ଖଡ଼ିଆଳ : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଡିଏଫ୍ଓ ଅଫିସ୍ର ଜୁନିଅର ଆକାଉଣ୍ଟାଣ୍ଟ ସଞ୍ଜୟ ବାଗ ପେନ୍ସନ୍ ପେପର୍ ଠିକ୍ କରିବା ପାଇଁ ୨୦ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।
ଗତବର୍ଷ ବନ ବିଭାଗରୁ ଫରେଷ୍ଟ ଗାର୍ଡ ବିନୋଦିନୀ କୈବର୍ତ୍ତ ସ୍ବେଚ୍ଛାକୃତ ଭାବେ ଅବସର ନେଇଥିଲେ। ହେଲେ, ବିନୋଦିନୀଙ୍କୁ ଏପର୍ଯ୍ୟନ୍ତ ପେନ୍ସନ୍ ମିଳିପାରିନଥିଲା। ପେନ୍ସନ୍ କାଗଜପତ୍ରର ପ୍ରକ୍ରିୟା ଠିକ୍ କରିବା ପାଇଁ ଡିଏଫ୍ଓ ଅଫିସ୍ର ଜୁନିଅର ଆକାଉଣ୍ଟାଣ୍ଟ ଶ୍ରୀ ବାଗ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏନେଇ ବିନୋଦିନୀଙ୍କ ଭାଇ ମନୋଜ କୈବର୍ତ୍ତ ଅସହାୟତା ପ୍ରକାଶ କରିଥିଲେ। ଶେଷରେ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ବୁଧବାର ପୂର୍ବାହ୍ନରେ ମନୋଜଙ୍କ ଠାରୁ ଶ୍ରୀ ବାଗ ୨୦ ହଜାର ଟଙ୍କା ଲାଞ୍ଚ ନେକଉଥିବା ବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ବିଭାଗ ତାଙ୍କୁ ଧରିଥିଲେ।
ପରେ କୋରାପୁଟ ଡିଭିଜନ ଜୟପୁର ଏବଂ ଭବାନୀପାଟଣା ଭିଜିଲାନ୍ସ ବିଭାଗ ପକ୍ଷରୁ ଡିଏଫ୍ଓ ଅଫିସ୍ ଓ ଶ୍ରୀ ବାଗଙ୍କ ଘରେ ଚଢ଼ଉ କରାଯାଇଥିଲା। ଏହି ଚଢ଼ଉ ସମୟରେ ଡିଏସ୍ପି ଆନନ୍ଦ ମଲ୍ଲିକ, ଡିଏସ୍ପି ଜୟଶ୍ରୀ ପ୍ରଧାନ, ଇନ୍ସପେକ୍ଟର ସଞ୍ଜୟ ପ୍ରଧାନଙ୍କ ସମେତ ଭବାନୀପାଟଣା ଭିଜିଲାନ୍ସ ବିଭାଗ ଅଧିକାରୀ ସାମିଲ ଥିଲେ।