ହିନ୍ଦୋଳ: ୪୦ହଜାର ଟଙ୍କାର ବିଲ୍ ପାଇଁ ୧୫ଶହ ଟଙ୍କାର ଲାଞ୍ଚ। ହିତାଧିକାରୀଙ୍କଠାରୁ ଦାବି କରୁଥିଲେ କନିଷ୍ଠ ଯନ୍ତ୍ରୀ। ଟଙ୍କା ନେଲା ବେଳେ ଧରିଲା ଭିଜିଲାନ୍ସ। ବର୍ତ୍ତମାନ ଭିଜିଲାନ୍ସ ସପ୍ତାହ ଚାଲିଥିବା ବେଳେ ଅନୁଗୁଳ ଭିଜିଲାନ୍ସ ଟିମ୍ ଆଜି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ୍ଏସିର କନିଷ୍ଠ ଯନ୍ତ୍ରୀ ରଶ୍ମୀରଞ୍ଜନ ବେହେରାଙ୍କୁ ଲାଞ୍ଚ କାରବାର ଅଭିଯୋଗରେ ଗିରଫ କରିଛି। ରଶ୍ମିରଞ୍ଜନଙ୍କ ଢେଙ୍କାନାଳ ସାମନ୍ତରାପୁର ଓ ଯୋରନ୍ଦା ବାସଭବନରେ ମଧ୍ୟ ଭିଜିଲାନ୍ସ ଚଢ଼ଉ ହୋଇଥିବା ଜଣାପଡ଼ିଛି।
ଭିଜିଲାନ୍ସ ବିଭାଗ ତଥ୍ୟ ମୁତାବକ, ହିନ୍ଦୋଳ ଏନ୍ଏସି ୱାର୍ଡ ନମ୍ବର-୬ ଶରଧାପୁରର ଶାନ୍ତିଲତା ବେହେରାଙ୍କ ନାମରେ ଏକ ସହରାଞ୍ଚଳ ଯୋଜନାରେ ଏକ ପ୍ରଧାନମନ୍ତ୍ରୀ ଆବାସ କରିବା ପାଇଁ ୨୦୧୯ ମସିହାରେ କାର୍ଯ୍ୟାଦେଶ ମିଳିଥିଲା। କାର୍ଯ୍ୟାଦେଶ କ୍ରମେ ସେ ଗଲା ଛଅ ମାସ ତଳୁ ଘର ତିଆରି କରି ସାରିଛନ୍ତି। କିନ୍ତୁ, ଶେଷ କିସ୍ତି ବାବଦକୁ ସେ ୪୦ହଜାର ଟଙ୍କା ପାଇନଥିଲେ। ସେହି ଟଙ୍କା ପାଇବା ପାଇଁ ଶାନ୍ତିଲତାଙ୍କ ପୁଅ ମାନସ ବେହେରା କନିଷ୍ଠ ଯନ୍ତ୍ରୀଙ୍କ ପାଖକୁ ବାରମ୍ବାର ଦୌଡ଼ିଥିଲେ। କିନ୍ତୁ, ଟଙ୍କା ନ ଦେଲେ ବିଲ୍ କରିବେ ନାହିଁ ବୋଲି ତାଙ୍କୁ କୁହାଯାଇଥିଲା। ୪୦ହଜାର ଟଙ୍କାର ବିଲ୍ ପାଇଁ ତାଙ୍କୁ କୁଆଡ଼େ ଦେଢ଼ ହଜାର ଟଙ୍କାର ଲାଞ୍ଚ ମଗାଯାଉଥିଲା ବୋଲି ମାନସ ଭିଜିଲାନ୍ସ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ମାନସଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଡିଏସ୍ପି ଏସ୍.କେ. ମହାନ୍ତିଙ୍କ ନେତୃତ୍ବରେ ଇନିସ୍ପେକ୍ଟର ପି.କେ. ସାମଲ, ଏସ୍ଆଇ ସିଦ୍ଧାର୍ଥ ରାଉତ ପ୍ରମୁଖ ଚଢ଼ଉ କରି କନିଷ୍ଠ ଯନ୍ତ୍ରୀଙ୍କୁ ଧରପଗଡ଼ କରିଛନ୍ତି। ତାଙ୍କୁ ଗିରଫ କରାଯାଇଛି ବୋଲି ଇନିସ୍ପେକ୍ଟର ଶ୍ରୀ ସାମଲ ‘ସମ୍ବାଦ’କୁ କହିଛନ୍ତି।