ରାଉରକେଲା: ପୁଲ୍ ସି’ରେ ଥିବା ଓଡ଼ିଶା ଦଳ ମଙ୍ଗଳବାର ଖେଳିଥିବା ଉତ୍ତରାଖଣ୍ଡ ମ୍ୟାଚ୍କୁ ଏକତରଫାଭାବେ ଜିତିନେଇଛି। ଓଡ଼ିଶା ୧୨-୦ଗୋଲ୍ରେ ଉତ୍ତରାଖଣ୍ଡକୁ ପରାସ୍ତକରି କ୍ବାର୍ଟରଫାଇନାଲ ପ୍ରବେଶ କରିଛି। ପ୍ରକାଶଥାଉକ, ଓଡ଼ିଶା ତା’ର ପ୍ରଥମ ମ୍ୟାଚ୍ରେ ମହାରାଷ୍ଟ୍ରକୁ ୧୮-୦ ଗୋଲ୍ରେ ପରାସ୍ତ କରିଥିଲା। ଲିଗ୍ ପର୍ଯ୍ୟାୟର ଉଭୟ ମ୍ୟାଚ୍କୁ ଜିତି ଓଡ଼ିଶା କ୍ବାର୍ଟର ଫାଇନାଲ ସ୍ଥାନ ସୁରକ୍ଷିତ କରିଛି। ବୁଧବାର ପୁଲ୍ ପର୍ଯ୍ୟାୟର ଶେଷ ୫ଟି ମ୍ୟାଚ୍ ଖେଳାଯିବ।
ଓଡ଼ିଶା ଖେଳାଳି ଆଜି ପ୍ରଥମରୁ ଆକ୍ରମଣାତ୍ମକ ଶୈଳୀ ଆପଣେଇଥିଲେ। ତେବେ ଦଳକୁ ମ୍ୟାଚ୍ର ୧୨ତମ ମିନିଟ୍ରେ ପ୍ରଥମ ସଫଳତା ମିଳିଥିଲା। ଦେଓନାଥ ନାନୱାର୍ ଏକ ଆକର୍ଷଣୀୟ ଫିଲ୍ଡ ଗୋଲ୍ ଦେଇ ଦଳକୁ ୧-୦ ଗୋଲ୍ରେ ଆଗୁଆ କରିଥିଲେ। ଏହାପରେ ଓଡ଼ିଶା ଖେଳାଳି ଆକ୍ରମଣକୁ ବ୍ୟାପକ କରିବାସହ ଗୋଟିଏପରେ ଗୋଟିଏ ଗୋଲ୍ ଦେଇଥିଲେ। ଦେଓଧର ସର୍ବାଧିକ ୫ଟି ଗୋଲ୍(୧୨, ୩୩, ୪୭, ୪୮,୫୮) ଦେଇଥିବାବେଳେ ଦୀପକ ପ୍ରଧାନ ୨ଟି(୨୭, ୩୭) ଏବଂ ବିଲକାନ୍ ଓରାମ(୨୧), ୟୋଜିନ ମିଞ୍ଜ(୩୫), ରୋହିତ କୁଲ୍ଲୁ(୪୩), ପ୍ରଦୀପ ମଣ୍ଡଳ(୪୯) ଓ ସୁରେଶ ଶର୍ମା ଅଧିକାରୀମୟୁମ(୫୩) ଗୋଟିଏ ଲେଖାଏ ଗୋଲ୍ ଦେଇଥିଲେ। ଉତ୍ତରାଖଣ୍ଡ ଗୋଟିଏ ବି ଗୋଲ୍ ପରିଶୋଧ କରିନପାରି ଶୋଚନୀୟ ପରାଜୟ ବରଣ କରିଛି।
ଆସାମ ଓ ତ୍ରୀପୁରା ମଧ୍ୟରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍ ସଂପୂର୍ଣ୍ଣ ଏକତରଫା ହୋଇଥିଲା। ଏଥିରେ ଆସାମ ୨୭-୦ ଗୋଲରେ ତ୍ରୀପୁରାକୁ ଶୋଚନୀୟ ପରାସ୍ତ କରିଛି। ରୋହିତ ଯାଦବ ସର୍ବାଧିକ ୧୦ଟି ଗୋଲ୍ ଦେଇଥିବାବେଳେ ମହମ୍ମଦ ଇସ୍ତେୟାକ୍ ରାଜା ୪ଟି, ଅଧିନାୟକ ନେକ୍ ଅଲୀ, ରିତିକ୍ ପାତିର ଓ ଅମିତ ଦୟାଲ ୩ଟି ଲେଖାଏ ଗୋଲ୍ ଏବଂ ରୀତେଶ ଗୁପ୍ତା ୨ଟି, ସୋବିତ କାର୍କି ଓ ସୂରଜ ଠାକୁର ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ସେହିଭଳି ଦ୍ବିତୀୟ ମ୍ୟାଚ୍ରେ ପଞ୍ଜାବ ୨-୦ ଗୋଲରେ ଦିଲ୍ଲୀକୁ ପରାସ୍ତ କରିଥିବାବେଳେ ଚଣ୍ଡିଗଡ଼ ସିଧାସଳଖ ୮-୧ ଗୋଲରେ ଅରୁଣାଚଳ ପ୍ରଦେଶକୁ, ରାଜସ୍ଥାନ ୯-୧ ଗୋଲରେ ଗୁଜରାଟକୁ ଓ ତେଲେଙ୍ଗାନା ୧-୦ ଗୋଲରେ ମିଜୋରାମକୁ ପରାସ୍ତ କରିଛି।