ରାଉରକେଲା: ୧୩ତମ ଉପକନିଷ୍ଠ ବାଳକ ଜାତୀୟ ହକି ପ୍ରତିଯୋଗିତାରେ ଓଡ଼ିଶା ଦଳକୁ ନିରାଶ ହେବାକୁ ପଡ଼ିଛି। ଓଡ଼ିଶା ଦଳ ଫାଇନାଲ ମ୍ୟାଚ୍ରେ ଉତ୍ତରପ୍ରଦେଶଠାରୁ ୧-୭ଗୋଲ୍ରେ ପରା ପରାସ୍ତ ହୋଇ ଉପବିଜେତାରେ ସନ୍ତୁଷ୍ଟ ହୋଇଛି। ଅପରପକ୍ଷରେ ଉତ୍ତରପ୍ରଦେଶ କ୍ରମାଗତ ଦ୍ବିତୀୟଥର ପାଇଁ ବିଜେତା ହୋଇଛି। ଓଡ଼ିଶା ଓ ଉତ୍ତରପ୍ରଦେଶ ବିପକ୍ଷ ଫାଇନାଲ ମ୍ୟାଚ୍ ସଂପୂର୍ଣ୍ଣ ଏକତରଫା ହୋଇଥିଲା।
ମ୍ୟାଚ୍ର ପ୍ରଥମ ମିନିଟ୍ରୁ ଉତ୍ତରପ୍ରଦେଶ ଖେଳାଳି ଆକ୍ରମଣ କରିଥିଲେ; ଯାହାକି ଶେଷ ପର୍ଯ୍ୟନ୍ତ ବଳବତ୍ତର ରହିଥିଲା। ବିପକ୍ଷ ଦଳର ଘନଘନ ଆକ୍ରମଣକୁ ଓଡ଼ିଶା ଖେଳାଳି ପ୍ରତିରୋଧ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଥିଲେ। ଲିଗ୍ ପର୍ଯ୍ୟାୟଠାରୁ ଆରମ୍ଭକରି ସେମିଫାଇନାଲ ଯାଏ ଚମତ୍କାର ପ୍ରଦର୍ଶନ କରିଥିବା ଓଡ଼ିଶା ଦଳ କିନ୍ତୁ ଫାଇନାଲ ମ୍ୟାଚ୍ରେ ଆତ୍ମସମର୍ପଣ କରିଦେଇଥିଲା। ମ୍ୟାଚ୍ର ୬ମ ମିନିଟ୍ରେ ଉତ୍ତରପ୍ରଦେଶ ଏକ ପେନାଲ୍ଟି କର୍ଣ୍ଣର୍ ସୁଯୋଗ ପାଇଥିଲା। ଏହାକୁ ହାତଛଡ଼ା କରିନଥିଲେ ଦଳର ଉଜ୍ବଳ ପାଲ। ସଫଳତାର ସହ ଗୋଲ୍ରେ ପରିଣତକରି ଦଳକୁ ୧-୦ ଗୋଲ୍ରେ ଆଗୁଆ କରିଥିଲେ। ଏହାପରେ ଉତ୍ତରପ୍ରଦେଶ ଗୋଟିଏପରେ ଗୋଲ୍ ଦେଇ ଓଡ଼ିଶାକୁ ମ୍ୟାଚ୍ସାରା ଚାପରେ ରଖିଥିଲା। ଉଜ୍ବଳଙ୍କ ହାଟ୍ରିକ୍ ଗୋଲ୍(୬, ୩୮, ୪୭) ଦେଇଥିବାବେଳେ ଅଧିନାୟକ ଅଜିତ ୟାଦବ(୫୪), ରାହୁଲ ୟାଦବ(୩୦), କେତନ କୁଶୱାହ(୩୯), ରାହୁଲ ରାଜଭର(୫୨) ଗୋଟିଏ ଲେଖାଏ ଗୋଲ୍ ଦେଇଥିଲେ। ଓଡ଼ିଶା ପକ୍ଷରୁ ୫୭ତମ ମିନିଟ୍ରେ ଦେଓନାଥ ନାନୱାର ଗୋଟିଏ ପେନାଲ୍ଟି କର୍ଣ୍ଣର୍କୁ ଗୋଲ୍ରେ ପରିବର୍ତ୍ତନ କରି ବ୍ୟବଧାନକୁ ହ୍ରାସ କରିଥିଲେ। ମ୍ୟାଚ୍ରେ ଉତ୍ତରପ୍ରଦେଶ ମୋଟ୍ ୬ଟି ପେନାଲ୍ଟି କର୍ଣ୍ଣର୍ ସୁଯୋଗ ପାଇଥିବାବେଳେ ଏହାର ସଦୁପଯୋଗ କରିଥିଲା। ତେବେ ଓଡ଼ିଶା ୩ଟି ସୁଯୋଗ ପାଇଥିଲେ ମଧ୍ୟ ସବୁତକ ହାତଛଡ଼ା ହୋଇଥିଲା।
/sambad/media/post_attachments/wp-content/uploads/2023/05/19-20.jpg)
ଅପରପକ୍ଷରେ ତୃତୀୟ ସ୍ଥାନ ପାଇଁ ଖେଳାଯାଇଥିବା ହରିୟାଣା ଓ ମଧ୍ୟପ୍ରଦେଶ ମ୍ୟାଚ୍ରେ ଟକ୍କର ଦେଖିବାକୁ ମିଳିଥିଲା। ତେବେ ଶେଷରେ ହରିୟାଣା ୪-୨ ଗୋଲ୍ରେ ବିଜୟୀ ହୋଇଛି। ହରିୟାଣା ପକ୍ଷରୁ ସୁନୀଲ ଦୁଇଟି ଗୋଲ୍(୨୯,୫୧) ଦେଇଥିବାବେଳେ ହାପି(୩୭) ଓ ନୀରଜ(୫୮) ଗୋଟିଏ ଲେଖାଏ ଗୋଲ୍ ଦେଇଥିଲେ। ମଧ୍ୟପ୍ରଦେଶର ତୁଷାର ପରମାର(୧୪) ଓ ଶୁଭନ ଆବିଦ(୨୨) ଗୋଟିଏ ଲେଖାଏ ଗୋଲ୍ ଦେଇ କେବଳ ବ୍ୟବଧାନ ହ୍ରାସ କରିଥିଲେ। ଫାଇନାଲ ମ୍ୟାଚ୍ରେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ଉପଭୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/18-19.jpg)