ଭିଜିଲାନ୍ସ ପଞ୍ଝାରେ କନିଷ୍ଠ ଯନ୍ତ୍ରୀ, ‘ମୋ ଗୁହାଳ’ ପାଇଁ ୭ ହଜାର ଲାଞ୍ଚ

ବେଗୁନିଆପଡ଼ା : ‘ମୋ ଗୁହାଳ’ ଯୋଜନାରେ ନିର୍ମିତ ଗୁହାଳ ଘରର ବକେୟା ଟଙ୍କା ପାଇଁ ୭ ହଜାର ଲାଞ୍ଚ ନେଉଥିବାବେଳେ ଜଣେ କନିଷ୍ଠ ଯନ୍ତ୍ରୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। କନିଷ୍ଠ ଯନ୍ତ୍ରୀ ହେଉଛନ୍ତି ସୁଧାଂଶୁ ଶେଖର ମଲ୍ଲିକ, ଯିଏ କି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍‌ରେ କାର୍ଯ୍ୟ କରୁଛନ୍ତି।

ଭିଜିଲାନ୍ସ ସୂତ୍ରରୁ ହସ୍ତଗତ ଖବର ଅନୁସାରେ, କନିଷ୍ଠ ଯନ୍ତ୍ରୀ ଶ୍ରୀ ମଲ୍ଲିକ ଗୁହାଳ ଘରର ‌ବକେୟା ଟଙ୍କା ପାଇଁ ଜଣେ ହିତାଧିକାରୀଙ୍କ ଠାରୁ ଅର୍ଥ ଦାବି କରି ଆସୁଥିଲେ। କୌଣସି ଉପାୟ ନ ପାଇ ହିତାଧିକାରୀ ଜଣକ ବ୍ରହ୍ମପୁର ଭିଜିଲାନ୍ସ ବିଭାଗର ସାହାଯ୍ୟ ନେଇଥିଲେ। ଆଜି ଯନ୍ତ୍ରୀ ଶ୍ରୀ ମଲ୍ଲିକ ହିତାଧିକାରୀଙ୍କ ନିକଟରୁ ଟଙ୍କା ଗ୍ରହଣ କରୁଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ଅଧିକାରୀ ତାଙ୍କୁ କାବୁ କରିବା ସହ ଲାଞ୍ଚ ବାବଦ ୭ ହଜାର ଟଙ୍କା ଜବତ କରିଥିଲେ। ଏ ନେଇ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ କେସ୍‌ ନଂ. ୧୬/୨୦୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି।

ସୂଚନାଯୋଗ୍ୟ ଯେ, ୧୫ ଦିନ ପୂର୍ବରୁ କେ.ବାରିଡ଼ା ରାଜସ୍ବ ନିରୀକ୍ଷକ ବାଲି ଟ୍ରକ୍‌ ଛାଡ଼ିବା ପାଇଁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଥିଲେ। ଆଜି ପୁଣି ବ୍ଲକ୍‌ର କନିଷ୍ଠଯନ୍ତ୍ରୀ ଶ୍ରୀ ମଲ୍ଲିକ ଲାଞ୍ଚନେଇ ଧରାପଡ଼ିଛନ୍ତି। ଏହି ଘଟଣା ପରେ ବ୍ଲକ୍‌ରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ମଧ୍ୟରେ ଛନକା ପଶିଯାଇଛି।

ସମ୍ବନ୍ଧିତ ଖବର