ରାଉରକେଲା: ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଚାଲିଥିବା ଉପକନିଷ୍ଠ ବାଳକ ଜାତୀୟ ହକି ପ୍ରତିଯୋଗିତାର କ୍ବାର୍ଟର ଫାଇନାଲ ସୂଚୀ ଚୂଡ଼ାନ୍ତ ହୋଇଯାଇଛି। ପୁଲ୍ ସି’ ପଏଣ୍ଟ୍ ଟେବଲ୍ ଟପ୍ପର ଓଡ଼ିଶା ସମେତ ପୁଲ୍ ଡି’ର ସର୍ବାଧିକ ପଏଣ୍ଟ୍ ହାସଲକାରୀ ହରିୟାଣା, ପୁଲ୍ ଇ’ର ପଞ୍ଜାବ, ପୁଲ୍ ଜି’ର ମଧ୍ୟପ୍ରଦେଶ ଓ ପୁଲ୍ ଏଚ୍’ର ଚଣ୍ଡିଗଡ଼ ପ୍ରମୁଖ ଦଳ ପୂର୍ବରୁ କ୍ବାର୍ଟର ଫାଇନାଲ ସ୍ଥାନ ସୁରକ୍ଷିତ କରିଛନ୍ତି। ବୁଧବାର ନିଜ ନିଜ ଶେଷ ଲିଗ୍ ମ୍ୟାଚ୍କୁ ଜିତି ପୁଲ୍ ଏ’ରୁ ଉତ୍ତରପ୍ରଦେଶ, ପୁଲ୍ ବି’ରୁ ଝାଡ଼ଖଣ୍ଡ, ପୁଲ୍ ଡି’ରୁ ହରିୟାଣା ଏବଂ ପୁଲ୍ ଏଫ୍’ରୁ ଦାଦ୍ରା ନଗର ହାଭେଳୀ ଓ ଡାମନ ଡିଓ କ୍ବାର୍ଟର ଫାଇନାଲ ପ୍ରବେଶ କରିଛନ୍ତି। ଗୁରୁବାର ସମସ୍ତ ୪ଟି କ୍ବାର୍ଟର ଫାଇନାଲ ମ୍ୟାଚ୍ ଖେଳାଯିବ।
ବୁଧବାର ଲିଗ୍ ପର୍ଯ୍ୟାୟର ଶେଷ ୫ଟି ମ୍ୟାଚ୍ ଖେଳାଯାଇଥିଲା। ଉତ୍ତରପ୍ରଦେଶ ଓ କର୍ଣ୍ଣାଟକ ମଧ୍ୟରେ ଖେଳାଯାଇଥିବା ଆଜିର ପ୍ରଥମ ମ୍ୟାଚ୍ ସଂପୂର୍ଣ୍ଣ ଏକତରଫା ହୋଇଥିଲା। ଏଥିରେ ଉତ୍ତରପ୍ରଦେଶ ୫-୦ ଗୋଲ୍ରେ ବିଜୟୀ ହୋଇଛି। ସେହିଭଳି ଦ୍ବିତୀୟ ମ୍ୟାଚ୍ରେ ଝାଡ଼ଖଣ୍ଡ ୬-୧ ଗୋଲରେ ପଶ୍ଚିମବଙ୍ଗକୁ ପରାସ୍ତ କରିଥିବାବେଳେ ହରିୟାଣା ୨୨-୦ ଗୋଲରେ ଗୋଆକୁ, ତାମିଲନାଡ଼ୁ ୭-୦ ଗୋଲରେ ପୁଡ଼ୁଚେରୀକୁ ଏବଂ ଦାଦ୍ରା ନଗର ହାଭେଳୀ ଓ ଡାମନ ଡିଓ ୧୦-୨ ଗୋଲ୍ରେ ଆନ୍ଧ୍ରପ୍ରଦେଶକୁ ପରାସ୍ତ କରିଛି।