ଟାଙ୍ଗୀ (ଖୋର୍ଧା): ଶିକ୍ଷା ବିଭାଗର ନିର୍ଦେଶନାମାକୁ ବାରମ୍ବାର ଉଲ୍ଲଙ୍ଘନ କରୁଥିବା ଦୁର୍ଗାଚରଣ ଚିଲିକା ଜୁନିୟର୍‌ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରସନ୍ନ କୁମାର ଶତପଥୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବାରମ୍ବାର ନିର୍ଦେଶ, ତାଗିଦା ପରେ ମଧ୍ୟ ନୂତନ ଡିଗ୍ରି ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଦାୟିତ୍ୱ ହସ୍ତାନ୍ତର କରୁନଥିବାରୁ ତାଙ୍କ ନିକଟରୁ ଡିଗ୍ରି ମହାବିଦ୍ୟାଳୟର ଆର୍ଥିକ କ୍ଷମତା ଅପସାରଣ କରି ନିଆଯାଇଛି। ଏନେଇ ଆଞ୍ଚଳିକ ଶିକ୍ଷା ନିର୍ଦେଶାଳୟର ଯୁଗ୍ମ ନିର୍ଦେଶକ ଟାଙ୍ଗୀସ୍ଥିତ ୟୁକୋ ବ୍ୟାଙ୍କ ଶାଖା ପରିଚାଳକଙ୍କୁ ପତ୍ରାଙ୍କ ସଂଖ୍ୟା ୧୫୬୩୦, ତା ୧/୧୧/୧୭ରେ ଡିଗ୍ରି ମହାବିଦ୍ୟାଳୟ ଅଧ୍ୟକ୍ଷ ସୁଶାନ୍ତ କୁମାର ଶତପଥୀଙ୍କୁ ଆର୍ଥିକ ଦେଣନେଣ କ୍ଷମତା ଦିଆଗଲା ବୋଲି ଲିଖିତ ଭାବେ ଜଣାଇଛନ୍ତି। ଏହି ପତ୍ରାଙ୍କର ନକଲ ଡିଗ୍ରି ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ଶତପଥୀ ଏବଂ ଆଞ୍ଚଳିକ ଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କୁ ପ୍ରଦାନ କରାଯାଇଥିବା ଜଣାପଡ଼ିଛି।

Advertisment

ଉଲ୍ଲେଖଯୋଗ୍ୟ, ଦୁର୍ଗାଚରଣ ଚିଲିକା ଜୁନିୟର୍‌ ମହାବିଦ୍ୟାଳୟରୁ ଡିଗ୍ରି ମହାବିଦ୍ୟାଳୟ ଅଲଗା ହେବା ଓ ନୂତନ ଡିଗ୍ରି କଲେଜର ଅଧ୍ୟକ୍ଷ ଭାବେ ସୁଶାନ୍ତ କୁମାର ଶତପଥୀଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯିବା ପାଇଁ ଆଞ୍ଚଳିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ନିର୍ଦେଶ ଦିଆଯାଇଥିଲା। କିନ୍ତୁ ଜୁନିୟର୍‌ କଲେଜ ଅଧ୍ୟକ୍ଷ ପ୍ରସନ୍ନ କୁମାର ଶତପଥୀ ଡିଗ୍ରି କଲେଜ ଅଧ୍ୟକ୍ଷଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବାରେ ଟାଳଟୁଳ ନୀତି ଅବଲମ୍ବନ କରି ସମୟ ଗଡ଼ାଇ ଚାଲିବାରୁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଭୁବନେଶ୍ୱର ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।