କଳିଙ୍ଗରେ କନିଷ୍ଠ ହକି ବିଶ୍ୱକପ୍, ନଭେମ୍ବର ୨୪ରୁ ଡିସେମ୍ବର ୫ ପର୍ଯ୍ୟନ୍ତ ଖେଳାଯିବ

୧୨ ଦିନିଆ ପ୍ରତିଯୋଗିତାରେ ଭାଗନେବେ ୧୬ ଦଳ
ଟ୍ରଫି ଓ ଲୋଗୋ ଅନାବରଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଓଡ଼ିଶାକୁ ପୁଣି ଫେରିଲା ହକି ଜ୍ବର। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ନଭେମ୍ବର ୨୪ରୁ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ଖେଳାଯିବ ଏଫ୍‌ଆଇଏଚ୍ କନିଷ୍ଠ ପୁରୁଷ ହକି ବିଶ୍ବକପ୍। ୧୨ ଦିନିଆ ପ୍ରତିଯୋଗିତାରେ ସାରା ବିଶ୍ବର ବଛାବଛା ୧୬ଟି ଦଳ ଅଂଶଗ୍ରହଣ କରିବେ। ଫଳରେ ୨୦୧୮ ପୁରୁଷ ହକି ବିଶ୍ବକପ୍‌ର ସଫଳ ଆୟୋଜନ ପରେ କଳିଙ୍ଗ ଷ୍ଟାଡିୟମରେ ଦ୍ବିତୀୟ ଥର ପାଇଁ କୌଣସି ହକି ବିଶ୍ବକପ୍ ଖେଳାଯିବ। ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି।

ଗୁରୁବାର ସଂଧ୍ୟାରେ ପ୍ରତିଯୋଗିତାର ଟ୍ରଫି ଓ ଲୋଗୋ ଅନାବରଣ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, କଳିଙ୍ଗ ଷ୍ଟାଡିୟମରେ ଏଫ୍‌ଆଇଏଚ୍ କନିଷ୍ଠ ପୁରୁଷ ହକି ବିଶ୍ବକପ୍ ନଭେମ୍ବର ୨୪ରୁ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ବୋଲି ଘୋଷଣା କରି ମୁଁ ଅତ୍ୟନ୍ତ ଆନନ୍ଦିତ। ଓଡ଼ିଶା କ୍ରୀଡ଼ାରେ ହକିର ସ୍ବତନ୍ତ୍ର ସ୍ଥାନ ରହିଛି। ଢେର କିଛି ବର୍ଷ ହେବ ଆମେ ଭାରତୀୟ ହକିକୁ ପ୍ରୋତ୍ସାହନ ଦେଇ ଆସୁଛୁ। ଯାହା ଫଳରେ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ଐତିହାସିକ ସଫଳତା ଲାଭ କରିଛି। ଆମେ ଆହୁରି ୧୦ ବର୍ଷ ପାଇଁ ଭାରତୀୟ ହକିର ପ୍ରାୟୋଜକ ହୋଇଛୁ। ଭାରତୀୟ ହକିର ଗୌରବମୟ ଯାତ୍ରାରେ ଓଡ଼ିଶା ତାର ସହଯୋଗ ଓ ସମର୍ଥନ ସର୍ବଦା ଜାରି ରଖିବ। କନିଷ୍ଠ ବିଶ୍ବକପ୍ ଆୟୋଜନ ଲାଗି ହକି ଇଣ୍ଡିଆ ଆମ ସହଯୋଗ ଲୋଡ଼ିଥିଲା। କରୋନା ମହାମାରୀ ସମୟ ଏବଂ ଖୁବକମ୍ ଦିନର ନୋଟିସରେ ଏଭଳି ଏକ ପ୍ରତିଯୋଗିତା ଆୟୋଜନ କରିବା ଆଦୌ ସହଜ ନୁହେଁ। ପ୍ରତିଯୋଗିତାକୁ ଆଉ ମାତ୍ର ୨ ମାସ ବାକି ଅଛି। ତଥାପି ଦେଶର ସମ୍ମାନ ଦୃଷ୍ଟିରୁ ଏହି ପ୍ରତିଯୋଗିତାର ଆୟୋଜନକୁ ଆମେ ଏକ ଆହ୍ବାନ ଭାବେ ଗ୍ରହଣ କରିଛୁ। ସଫଳତାର ସହ ଏହାକୁ ଶେଷ କରିବୁ ବୋଲି ଦୃଢ଼ ବିଶ୍ବାସ ରହିଛି। ଆଶା କରୁଛି ଘରୋଇ ପରିବେଶର ଫାଇଦା ଉଠାଇ ଭାରତ ବିଜେତା ଗୌରବ ଅର୍ଜନ କରିବ।

