ବାହାନଗା/ବାଲେଶ୍ୱର: ବାହାନଗା ବ୍ଲକ୍‌ ଅଫିସ୍‌ରେ ଜଣେ କନିଷ୍ଠଯନ୍ତ୍ରୀ ନିଶାସକ୍ତ ହୋଇ ଫୁଙ୍ଗୁଳା ଦେହରେ ବସୁଛନ୍ତି। କେହି କିଛି ପଚାରିଲେ, ସେ ଇଆଡ଼ୁସିଆଡ଼ୁ ବିଳିବିଳେଇ ହେଉଛନ୍ତି। ଏମିତି ଅବସ୍ଥା ଥରେ କି ଦୁଇ ଥର ନୁହେଁ, ଯନ୍ତ୍ରୀ ଜଣକ ବାରମ୍ବାର ନିଶାଗ୍ରସ୍ତ ହୋଇ କାର୍ଯ୍ୟାଳୟରେ ବସି ରହୁଛନ୍ତି। କାମ କରିବାର ନାଁ ଧରୁନାହାନ୍ତି। ଯନ୍ତ୍ରୀଙ୍କର ଏପରି କାର୍ଯ୍ୟକଳାପ ସାମାଜିକ ଗଣମାଧ୍ୟମରେ ଘୂରି ବୁଲିବା ପରେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍‌ ଧରିଛି।

Advertisment

ପୂର୍ବପରି ଆଜି ଯନ୍ତ୍ରୀ ଜଣକ ଅଫିସରେ ଜିନ୍‌ସପ୍ୟାଣ୍ଟ ପିନ୍ଧି ଫୁଙ୍ଗୁଳା ଦେହରେ ନିଜ ଚୌକିରେ ବସିଥିଲେ। ଲୋକେ ସଂପୃକ୍ତ ଯନ୍ତ୍ରୀଙ୍କ ପାଖକୁ ବିଭିନ୍ନ କାର୍ଯ୍ୟର ବିଲ୍‌ ପୈଠ ବାବଦରେ ବୁଝିବାକୁ ଆସିଥିଲେ। ମାତ୍ର ସେ ନିଶାରେ ଚୁର୍‌ ହୋଇ ଆଉ କଥା କହି ନପାରି ଖାଲି ହାତଯୋଡ଼ି ଜୁହାର ହୋଇଥିଲେ। ପ୍ୟାଣ୍ଟ୍‌ରେ ଲାଗିଥିବା ବେଲ୍‌ଟ ଖୋଲି ସେ ରଖି ଦେଇଥିଲେ। ଏ ନେଇ ସ୍ଥାନୀୟ ଲୋ​କେ ବିଡିଓଙ୍କ ସମେତ ଜିଲ୍ଲା ପରିଷଦର ଉନ୍ନୟନ ଅଧିକାରୀଙ୍କ ଦୃଷ୍ଟିକୁ ଆଣିଥିଲେ। କିନ୍ତୁ ଏ ନେଇ ବିଡିଓ ଗୌରାଙ୍ଗ ଘୋଷ ଓ ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ବିଶ୍ବରଂଜନ ନାୟକଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।

ଅଫିସ୍‌ରେ ଯନ୍ତ୍ରୀଙ୍କୁ ଏଭଳି ଅବସ୍ଥାରେ ବାରମ୍ବାର ଦେଖିବା ସତ୍ତ୍ବେ ଉପରିସ୍ଥ ଅଧିକାରୀ ନିରବଦ୍ରଷ୍ଟା ସାଜିଛନ୍ତି। ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ଏପରିକି ତାଙ୍କ ବଦଳି ଆଦେଶ ମଧ୍ୟ ୨ ବର୍ଷ ହେଲା ଫାଇଲ ତଳେ ଅଟକି ରହିଛି। ତେବେ ତାଙ୍କ ଉପରେ କାହାର ଆଶୀର୍ବାଦ ରହିଛି, ସେ ନେଇ ସାଧାରଣରେ ନାନା କଥା ଆଲୋଚନା ହେଉଛି।