ମୋ ଗାଁ ମୋ ବିକାଶ ଯୋଜନାରେ ହେରାଫେରି : କାଗଜପତ୍ର ଜାଲିଆତି କରି କନିଷ୍ଠ ଯନ୍ତ୍ରୀ, କିରାଣି ନିଲମ୍ବିତ

ବରୀ : ସରକାରୀ କାର୍ଯ୍ୟରେ ଅବହେଳା ଓ ସରକାରୀ ରେକର୍ଡପତ୍ର ଜାଲିଆତି ପାଇଁ ବରୀ ବ୍ଲକର ଜଣେ କିରାଣି ଓ କନିଷ୍ଠ ଯନ୍ତ୍ରୀଙ୍କୁ ଆଜି ଯାଜପୁର ଜିଲ୍ଲାପାଳ ନିଲମ୍ବିତ କରିଛନ୍ତି। ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୩୮୩୩ ରେ ବରୀ ବ୍ଲକର କନିଷ୍ଠ ଯନ୍ତ୍ରୀ ରାଜେନ୍ଦ୍ର କୁମାର ଦାସ ଏବଂ ପତ୍ର ସଂଖ୍ୟା ୩୮୨୯ରେ ବରୀ ବ୍ଲକର ଏସ୍‌ଆରଏ ଥିବା କିରାଣି ଶମ୍ଭୁନାଥ ବେହେରାଙ୍କୁ ନିଲମ୍ବିତ କରାଯାଇଛି। କନିଷ୍ଠ ଯନ୍ତ୍ରୀଙ୍କ ହେଡକ୍ବାର୍ଟର ଯାଜପୁର ଡିଆରଡିଏକୁ କରାଯାଇଥିବା ବେଳେ ଶ୍ରୀ ବେହେରାଙ୍କ ହେଡ୍ କ୍ବାର୍ଟର ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କରାଯାଇଛି।

ବରୀ ବ୍ଲକ ମହାକାଳପଡ଼ା ପଞ୍ଚାୟତରେ ଆମ ଗାଁ ଆମ ବିକାଶ ଯୋଜନାରେ ଏକ ନୂତନ ଗୃହ ନିର୍ମାଣ ପାଇଁ ବିଭାଗୀୟ କାର୍ଯ୍ୟାଦେଶ ରହିଥିଲା। ସେହି କାର୍ଯ୍ୟାଦେଶ ବଳରେ ସ୍ଥାନ ନିରୂପଣ କରିବା ପାଇଁ ତହସିଲଦାରଙ୍କୁ ପତ୍ର ଯାଇଥିବାବେଳେ ଏକ ସରକାରୀ ସ୍ଥାନ ଚିହ୍ନଟ କରାଯାଇ ଅନୁମତି ପ୍ରଦାନ କରାଯାଇଥିଲା। ଯାହାର ଟ୍ରେସ୍ ମ୍ୟାପ୍, ଜମିଜମାର କାଗଜପତ୍ର ସହିତ ଏକ ଫରୱାଡିଂ ଲେଟର ମଧ୍ୟ ଉକ୍ତ କେସ୍‌ ରେକର୍ଡରେ ସଂଯୋଗ କରାଯାଇ ବ୍ଲକରେ ରହିଥିଲା। ଉକ୍ତ କାମକୁ ବିଭାଗୀୟ ତଦାରଖ ମଧ୍ୟରେ ଜଣେ ଶାସକ ଦଳର କର୍ମୀ ନିର୍ମାଣ ଆରମ୍ଭ କରିଥିଲେ। ସେହି ପରିପ୍ରେକ୍ଷୀରେ ବିରୋଧୀ ଦଳ ପକ୍ଷରୁ ଅନ୍ୟ ଏକ ସ୍ଥାନରେ ଆଉ ଏକ ଗୃହ ନିର୍ମାଣ କରିବା ସହିତ ବିଲ କରାଇନେବାକୁ ଚାପ ସୃଷ୍ଟି କରାଯାଇଥିଲା। ଏହି ଅବସରରେ ପ୍ରଥମ ପ୍ରସ୍ତୁତ ହୋଇଥିବା ରେକର୍ଡ ଫାଇଲରେ ଥିବା ତହସିଲଦାରଙ୍କ ପ୍ରଦତ୍ତ ଜମିଜମା କାଗଜପତ୍ରକୁ ଉଡ଼ାଇ ଦିଆଯାଇଥିଲା। ଏପରିକି ରେକର୍ଡକୁ ଗାଏବ୍ କରିବାକୁ ମଧ୍ୟ ଉଦ୍ୟମ କରାଯାଇଥିବା ‌ବେଳେ ରେକର୍ଡ ମିଳୁନାହିଁ ବୋଲି ମଧ୍ୟ ବିଡ଼ିଓଙ୍କୁ ସଂପୃକ୍ତ କନିଷ୍ଠ ଯନ୍ତ୍ରୀ ଉତ୍ତର ରଖିଥିଲେ। ୨/୩ ଦିନ ପରେ ସେହି ରେକର୍ଡରେ ବିରୋଧୀ ଦଳ କର୍ମୀଙ୍କ ପକ୍ଷରୁ ନିର୍ମାଣ କରାଯାଇଥିବା ଗୃହର ବିଲ କରି ବିଡ଼ିଓଙ୍କୁ ପ୍ରଦାନ କରିଥିଲେ। ସଂଯୋଗବଶତଃ ଉକ୍ତ ରେକର୍ଡରୁ ତହସିଲଦାରଙ୍କ ଅନ୍ୟାନ୍ୟ ଜମିଜମା କାଗଜପତ୍ର ବାହାର କରିନେଇଥିଲା ବେଳେ କେବଳ ଫରୱାର୍ଡିଂ ଚିଠିଟି ରହିଯାଇଥିଲା। ଯାହାକୁ ନେଇ ସରକାରୀ ରେକର୍ଡପତ୍ରରେ ହେରାଫେରି କରାଯାଇଥିବାର ପ୍ରମାଣ ଆସିବା ପରେ ଏପରି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର