ସୁନ୍ଦରଗଡ଼/ବଡ଼ଗାଁ: ଜଣେ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରାଇଦେବା ପାଇଁ ଲାଞ୍ଚ ନେବାବେଳେ ସୁନ୍ଦରଗଡ଼ ଭିଜିଲାନ୍ସ ବିଭାଗ ଟାଟାପାୱାର ବଡ଼ଗାଁ ସେକ୍ସନରେ କାର୍ଯ୍ୟରତ ଜଣେ କନିଷ୍ଠଯନ୍ତ୍ରୀଙ୍କୁ କାବୁ କରିଛି। ତାଙ୍କ ନିକଟରୁ ରାସାୟନିକ ପ୍ରଲେପବୋଳା ଟଙ୍କା ଜବତ କରାଯାଇଛି। ଅଭିଯୁକ୍ତ ହେଉଛନ୍ତି କନିଷ୍ଠଯନ୍ତ୍ରୀ ଇଂ ରଞ୍ଜନ ଦାସ। ସୂଚନା ଅନୁସାରେ, ପ୍ରବୀଣ କୁଲୁ ବଡ଼ଗାଁ ଟାଟା ପାୱାର ଅଫିସରେ ଅସ୍ଥାୟୀ ହେଲ୍‌ପର ଭାବେ କାମ କରନ୍ତି। ତାଙ୍କୁ ସ୍ଥାୟୀ କରାଇଦେବା ପାଇଁ ସେ ଇଂ ଦାସଙ୍କୁ ବାରମ୍ବାର ଅନୁ​ରୋଧ କରିଥିଲେ। ଟଙ୍କାଦେଲେ ତାଙ୍କୁ ସ୍ଥାୟୀ କରାଇଦେବେ ବୋଲି ଇଂ ଦାସ କହିବାରୁ ଉଭୟଙ୍କ ମଧ୍ୟରେ ୩୦ ହଜାରରେ କଥା ଛିଣ୍ଡିଥିଲା।

Advertisment

ଏହାପରେ ଲାଞ୍ଚୁଆବାବୁଙ୍କୁ ଧରା ପକାଇବା ପାଇଁ ପ୍ରବୀଣ ସୁନ୍ଦରଗଡ଼ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଭାରପ୍ରାପ୍ତ ଡିଏସ୍‌ପି ଦୈତ୍ୟାରି ଘଡ଼େଇଙ୍କ ନେତୃତ୍ବରେ ଏକ ଟିମ୍‌ ପ୍ରସ୍ତୁତ ହୋଇ ଇଂ ଦାସଙ୍କୁ ଧରିବାକୁ ଜାଲ ବିଛାଇଥିଲେ। ଇଂ ଦାସଙ୍କୁ ଦେବା ପାଇଁ ରାସାୟନିକ ପ୍ରଲେପବୋଳା ୩୦ ହଜାର ଟଙ୍କା ପ୍ରବୀଣଙ୍କୁ ଦିଆଯାଇଥିଲା। ଆଜି ସକାଳେ ଟଙ୍କା ନେଣଦେଣ ପାଇଁ କଥାବାର୍ତ୍ତା ହୋଇଥିଲେ ମଧ୍ୟ ଇଂ ଦାସ ଅଫିସରେ ଟଙ୍କା ନେଇ ନଥିଲେ। ତେଣୁ ସକାଳଠାରୁ ଛକିଥିବା ଭିଜିଲାନ୍ସ ନିରାଶ ହୋଇଥିଲା। ପରେ ପ୍ରବୀଣ ଓ ଇଂ ଦାସଙ୍କ ମଧ୍ୟରେ ସଂଧ୍ୟା​ରେ ବଡ଼ଗାଁ ବସ୍‌ଷ୍ଟାଣ୍ଡରେ ଟଙ୍କା ଦେବାନେବା ସ୍ଥିର ହୋଇଥିଲା। ବସ୍‌ଷ୍ଟାଣ୍ଡରେ ଏକ ଚା’ ଦୋକାନରେ ବସିଥିବାବେଳେ ପ୍ରବୀଣ ତାଙ୍କୁ ଟଙ୍କା ଦେଇଥିଲେ। ଏହାପରେ ଭିଜିଲାନ୍‌ସ ତାଙ୍କୁ କାବୁ କରି​ନେଇଥିଲା। ତାଙ୍କ ନିକଟରୁ ରାସାୟନିକ ପ୍ରଲେପବୋଳା ୩୦ ହଜାର ଟଙ୍କା ଜବତ କରାଯାଇଛି। ଏ ନେଇ ରାଉରକେଲା ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି।