କେନ୍ଦୁଝର: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କେନ୍ଦୁଝର କନିଷ୍ଠ ଖଣି ଅଧିକାରୀ ପଦ୍ମନାଭ ହୋତା। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କ କାର୍ଯ୍ୟାଳୟ, ଘର ସମେତ ୭ଟି ସ୍ଥାନରେ ଚଢ଼ଉ ଜାରି ରହିଛି। କେନ୍ଦୁଝର ଖଣି କାର୍ଯ୍ୟାଳୟରେ କନିଷ୍ଠ ଖଣି ଅଧିକାରୀ ଭାବେ ଶ୍ରୀ ହୋତା କାର୍ଯ୍ୟ କରୁଛନ୍ତି। ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍, ଭୁବନେଶ୍ୱରଙ୍କ ପକ୍ଷରୁ ତାଙ୍କ ନାମରେ ସର୍ଚ୍ଚ ୱାରେଣ୍ଟ ଜାରି କରାଯାଇଥିଲା। ଏହି ୱାରେଣ୍ଟ ଅଧାରରେ ଆଜି ସକାଳୁ ତାଙ୍କ ଭୁବନେଶ୍ୱର, ଯାଜପୁର, କେନ୍ଦୁଝରସ୍ଥିତ ଘର ଓ କାର୍ଯ୍ୟାଳୟ ସମେତ ୭ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଥିଲା ଭିଜିଲାନ୍ସ ଟିମ୍। ଚଢ଼ଉରେ ୭ଜଣ ଡିଏସ୍ପି, ୫ଜଣ ଇନ୍ସପେକ୍ଟର, ୭ଜଣ ଏଏସ୍ଆଇ ଓ ଅନ୍ୟ କର୍ମଚାରୀ ସାମିଲ ହୋଇଥିଲେ।
୭ ସ୍ଥାନରେ ଏକକାଳୀନ ଚଢ଼ଉ
ଭୁବନେଶ୍ବର, କେନ୍ଦୁଝର ଓ ଯାଜପୁରରେ କୋଠା
ଭବାନୀପାଟଣା ହିଲ୍ ଟାଉନରେ ଭଡ଼ାଘର, କେନ୍ଦୁଝର ସହର ଜଗନ୍ନାଥପୁରରେ ୧୦ ହଜାର ବର୍ଗଫୁଟ ଜମି ଉପରେ ନିର୍ମିତ ଦୁଇମହଲା କୋଠା, ଭୁବନେଶ୍ୱର କରୋଡ଼କଣ୍ଟାରେ ପ୍ଲଟ୍ ନମ୍ବର ୨୨୨/୧୨୦୯ରେ ଥିବା ୫୮୦୦ ବର୍ଗଫୁଟର ୪ ମହଲା କୋଠା, କେନ୍ଦୁଝର ଜିଲ୍ଲା ଘସିପୁରା ତହସିଲ ଅନ୍ତର୍ଗତ ମଦନପୁରରେ ପ୍ଲଟ୍ ନମ୍ବର ୨୮୨୭/୪୨୩୦ରେ ୫ ଏକର ଫାର୍ମ ହାଉସ୍, କଟକ ପ୍ରତାପନଗରୀରେ ଦୁଇଟି ପ୍ଲଟ୍, ଭୁବନେଶ୍ୱର କରୋଡ଼କଣ୍ଟାରେ ଗୋଟିଏ, ସୁନ୍ଦରପଦାରେ ଗୋଟିଏ ପ୍ଲଟ୍, ଯାଜପୁର ଜିଲ୍ଲା ଦାନଗଦୀରେ ୧ ଏକର ଜମି ଏବଂ ୧ ଏକର ୧୬ ଡିସିସିଲ ଜମିରେ ୯ଟି ପ୍ଲଟ୍ ଥିବା ଜଣାପଡ଼ିଛି। ସେହିପରି ଗୋଟିଏ ଚାରିଚକିଆ ଓ ଦୁଇଟି ଦୁଇଚକିଆ ଗାଡ଼ି ଠାବ ହୋଇଛି। ଏହାଛଡ଼ା ବିଭିନ୍ନ ବ୍ୟାଙ୍କ, ବୀମା ଓ ପୋଷ୍ଟାଲ ଜମାର ଖୋଳତାଡ଼ ଚାଲିଛି। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଜେମାଦେଇପୁର ଶାସନରେ ଥିବା ପୈତୃକଘର ଏବଂ ଟମକା ଥାନା ଅନ୍ତର୍ଗତ ବଳରାମପୁରରେ ଥିବା ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢ଼ଉ ହୋଇଛି। ଚଢ଼ଉ ସରିବା ପରେ ମୋଟ ସମ୍ପତ୍ତିର ପରିମାଣ ଜଣାପଡ଼ିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/28/gthVX0TAZ0gTKnmPGJuA.jpg)