ବନ୍ତଳା: କିଟିକିଟି ଅନ୍ଧାର ରାତିରେ ଘଞ୍ଚ ଜଙ୍ଗଲର ଦୃଶ୍ୟ କିପରି? କେମିତି ଦେଖାଯାଆନ୍ତି ବନ୍ୟପ୍ରାଣୀ? ସହରାଞ୍ଚଳରେ ରହୁଥିବା ଲୋକମାନଙ୍କ ପାଇଁ ଅନ୍ଧାରରେ ଜଙ୍ଗଲର ଦୃଶ୍ୟ ସଂପର୍କରେ ଏଭଳି ଉତ୍ସୁକତା ରହିଥାଇପାରେ। ଏଭଳି ଉତ୍କଣ୍ଠାର ପ୍ରଶମନ ପାଇଁ ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ କର୍ତ୍ତୃପକ୍ଷ ବ୍ୟବସ୍ଥା କରିଛନ୍ତି। କିଟିକିଟି ଅନ୍ଧାରରେ ସୁରକ୍ଷିତ ଭାବେ ଜଙ୍ଗଲ ଓ ଜଙ୍ଗଲୀ ଜୀବଜନ୍ତୁଙ୍କୁ ଦେଖିବା ନିମନ୍ତେ ଗାଡ଼ି ବ୍ୟବସ୍ଥା କରାଯାଇଛି। ଜଙ୍ଗଲ ସଫାରି ଗାଡ଼ିରେ ପର୍ଯ୍ୟଟକମାନେ ବସି ପ୍ରକୃତିର ଭୀମକାନ୍ତ ରୂପକୁ ଅତି ନିକଟରୁ ଉପଭୋଗ କରୁଛନ୍ତି।
ସୂଚନା ମୁତାବକ, ସାତକୋଶିଆ ଅଭୟାରଣ୍ୟରେ ଦୁଇମାସ ହେଲା ଜଙ୍ଗଲ ସଫାରି ବ୍ୟବସ୍ଥା ଆରମ୍ଭ ହେଲାଣି। ଏହି ଅଭୟାରଣ୍ୟକୁ ପ୍ରତିଦିନ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ପର୍ଯ୍ୟଟକ ଆସୁଛନ୍ତି। ଏପରିକି ବିଦେଶୀ ପର୍ଯ୍ୟଟକମାନେ ମଧ୍ୟ ଏଠାକୁ ଆକର୍ଷିତ ହୋଇଆସୁଛନ୍ତି। ଅଭୟାରଣ୍ୟ ମଧ୍ୟରେ ଥିବା ଟିକରପଡ଼ା, ଛୋଟକେଇ, ତରଭା ଓ ବାଘମୁଣ୍ଡା ଗାଁ ନିକଟରେ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଛି ‘ପ୍ରକୃତି ନିବାସ।’ ଏଠାରେ ପର୍ଯ୍ୟଟକମାନେ ରହି ଅଭୟାରଣ୍ୟର ଦୃଶ୍ୟ ଉପଭୋଗ କରୁଛନ୍ତି। ପୂର୍ବରୁ ପର୍ଯ୍ୟଟକମାନେ ପ୍ରକୃତି ନିବାସରେ ରହି ରାତିରେ ବନ୍ୟଜନ୍ତୁ ଦେଖିବା ସହଜ ନଥିଲା। ଏବେ କିନ୍ତୁ ଜଙ୍ଗଲ ସଫାରି ଗାଡ଼ିରେ ସେମାନେ ରାତିରେ ଅଭୟାରଣ୍ୟରେ ବୁଲିବା ସହ ହରିଣ, କୁଟୁରା, ବାର୍ହା, ଠେକୁଆ, ସମ୍ବର, ଗୟଳ, କଲରାପତରିଆ ବାଘ ପ୍ରଭୃତି ବନ୍ୟପ୍ରାଣୀଙ୍କୁ ଅତି ନିକଟରୁ ଦେଖିବାର ସୁଯୋଗ ନେଉଛନ୍ତି। ରାତିରେ ଜଙ୍ଗଲ ସଫାରି ପାଇଁ ସାତକୋଶିଆ କର୍ତ୍ତୃପକ୍ଷ ୪ଟି ଗାଡ଼ିର ବ୍ୟବସ୍ଥା କରିଛନ୍ତି। ସଫାରି ଗାଡ଼ି ଗୋଟିଏ ଥର ଜଙ୍ଗଲ ବୁଲିବା ପାଇଁ ୪ ହଜାର ଟଙ୍କା ଦେୟ ବ୍ୟବସ୍ଥା କରାଯାଇଛି। ଗୋଟିଏ ଗାଡ଼ିରେ ମୋଟ ୧୩ ଜଣ ପର୍ଯ୍ୟଟକ ଏକ ସଙ୍ଗରେ ଯାଇପାରିବେ। ରାତି ୯ଟାରୁ ରାତି ପ୍ରାୟ ୧ଟା ପର୍ଯ୍ୟନ୍ତ ସେମାନେ ଜଙ୍ଗଲରେ ବୁଲୁଛନ୍ତି। ଜଙ୍ଗଲ ସଫାରି ଗାଡ଼ି ଟିକରପଡ଼ାରୁ ଯାତ୍ରା ଆରମ୍ଭକରି ପୁରୁଣାକୋଟଦେଇ ଛୋଟକେଇ, ତରଭା, ପୁରୁଣା ଅସନବାହାଳ, ବାଘମୁଣ୍ଡା, ନୂଆ ଅସନବାହାଳ ଗାଁ ପର୍ଯ୍ୟନ୍ତ ଯାଉଛି। ଗତ ଦୁଇମାସ ମଧ୍ୟରେ ଏକ ହଜାରରୁ ଅଧିକ ପର୍ଯ୍ୟଟକ ରାତିରେ ସଫାରି ଗାଡ଼ିରେ ବୁଲିଲେଣି ବୋଲି ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି।