ବଲାଙ୍ଗୀର/ଦେଓଗାଁ : ଜଣେ ଗୋପାଳକଙ୍କ ଗୁହାଳ ବିଲ୍ କରିବାକୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ୍ର କନିଷ୍ଠ ଯନ୍ତ୍ରୀ କୃଷ୍ଣପ୍ରିୟା ମଣ୍ଡଳ। କୃଷ୍ଣପ୍ରିୟ ଦେଓଗାଁ ବ୍ଲକ୍ରେ କାର୍ଯ୍ୟରତ ଥିବା ବେଳେ ସେ ବଲାଙ୍ଗୀର ଦଶମତୀନଗରରେ ଏକ ଭଡ଼ାଘରେ ରହୁଥିଲେ। ବଲାଙ୍ଗୀରସ୍ଥିତ ତାଙ୍କ ବାସଭବନରେ ସେ ଲାଞ୍ଚ ନେବା ପରେ ଭିଜିଲାନ୍ସ ଟିମ୍ ଚଢ଼ଉ କରି ଧରିଥିଲା।
ଭିଜିଲାନ୍ସର ସୂଚନା ମୁତାବକ, ଦେଓଗାଁ ବ୍ଲକ୍ ସିକୁଆଁ ଗାଁର ଲିଙ୍ଗରାଜ ସାହୁ ମନ୍ରେଗାରେ ଗୁହାଳଟିଏ ପାଇଥିଲେ। ଗୁହାଳ କରିବା ପରେ ସେ ସବୁ କାଗଜପତ୍ର ବ୍ଲକ୍ ଅଫିସରେ ଦାଖଲ କରିଥିଲେ। କିନ୍ତୁ ତାଙ୍କ ବିଲ୍ ଜେଇ କରୁନଥିଲେ। ଫାଇଲ ତାଙ୍କ ପାଖରେ ରହିଥିଲା। ବହୁବାର ଦୌଡ଼ିବା ପରେ ବି ସେ ନିରାଶ ହୋଇଥିଲେ। ଶେଷରେ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଶନିବାର ଲିଙ୍ଗରାଜ ଯାଇ ଲାଞ୍ଚ ଦେବା ପରେ ଭିଜିଲାନ୍ସ ଟିମ୍ ଯୋଜନା ମୁତାବକ ଚଢ଼ଉ କରିଥିଲା। ଲିଙ୍ଗରାଜ ଗୁହାଳ ବାବଦକୁ ୬୬ ହଜାର ଟଙ୍କା ପାଇବାର ଥିଲା। ଭିଜିଲାନ୍ସ ଟିମ୍ ଜେଇଙ୍କ ଘରୁ ନଗଦ ୪୬ ହଜାର ଟଙ୍କା ଜବତ କରିଛି। ଏହାସହ ତଦନ୍ତ ଜାରି ରଖିଛି। ସମ୍ବଲପୁର, ସୋନପୁର ଓ ବଲାଙ୍ଗୀର ଭିଜିଲାନ୍ସ ଟିମ୍ ମିଳିତ ଭାବରେ ଏହି ଚଢ଼ଉ କରିଥିଲେ। ସୂଚନାଯୋଗ୍ୟ ଯେ ଗତ ପାଞ୍ଚ ମାସ ତଳେ ଦେଓଗାଁ ବ୍ଲକ୍ର ଜଣେ କନିଷ୍ଠ ଯନ୍ତ୍ରୀ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ।