ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ, ଠିକାଦାରଙ୍କଠାରୁ ୮ ହଜାର ନେଇ ଧରାପଡ଼ିଲେ

ଦେବଗଡ଼ : ୪ ଲକ୍ଷ ଟଙ୍କାର ବିଲ୍‌ କରାଇବାକୁ ୮ ହଜାର ଲାଞ୍ଚ! ଏହି ଲାଞ୍ଚ ଟଙ୍କା ଗ୍ରହଣ କରି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ୍‌ର କନିଷ୍ଠ ଯନ୍ତ୍ରୀ ବିଜୟାନନ୍ଦ ସାହୁ। ଟଙ୍କା ଜବତ କରିବା ସହିତ ଶ୍ରୀ ସାହୁଙ୍କୁ ଗିରଫ କରିଛି ଭିଜିଲାନ୍ସ।

ସୂଚନା ଅନୁଯାୟୀ, ଠିକାଦାର କଳିତ କର ପୌରପରିଷଦ ପକ୍ଷରୁ ୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ କଲଭର୍ଟ ସହିତ ଡ୍ରେନ୍‌ ନିର୍ମାଣ କରିଥିଲେ। ଏହି କାମର ବିଲ୍‌ କରିଦେବା ପାଇଁ କନିଷ୍ଠ ଯନ୍ତ୍ରୀ ବିଜୟାନନ୍ଦ ସାହୁଙ୍କୁ ସେ ଅନୁରୋଧ କରିଥିଲେ। କିନ୍ତୁ, ଏଥିପାଇଁ ଯନ୍ତ୍ରୀ ଶ୍ରୀସାହୁ ୧୦ ହଜାର ଟଙ୍କା ଦାବି କରିଥିଲେ। ବିଲ୍‌ ଟଙ୍କା ନ ପାଇ ଶେଷରେ ସଂପୃକ୍ତ ଠିକାଦାର ଦେବଗଡ଼ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ। ପୂର୍ବ ଯୋଜନା ଅନୁଯାୟୀ ଗୁରୁବାର ଦିନ ଠିକାଦାର ଶ୍ରୀ କର ପୁରୁଣାଗଡ଼ସ୍ଥିତ ବିଜୟାନନ୍ଦଙ୍କ ଘରକୁ ଯାଇ ତାଙ୍କ ଦାବି ମୁତାବକ ୮ ହଜାର ଟଙ୍କା ପ୍ରଦାନ କରିଥିଲେ। ଏହିସମୟରେ ଦେବଗଡ଼ ଭିଜିଲାନ୍ସ ଡିଏସ୍‌ପି ଯୋଗେଶ ପଟେଲ ଓ ଝାରସୁଗୁଡ଼ା ଭିଜିଲାନ୍ସ ଡିଏସ୍‌ପି ପ୍ରଦୀପ ଆଇନ୍ଦଙ୍କ ନେତୃତ୍ୱରେ ପ୍ରସ୍ତୁତ ହୋଇ ରହିଥିବା ଏକ ଟିମ୍‌ ଚଢ଼ାଉ କରିଥିଲେ। ୮ ହଜାର ଟଙ୍କା ଜବତ ସହିତ କନିଷ୍ଠ ଯନ୍ତ୍ରୀ ଶ୍ରୀ ସାହୁଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

ଏଥିସହିତ, କନିଷ୍ଠ ଯନ୍ତ୍ରୀ ଶ୍ରୀ ସାହୁଙ୍କ କାର୍ଯ୍ୟାଳୟ ଏବଂ କଟକ ଜିଲ୍ଲା ବୈଦେଶ୍ୱର ଥାନା ଅନ୍ତର୍ଗତ କେନ୍ଦୁପାଲି ଗ୍ରାମରେ ଥିବା ପୈତୃକ ବାସଭବନରେ ଚଢ଼ଉ କରାଯାଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଚଢ଼ଉରେ ଇନ୍‌ସପେକ୍ଟର ସାବିତ୍ରୀ ଖାଖା, ସସ୍ମିତା ରଙ୍ଗୋଲୀଙ୍କ ସମେତ ଭିଜିଲାନ୍ସ ବିଭାଗର କର୍ମଚାରୀ ସାମିଲ ଥିଲେ। ଉଲ୍ଲେଖଯୋଗ୍ୟ ଯେ ନିକଟରେ କନିଷ୍ଠ ଯନ୍ତ୍ରୀ ଶ୍ରୀ ସାହୁ ବଦଳିହୋଇ ତିଲେଇବଣି ବ୍ଲକ୍‌କୁ ଆସିଥିଲେ।

ସମ୍ବନ୍ଧିତ ଖବର