ଏଫ୍‌ଆଇଏଚ୍ ସଭାପତି ନରିନ୍ଦର ବାତ୍ରା ଭାରତୀୟ ହକିର ବିକାଶ ପାଇଁ ଓଡ଼ିଶା କରୁଥିବା ପ୍ରୟାସକୁ ପୁଣି ଥରେ ପ୍ରଶଂସା କରିଥିଲେ। ଭାରତୀୟ ହକି ପାଇଁ ଓଡ଼ିଶା ଭାଗ୍ୟଶାଳୀ ସାବ୍ୟସ୍ତ ହୋଇ ଅାସୁଥିବାରୁ ଭାରତୀୟ କନିଷ୍ଠ ଦଳ ଭୁବନେଶ୍ବରରେ ପୁଣି ଥରେ ବିଜେତା ହୋଇ ବିଶ୍ବକପ୍ ନିଜ ପାଖରେ ରଖିବ ବୋଲି ଆଶାପ୍ରକାଶ କରିଥିଲେ ସେ। ଏହି ଉତ୍ସବରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ସ୍ବାଗତ ଭାଷଣ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ହକି ଇଣ୍ଡିଆ ମହାସଚିବ ରାଜେନ୍ଦ୍ର ସିଂହ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫-ଟି ସଚିବ ଭିକେ ପାଣ୍ଡିଆନ୍, କ୍ରୀଡ଼ା ସଚିବ ଆର ଭିନିଲକ୍ରିଷ୍ଣା, ଭାରତୀୟ ୧୮ ବର୍ଷରୁ କମ୍ ବାଳିକା ରଗ୍‌ବି ଦଳର ସଦସ୍ୟ, କ୍ରୀଡ଼ା ବିଭାଗର ବହୁ ବରିଷ୍ଠ ଅଧିକାରୀ ଏବଂ ରାଜ୍ୟର ସଫଳକ୍ରୀଡ଼ାବିତ୍ ଉପସ୍ଥିତ ଥିଲେ। ଓଡ଼ିଶା ହକି ବିକାଶ ପରିଷଦର ଅଧ୍ୟକ୍ଷ ଦିଲୀପ ତିର୍କି ଧନ୍ୟବାଦ ଅର୍ପଣ କରିଥିଲେ।

