କରୋନାରୁ ବଞ୍ଚିବାକୁ ମୁଖ୍ୟମନ୍ତ୍ରୀ ନବୀନ ରାଜ୍ୟବାସୀଙ୍କୁ ଦେଲେ ପଞ୍ଚସୂତ୍ରୀ ମନ୍ତ୍ର

ଭୁବନେଶ୍ୱର: ନୋଭେଲ କରୋନା ଭାଇରସ୍‌ ବା କୋଭିଡ୍‌- ୧୯ ବିରୋଧରେ ରାଜ୍ୟ ସରକାର ଆରମ୍ଭ କରିଥିବା ଯୁଦ୍ଧରେ ଚଳିତ ଜୁନ୍‌ ମାସ ହେଉଛି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ, ଏହି ମାସରେ ରାଜ୍ୟରେ ମୌସୁମୀ ପହଞ୍ଚିବା ସହ ଅଧିକ ଲୋକ ଥଣ୍ଡା ସର୍ଦ୍ଦିରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି। ତେଣୁ, ଏହି ପରିପ୍ରେକ୍ଷୀରେ ନିଜକୁ କରୋନା ଠାରୁ ଦୂରେଇ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଦେଇଛନ୍ତି ଏକ ପଞ୍ଚସୂତ୍ରୀ ମନ୍ତ୍ର। ସେ ଏହି ୫ଟି କଥା ମାନିବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚସୂତ୍ରୀ ମନ୍ତ୍ର…

୧) ଘରେ ରୁହନ୍ତୁ। ଅତ୍ୟନ୍ତ ଜରୁରୀ କାମ ନଥିଲେ ବାହାରକୁ ବାହରନ୍ତୁ ନାହିଁ।
୨) ଆଉ ଯେତେବେଳେ ବି ବାହାରକୁ ବାହାରୁଛନ୍ତି ମାସ୍କ ପିନ୍ଧନ୍ତୁ। ଏହାଦ୍ୱାରା ସଂକ୍ରମଣ ୯୦ ପ୍ରତିଶତ କମିଯିବ।
୩) ବଜାର, ଘାଟ, ଅଫିସ୍‌ରେ ଥିବାବେଳେ ସାମାଜିକ ଦୂରତ୍ୱ ବଜାୟ ରଖନ୍ତୁ। କାରଣ, ଆପଣଙ୍କ ଅଜାଣତରେ କେହି କରୋନା ସଂକ୍ରମିତ ଆପଣଙ୍କ ନିକଟରେ ଥାଇପାରନ୍ତି।
୪) ବାହାରୁ ଘରକୁ ଫେରିଲେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ନିଜ ହାତକୁ ଭଲଭାବେ ସାବୁନରେ ଧୁଅନ୍ତୁ।
୫) ପରିବାରରେ ଥିବା ୬୫ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି, ୧୦ ବର୍ଷ ବୟସରୁ କମ୍‌ ବୟସର ଶିଶୁ, ଗର୍ଭବତୀ ମହିଳା ଓ ଅନ୍ୟ ଗୁରୁତର ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ କେବେବି ବାହାରକୁ ଛାଡ଼ନ୍ତୁ ନାହିଁ।

କରୋନା ଭାଇରସ୍‌ ମୁକାବିଲା ପାଇଁ ଆଗାମୀ ୨୫ ଦିନ ଆମ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ । କରୋନା ଳଢ଼େଇ ଦୃଷ୍ଟିରୁ ଜୁନ ମାସ ଆମ ପାଇଁ ନିର୍ଣ୍ଣାୟକ ହେବ। ତେଣୁ ଆସନ୍ତା ୨୫ଦିନ ଆମକୁ ଅତ୍ୟନ୍ତ ସତର୍କତାର ସହ ରହିବାକୁ ପଡ଼ିବ। ଆଜି ସଂଧ୍ୟ‌ାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ଗତ ୧୫ ଦିନ ତଳେ ଦେଶରେ ଦିନକୁ ୩୦୦୦ ଲୋକ କରୋନା ଭାଇରସରେ ସଂକ୍ରମିତ ହେଉଥିଲେ। ଆଜିର ଦିନରେ ଦିନକୁ ୧୦ ହଜାର ଲୋକ ସଂକ୍ରମିତ ହେଉଛନ୍ତି। ତେଣୁ ଆମ ପାଇଁ ଏହା ବଡ଼ ଆହ୍ଵାନ ସୃଷ୍ଟି କରିଛି। କରୋନା ସହ ଲ‌ଢ଼େଇ ଏକ ଲମ୍ବା ଲଢ଼େଇ। ଏହାକୁ ଜିତିବାକୁ ହେଲେ ଲକଡାଉନ୍ ଓ ସଟଡାଉନ୍ ନିୟମ ମାନି ରହିବାକୁ ପଡ଼ିବ। ଏହାଦ୍ବାରା ଆମେ ନିଜକୁ ବଞ୍ଚାଇବା ସହ ଆମ ପରିବାରକୁ ମଧ୍ୟ ବଞ୍ଚାଇ ପାରିବା ବୋଲି ଚେତାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ସମ୍ବନ୍ଧିତ ଖବର