କଟକ : କଟକ ଜିଲ୍ଲା ବଡ଼ମ୍ବା ବ୍ଲକ୍ର କନିଷ୍ଠ ଯନ୍ତ୍ରୀ ବାଉରୀବନ୍ଧୁ ପରିଡ଼ା ଆଜି ମନରେଗା ମଷ୍ଟର୍ରୋଲ୍ ପାସ୍ କରିବାକୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।
ସୂଚନା ଅନୁସାରେ, ଶ୍ରୀ ପରିଡ଼ା ତାଙ୍କ ସରକାରୀ କ୍ବାର୍ଟର୍ରେ ମଷ୍ଟର୍ରୋଲ୍ ପାସ୍ କରିବାକୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ କାବୁ କରିଥିଲା। ଭିଜିଲାନ୍ସ ଟିମ୍ ଘଟଣାସ୍ଥଳରୁ ଲାଞ୍ଚ ବାବଦ ଟଙ୍କା ଜବତ କରିଥିଲେ। ଏହାପରେ ଭିଜିଲାନ୍ସର ଦୁଇଟି ଟିମ୍ ବଡ଼ମ୍ବାସ୍ଥିତ ତାଙ୍କ ସରକାରୀ କ୍ବାର୍ଟର୍ ଓ କଟକ ବାଲିକୁଦା ଗୋପାଳପୁରସ୍ଥିତ ଘରେ ଚଢ଼ଉ କରିଥିଲେ। ତାଙ୍କ ବାଲିକୁଦା ଘରୁ ୩ଲକ୍ଷ ନଗଦ ଟଙ୍କା ଜବତ କରାଯାଇଥିଲା। ସେହିଭଳି ୨ଲକ୍ଷ ଟଙ୍କା ମୂଲ୍ୟର ଦୁଇଟି କାର୍ ଓ ୩୦ ଲକ୍ଷ ଟଙ୍କାର ଏକ ଜମି କବଲା ଜବତ କରାଯାଇଥିବା ଜଣାପଡ଼ିଛି। ଏହି ଘଟଣାରେ ଭିଜିଲାନ୍ସ ଏକ ମାମଲା (ପିଏସ୍ କେସ୍ ନମ୍ବର-୬) ରୁଜୁ କରି ଅଧିକ ଅନୁସନ୍ଧାନ ଜାରି ରହିଛି।
ସୂଚନାଯୋଗ୍ୟ, ଶ୍ରୀ ପରିଡା ମୁଗଗହିର ପଞ୍ଚାୟତରେ ମନରେଗା କାମର ମାଷ୍ଟର୍ରୋଲ୍ ପାସ୍ କରାଇବାକୁ ଲାଞ୍ଚ ମାଗିଥିଲେ।