କେନ୍ଦୁଝର: ଶେଷରେ ଉଦ୍ଧାର ହେଲେ ‘ଜଙ୍ଗଲ ମଣିଷ। ଦୁଇଦିନର ଉଦ୍ୟମ ପରେ ଏହି ଅଭିଯାନରେ ସାମିଲ ଥିବା କର୍ମଚାରୀମାନେ ତାଙ୍କୁ କାବୁ କରିବାରେ ସଫଳ ହୋଇଛନ୍ତି। ଦିନେ କି ମାସେ ନୁହେଁ, ଦୁଇବର୍ଷ ହେବ ଭାଲୁ ଭର୍ତ୍ତି ପାହାଡ଼ ଉପରେ ରହୁଥିଲେ ବାବୁ। ଏନେଇ ଜୁଲାଇ ୨ ତାରିଖରେ ‘ସମ୍ବାଦରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନର ନିର୍ଦେଶକ୍ରମେ ଆଜି ଏହି ‘ଜଙ୍ଗଲ ମ୍ୟାନ୍‌ଙ୍କୁ ଉଦ୍ଧାର କରାଯାଇଛି।

Advertisment

କେନ୍ଦୁଝର ସହର ଉପକଣ୍ଠ ନେଲୁଙ୍ଗ ଗ୍ରାମ କଡ଼ରେ ରହିଛି ଏକ ବଡ଼ ପାହାଡ଼। ଏହା ନେଲୁଙ୍ଗ ହୁଡ଼ି ନାମରେ ପରିଚିତ। ଏହି ନେଲୁଙ୍ଗ ହୁଡ଼ିରେ ବିଭିନ୍ନ କିସମର ଅନେକ ଗଛ ଓ ଏକାଧିକ ଗୁମ୍ଫା ରହିଛି। ଗୁମ୍ଫାଗୁଡ଼ିକରେ ଏକାଧିକ ଭାଲୁ ରହିଥାନ୍ତି। ଗୁମ୍ଫା ଭିତରୁ ଭାଲୁଗୁଡ଼ିକ ନିୟମିତ ଭାବେ ବାହାରି ହୁଡ଼ି ତଳେ ଥିବା ନେଲୁଙ୍ଗ ଗାଁରେ ପଶିଥାନ୍ତି। ଭାଲୁ ଭୟରେ ଲୋକେ ନେଲୁଙ୍ଗ ହୁଡ଼ିକୁ ଯାଇନଥାନ୍ତି। ଆଶ୍ଚର୍ଯ୍ୟଜନକ ଭାବେ ଦୁଇବର୍ଷ ହେବ ନେଲୁଙ୍ଗ ଗାଁର ସାଗର ନାଏକ ଓରଫ ବାବୁ ନେଲୁଙ୍ଗ ହୁଡ଼ିରେ ଥିବା ଗୁମ୍ଫାରେ ରହିଆସୁଥିଲେ। ଯେଉଁ ଗୁମ୍ଫାରେ ବାବୁ ରହୁଥିଲେ, ତାର ଚାରିପାଖରେ ମାଳମାଳ ଭାଲୁ ଘୂରି ବୁଲୁଥିଲେ। ମା କୁନ୍ତଳା ତାଙ୍କ ପାଖରେ ଖାଦ୍ୟ ନେଇ ପହଞ୍ଚାଉଥିଲେ। ଅନେକ ବୁଝାସୁଝା ପରେ ବି ସେ ଘରକୁ ଫେରୁ ନଥିଲେ।

ଏ ସମ୍ପର୍କରେ ‘ଭାଲୁ ଭର୍ତ୍ତି ପାହାଡ଼ରେ ଦୁଇବର୍ଷ ହେଲା ବାବୁ ଶୀର୍ଷକ ଖବର ପ୍ରକାଶ ପାଇବା ପରେ ତାଙ୍କୁ ଉଦ୍ଧାର କରିବା ପାଇଁ ଡିଏମ୍‌ଏଫ୍‌ ଦ୍ବାରା ପରିଚାଳିତ ‘ଆଶ୍ରୟ ଅନଷ୍ଠାନକୁ ଜିଲ୍ଲା ପ୍ରଶାସନ ନିର୍ଦେଶ ଦେଇଥିଲା। ଗତକାଲି ଅନୁଷ୍ଠାନର କର୍ମଚାରୀମାନେ ଏକ ଟିମ୍‌ ନେଇ ନେଲୁଙ୍ଗ ହୁଡ଼ିକୁ ଯାଇଥିଲେ। ସେଠାରେ ଉଦ୍ଧାରକାରୀ ଟିମ୍‌କୁ ଦେଖି ବାବୁ ଲୁଚି ଯାଇଥିଲେ। ଅନେକ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ସନ୍ଧାନ ମିଳି ନଥିଲା। ଆଜି ପୁଣି ଭୋରରୁ ଏହି ଟିମ୍‌ ନେଲୁଙ୍ଗ ହୁଡ଼ିକୁ ଯାଇଥିଲା। ବାବୁ ଏକ ଗୁମ୍ଫା ଭିତରେ ଶୋଇଥିବା ବେ‌ଳେ ତାଙ୍କୁ କାବୁ କରିବାରେ ସଫଳ ହୋଇଥିଲେ। ଉଦ୍ଧାର ପରେ ପ୍ରଥମେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏହାପରେ ତ‌ାଙ୍କୁ ଆଶ୍ରୟ ଗୃହକୁ ନିଆଯାଇଛି। ବାବୁ ଉଦ୍ଧାର ହେବା ପରେ ତାଙ୍କ ମା କୁନ୍ତଳା ନାଏକ ଖୁସିବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ବହୁଦିନ ଧରି ସେ ପୁଅକୁ ଘରକୁ ଫେରାଇ ଆଣିବା ପାଇଁ ଉଦ୍ୟମ କରୁଥିଲେ। ମାତ୍ର ସଫଳ ହେଉ ନଥିଲେ। ଜିଲ୍ଲା ପ୍ରଶାସନ ତାଙ୍କୁ ଉଦ୍ଧାର କରିଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି। ସେହିପରି ଗ୍ରାମବାସୀ ସଂଜୟ ପଣ୍ଡା କହିଛନ୍ତି, ପ୍ରଶାସନର ଏହା ଏକ ମହତ କାମ। ବହୁ ଦିନରୁ ଗ୍ରାମବାସୀ ଏହା ଚାହୁଁଥିଲେ ବି କରିପାରୁ ନଥିଲେ। ପ୍ରଶାସନ ତାଙ୍କୁ ଉଦ୍ଧାର କରିଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି। ଏ ସମ୍ପର୍କରେ ‘ଆଶ୍ରୟର ସଂଯୋଜକ  ଜଟାଧାରୀ ସାହୁ କହିଛନ୍ତି, ସାମାଜିକ ସୁରକ୍ଷା ଅଧିକାରୀଙ୍କଠାରୁ ଚିଠି ପାଇବା ପରେ ଆମେ ବାବୁଙ୍କୁ ଉଦ୍ଧାର କରିବାପାଇଁ ଯୋଜନା କରିଥିଲୁ। ଆଜି ତାଙ୍କୁ ଉଦ୍ଧାର କରାଯାଇଛି ବୋଲି ସେ କହିଛନ୍ତି।