୫ ବର୍ଷରେ ୩ ବିଶ୍ବକପ୍
ଏସିଆନ୍ ଆ‌ଥଲେଟିକ୍ସ ଚାମ୍ପିଅନସିପ୍ ଓ ୨୦୧୮ ପୁରୁଷ ହକି ବିଶ୍ବକପ୍ ଭଳି ବୃହତ୍ ଓ ବିଶ୍ବସ୍ତରୀୟ ପ୍ରତିଯୋଗିତା ଖେଳାଯାଇଥିବା ପୂର୍ବଭାରତର ଶ୍ରେଷ୍ଠ କ୍ରୀଡ଼ାଙ୍ଗନ କଳିଙ୍ଗ ଷ୍ଟାଡିୟମ୍‌ରେ କନିଷ୍ଠ ପୁରୁଷ ବିଶ୍ବକପ୍ ରୂପରେ ଆଉ ଏକ ହକି ମହାମେଳା ଅନୁଷ୍ଠିତ ହେବ। ପ୍ରତି ଦୁଇବର୍ଷରେ ଥ‌ରେ ଖେଳାଯାଉଥିବା‌ କନିଷ୍ଠ ହକି ବିଶ୍ବକପ୍‌ର ଗତ ସଂସ୍କରଣ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଖେଳାଯାଇଥିଲା। ଭାରତ ସେଥିରେ ବେଲଜିୟମକୁ ହରାଇ ବିଜେତା ହୋଇଥିଲା। ଏଭଳି ସଫଳତା ଲାଭ କରିବାରେ ଭାରତ ପ୍ରଥମ ଆୟୋଜକ ଦେଶ ହେବାର କୀର୍ତ୍ତିମାନ ବି ସ୍ଥାପନ କରିଥିଲା। ୨୦୧୮ରେ ବରିଷ୍ଠ ହକି ବିଶ୍ବକପ୍ ଆୟୋଜିତ ହେବାର ଥିବାରୁ କନିଷ୍ଠ ହକି ବିଶ୍ବକପ୍‌ର ପରବର୍ତ୍ତୀ ସଂସ୍କରଣ ସେହିବର୍ଷ ଖେଳ ହୋଇନଥିଲା। ଏଣୁ ଦୀର୍ଘ ୫ ବର୍ଷର ବ୍ୟବଧାନ ପରେ ଓଡ଼ିଶାରେ କନିଷ୍ଠ ପୁରୁଷ ହକି ବିଶ୍ବକପ୍ ପୁଣି ଥରେ ଖେଳାଯିବ। ଯାହା ଫଳରେ ମାତ୍ର ୩ ବର୍ଷ ଭିତରେ ଦୁଇଟି ହକି ବିଶ୍ବକପ୍ ଆୟୋଜନ କରିବାର ଅନନ୍ୟ ଓ ଗୌରବମୟ ସଫଳତା ଓଡ଼ିଶା କ୍ରୀଡ଼ା ଇତିହାସରେ ଯୋଡ଼ି ହୋଇଯିବ। ମହତ୍ବପୂର୍ଣ୍ଣ କଥା ହେଲା ପୂର୍ବରୁ ଏହି ପ୍ରତିଯୋଗିତା ଆସାମର ଗୁଆହାଟୀ‌ରେ ଆୟୋଜନ ହେବାର ଥିଲା। ତେବେ କରୋନା ସଙ୍କଟ ଓ ଆବଶ୍ୟକ ଭିତ୍ତିଭୂମିର ଅଭାବ ପାଇଁ ଆସାମ ଶେଷ ମୁହୂର୍ତରେ ଏଭଳି ଏକ ବୃହତ୍ ପ୍ରତିଯୋଗିତା ଆୟୋଜନ କରିବାକୁ ଅକ୍ଷମତା ପ୍ରକାଶ କରିଥିଲା। ଫଳରେ ଏଫ୍‌ଆଇଏଚ୍ ଓ ହକି ଇଣ୍ଡିଆ ଓଡ଼ିଶା ସରକାରଙ୍କୁ ପ୍ରତିଯୋଗିତାର ଆୟୋଜକ ହେବାକୁ ଅନୁରୋଧ କରିଥିଲେ। ପ୍ରତିଯୋଗିତାକୁ ଆଉ ମାତ୍ର ଦୁଇ ମାସ ସମୟ ବାକିଥିଲେ ମଧ୍ୟ ଓଡ଼ିଶା ଏହି ଆହ୍ବାନକୁ ଗ୍ରହଣ କରିଛି। ଆଉ ଏକ ହକି ବିଶ୍ବକପ୍‌କୁ ସଫଳତାର ସହ ଆୟୋଜନ କରିବାକୁ ରାଜ୍ୟ ସରକାର ବି ଦମ୍ଭ ଭରିଛନ୍ତି। ସୂଚନାଯୋଗ୍ୟ ଯେ ୨୦୨୩ରେ ଭୁବନେଶ୍ବର ଓ ରାଉରକେଲାରେ ମଧ୍ୟ ପୁରୁଷ ହକି ବିଶ୍ବକପ୍ ଆୟୋଜିତ ହେବ। ଏଣୁ ଓଡ଼ିଶା ୫ ବର୍ଷରେ ତିନିଟି ବିଶ୍ବକପ୍‌ର ଆୟୋଜକ ହେବ।

ସମ୍ବନ୍ଧିତ ଖବର