଭରେ ପ୍ରଥମଥର ଲାଗି କରୋନାକୁମହାମାରୀ ବିପର୍ଯ୍ୟୟ ଘୋଷଣା କରିଥିଲେ। ଏହି ସମୟରେ ଦେଶରେ ମାତ୍ର ୮୨ଟି ମାମଲା ସାମ୍ନାକୁ ଆସିଥିବା ବେଳେ ଓଡ଼ିଶାରେ ଗୋଟିଏ ବି ମାମଲା ନ ଥିଲା। ବିପର୍ଯ୍ୟୟ ଘୋଷଣା ପରେ କୋଭିଡ ନମୁନା ପରୀକ୍ଷା ଓ କୋଭିଡ ହସ୍ପିଟାଲ ନିର୍ମାଣ ଆରମ୍ଭ ହୋଇଥିଲା। ରାଜ୍ୟ ସରକାର ୮ଟି ସହର ଓ ୫ ଜିଲ୍ଲାରେ ପ୍ରଥମେ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ୩ଟି ପର୍ଯ୍ୟାୟ ପରେ ଚତୁର୍ଥ ପର୍ଯ୍ୟାୟ ଓଡ଼ିଶାର ଭାଗ୍ୟ ନିର୍ଧାରଣ କରିବ। ଏଭଳି ଏକ ସମ୍ବେଦନଶୀଳ ସମୟରେ ଜୀବନ ଓ ଜୀବିକାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ଜୀବନ ପାଇଁ ଜୀବିକାକୁ ବଞ୍ଚାଇବାକୁ ପଡ଼ିବ। ଯୁଦ୍ଧ ସମୟରେ ଶତ୍ରୁ ଯିବା ପରେ ଅଲ କ୍ଲିୟର ସୂଚନା ଦିଆଯାଏ। କିନ୍ତୁ ସରକାର ଏଠାରେ ଲକ୍‌ଡାଉନ୍‌ କୋହଳ କରିଦେଲେ ବୋଲି ଯେ ଏହା ଅଲ କ୍ଲିୟର ବୋଲି ଭାବିବା ଠିକ୍‌ ନୁହେଁ।

ଆମେରିକାରେ ପ୍ରଥମ ୨ମାସରେ ୧୩ହଜାରରୁ ଅଧିକ କରୋନା ପଜିଟିଭ୍ ହୋଇଥିଲେ। ମାତ୍ର ଏହାର ୧୫ଦିନ ପରେ ଏହି ସଂଖ୍ୟା ୨ଲକ୍ଷ ଟପି ଯାଇଥିଲା। ଆମେରିକା ଏବେ ୧ନଂ ସ୍ଥାନରେ ଥିବା ବେଳେ ଭାରତ ଷଷ୍ଠ ସ୍ଥାନରେ ରହିଛି। ଭାରତରେ କରୋନା ବିସ୍ଫୋରକ ରୂପ ନେଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଥିବା ଶ୍ରୀ ବାଗଚୀ କହିଛନ୍ତି।