ଭିମସାରରେ କନିଷ୍ଠ ଡାକ୍ତରଙ୍କ ଆନ୍ଦୋଳନ ଜାରି : ଜେଡିଏ ପାଇଁ ବଦଳିଲା ନିଷ୍ପତ୍ତି

ସମ୍ବଲପୁର ବିଶ୍ବବିଦ୍ୟାଳୟରେ ହେବ ପରୀକ୍ଷା, ନୂତନ ଡାକ୍ତରଙ୍କୁ ନିଯୁକ୍ତି ନେଇ ସରକାରଙ୍କୁ ଅନୁରୋଧ, ଆନ୍ଦୋଳନ ପ୍ରତ୍ୟାହାର କରିବେନି ଆଉଟସୋର୍ସିଂ କର୍ମଚାରୀ

ସମ୍ବଲପୁର: ଭିମସାରରେ କନିଷ୍ଠ ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ ରୋଗୀସେବା ମଧ୍ୟ ପୂର୍ବଭଳି ବାଧାପ୍ରାପ୍ତ ହେଉଛି। ସେପଟେ ପିଜି ଛାତ୍ରଙ୍କ ଆନ୍ଦୋଳନର ମୁଖ୍ୟ କାରଣ କୁହା ଯାଉଥିବା ପରୀକ୍ଷା ପ୍ରସଂଗରେ କର୍ତ୍ତୃପକ୍ଷ କୋହଳ ମନୋଭାବ ପୋଷଣ କରିଛନ୍ତି। କନିଷ୍ଠ ଡାକ୍ତରଙ୍କ ଆନ୍ଦୋଳନକୁ ପ୍ରଶମିତ କରିବା ପାଇଁ ଭିମ୍‌ସାର ପରିବର୍ତ୍ତେ ପୂର୍ବ ଭଳି ସମ୍ବଲପୁର ବିଶ୍ବବିଦ୍ୟାଳୟ ଦ୍ବାରା ପିଜି ପରୀକ୍ଷା କରାଇବାକୁ ଏକ ପ୍ରକାର ନିଷ୍ପତ୍ତି ହୋଇଛି।

ଏନେଇ ଗୁରୁବାର ଭିମସାର ପରିସରରେ ନିର୍ଦେଶକ ଅଶ୍ବିନୀ ପୂଜାହାରୀଙ୍କ ଅଧ୍ୟକ୍ଷତାରେ ଅଧ୍ୟକ୍ଷ ପ୍ର. ବ୍ରଜମୋହନ ମିଶ୍ର, ଅଧୀକ୍ଷକ ପ୍ର. ଜୟଶ୍ରୀ ଦୋରା ତଥା ସମସ୍ତ ବିଭାଗୀୟ ମୁଖ୍ୟଙ୍କର ଏକ ବୈଠକ ହୋଇଥିଲା। ପରୀକ୍ଷା ସ୍ଥାନ ହିଁ କନିଷ୍ଠ ଡାକ୍ତରଙ୍କ ଆନ୍ଦୋଳନର ମୁଖ୍ୟ କାରଣ ବୋଲି ବୈଠକରେ ଚର୍ଚ୍ଚା ହୋଇଥିଲା। ଜେଡିଏ ଆନ୍ଦୋଳନ ପ୍ରତ୍ୟାହାର କଲେ ପରୀକ୍ଷା ଭିମସାର ପରିବର୍ତ୍ତେ ପୂର୍ବ ଭଳି ସମ୍ବଲପୁର ବିଶ୍ବବିଦ୍ୟାଳୟ ଜରିଆରେ କରାଯିବାକୁ ପ୍ରଫେସରମାନେ ଦେଇଥିବା ପ୍ରସ୍ତାବରେ ନିର୍ଦ୍ଦେଶକ ରାଜି ହୋଇଥିଲେ। ଏହି ନିଷ୍ପତ୍ତି ସମ୍ପର୍କରେ ଜେଡିଏକୁ ସୂଚନା ପ୍ରଦାନ ଓ ଆଲୋଚନା କରିବାକୁ ଇଏନଟି ବିଭାଗର ମୁଖ୍ୟ ଡା. ଏ ପଟ୍ଟନାୟକ ଓ ଡିନ୍‌ଙ୍କୁ ଦାୟିତ୍ବ ଦିଆଯାଇଛି। ଆନ୍ଦୋଳନରେ ସାମିଲ ହୋଇଥିବା ୟୁଜି ଛାତ୍ରଛାତ୍ରୀଙ୍କୁ ଶ୍ରେଣୀରେ ଯୋଗ ଦେବାକୁ ଚେତାବନୀ ଦେବା ନିମନ୍ତେ ବୈଠକରେ ସ୍ଥିର ହୋଇଥିଲା। ଯେଉଁ ବରିଷ୍ଠ ଆବାସିକ ଡାକ୍ତର ମାନେ ନୂଆ କରି ସ୍ବାସ୍ଥ୍ୟ ବିଭାଗରେ ଯୋଗ ଦେଇଛନ୍ତି କିନ୍ତୁ ସେମାନଙ୍କ ପୋଷ୍ଟିଂ ହୋଇ ନାହିଁ, ସେମାନଙ୍କୁ ଅସ୍ଥାୟୀଭାବେ ଭିମସାର ପଠାଇବାକୁ ସରକାରଙ୍କୁ ଅନୁରୋଧ କରିବା ପାଇଁ ସ୍ଥିର ହୋଇଥିଲା।

ଏ ସଂପର୍କରେ ଜେଡିଏର ପ୍ରତିକ୍ରିୟା ମିଳି ନଥିବାବେଳେ ୟୁଜି ସଭାପତି ଦେବକୀ ନନ୍ଦନ ସେନାପତି କହିଛନ୍ତି ଯେ ପରୀକ୍ଷାକୁ ନେଇ ସେମାନଙ୍କର କୌଣସି ଦାବି ନଥିଲା। ତେଣୁ ଏଭଳି କିଛି ନିଷ୍ପତ୍ତି ହେଲେ ବି ଆନ୍ଦୋଳନରୁ ଓହରିବାର ପ୍ରଶ୍ନ ଉଠୁନାହିଁ। ଅପରପକ୍ଷେ, ଗୁରୁବାର ସକାଳୁ ସମ୍ବଲପୁର ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀ ଧାରଣାସ୍ଥଳରେ ପହଞ୍ଚି କନିଷ୍ଠ ଡାକ୍ତରଙ୍କୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ବୁଝାଇଥିଲେ। ଗୋଟିଏ ପଟେ, ଭିମସାରର ମୁଖ୍ୟ ଅଙ୍ଗ କୁହା ଯାଉଥିବା ୩ ଶହରୁ ଊର୍ଦ୍ଧ୍ବ ଆଉଟସୋର୍ସିଂ କର୍ମଚାରୀ ୩ ଦିନ ହେବ ଧାରଣାରେ ବସିଥିବା ବେଳେ ଅନ୍ୟପଟେ, ଭିମସାର କର୍ତ୍ତୃପକ୍ଷ ଗୁରୁବାର ୩ଶହ ବାହାର ଲୋକଙ୍କୁ ଉକ୍ତ କାର୍ଯ୍ୟରେ ଲଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର