ଭିଜିଲାନ୍‌ସ ଜାଲରେ କନିଷ୍ଠ କିରାଣି, ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ିବସିଲା ଟିମ୍‌

ଯଶିପୁର/ପଦ୍ମପୁର : ଜମିପଟ୍ଟା କରାଇ ଦେବାକୁ କହି ଲ‌ାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ମୟୂରଭଞ୍ଜ ଜିଲ୍ଲା ଯଶିପୁର ତହସିଲ୍ କାର୍ଯ୍ୟାଳୟର କନିଷ୍ଠ କିରାଣି ଭାର୍ଗବ ମହାକୁଡ଼।

ଜମିପଟ୍ଟା କରାଇ ଦେବାକୁ କହି କନିଷ୍ଠ କିରାଣି ଶ୍ରୀ ମହାକୁଡ଼ ଯଶିପୁର ଥାନା କାଳିଆଣି ଗ୍ରାମର ଭୀଷ୍ମଚରଣ ହେମ୍ବ୍ରମଙ୍କଠାରୁ ଅଗ୍ରିମ ଆକାରରେ ୧୫ ହଜାର ଟଙ୍କା ନେଇଥିଲେ। ସାତ ମାସ ବିତି ଯାଇଥିଲେ ମଧ୍ୟ କିଛି କାମ କରି ନଥିଲେ। ପଟ୍ଟା ବାବଦରେ ଭୀଷ୍ମଚରଣ ପଚାରିବାରୁ ଶ୍ରୀ ମହାକୁଡ଼ ଆଉ ୪୦ ହଜାର ଟଙ୍କା ଦାବି କରିଥିଲେ। ନିରୁପାୟ ହୋଇ ଭୀଷ୍ମଚରଣ କେନ୍ଦୁଝର ଭିଜିଲାନ୍‌ସ ବିଭାଗ ସହ ଯୋଗାଯୋଗ କରିଥିଲେ।

ଯୋଜନା ଅନୁସାରେ; ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଭୀଷ୍ମଚରଣ ଯଶିପୁର ତହସିଲ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଶ୍ରୀ ମହାକୁଡ଼ଙ୍କୁ କାର୍ଯ୍ୟାଳୟ ବାହାରକୁ ଡାକି ୪୦ ହଜାର ଟଙ୍କା ଦେଇଥିଲେ। ଶ୍ରୀ ମହାକୁଡ଼ ଟଙ୍କା ନେଉଥିବା ସମୟରେ ପୂର୍ବରୁ ଜଗି ରହିଥିବା ଭିଜିଲାନ୍‌ସ ଟିମ୍‌ ତାଙ୍କୁ କାବୁ କରିଥିଲା। ଶ୍ରୀ ମହାକୁଡ଼ଙ୍କୁ ଗିରଫ କରାଯାଇ ବାରିପଦା ଭିଜିଲାନ୍‌ସ କାର୍ଯ୍ୟାଳୟକୁ ଅଣାଯାଇଛି। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ। ଏନେଇ ୩୪/୨୨ରେ ଏକ ମାମଲା ରୁଜୁ ହୋଇଛି। ବାଲେଶ୍ୱର ଭିଜିଲାନ୍‌ସ ଡିଏସ୍‌ପି ସିକନ୍ଦର ହେମ୍ବ୍ରମ, କେନ୍ଦୁଝର ଡିଏସ୍‌ପି ଦୈତାରି ଘଡ଼େଇ, ଭିଜିଲାନ୍‌ସ ଇନ୍‌ସପେକ୍ଟର ହେମାମାଳିନୀ ନାୟକ ପ୍ରମୁଖ ଚଢ଼ାଉରେ ସାମିଲ ଥିଲେ।

ସମ୍ବନ୍ଧିତ ଖବର