ଝରିଗାଁ/ନବରଙ୍ଗପୁର: ଧର୍ମପୀଠର ଜମି ଚଞ୍ଚକତା କରିବା ଅଭିଯୋଗରେ ଝରିଗାଁ ତହସିଲର କନିଷ୍ଠ ରାଜସ୍ବ ନିରୀକ୍ଷକ ସଚିଦାନନ୍ଦ ରଥ ଓ ଅମିନ ଦେବେନ୍ଦ୍ର ନାଥ ବେଶ୍ରାଙ୍କୁ ନିଳମ୍ବନ କରିଛନ୍ତି ନବରଙ୍ଗପୁର ଜିଲ୍ଲାପାଳ। ଏହା ସହିତ ତତ୍ କାଳିନ ତହିସଲଦାରଙ୍କୁ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଅବସ୍ଥାପିତ କରାଯାଇଥିବା ଜଣାପଡିଛି।

Advertisment

ପ୍ରକାଶ ଥାଉକି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁସୁମି ଗ୍ରାମ ଠାରେ ରହିଥିବା କବୀର ଧର୍ମ ପୀଠ ପାଇଁ ଦଖଲ କରିଥିବା ସରକାରୀ ଜମି ଖାତା ନମ୍ବର -୩୦୭/୨୦୨, ପ୍ଲଟ ନଂ - ୭୩୪/୧୭୩୪ ର ୦.୬୪ ଡିସିମିଲ ଜାଗାକୁ ଚଞ୍ଚକତା ସହ ମାନିକପୁରୀ ପନକା ସମାଜର ପୂର୍ବତନ ବ୍ଲକ ସଭାପତି ବଂଶୀଧର ପନକା ନିଜ ମାଆ ଧନମତୀ ପନକାଙ୍କ ନାମରେ ଜମି ପଟ୍ଟା କରିଥିବା ନେଇ କବୀରପନ୍ଥି ପନକା ସମାଜର ସଦସ୍ୟ ମାନେ ସ୍ଥାନୀୟ ତହସିଲଦାରଙ୍କୁ ଅଭିଯୋଗ କରିବା ସହ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ମାସ ୪ ତାରିଖରେ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ ଝରିଗାଁ ତହସିଲ କାର୍ଯ୍ୟାଳୟକୁ ଆସି ସେଠାରେ ପ୍ରାୟ ୩ ଘଣ୍ଟାଧରି ସେଠାରେ କାର୍ଯ୍ୟରତ ତହସିଲଦାର ଏବଂ ରେକର୍ଡ଼ ରୁମ୍ ଦାୟିତ୍ୱରେ ରହିଥିବା ସମସ୍ତ କର୍ମଚାରୀଙ୍କୁ ପଚାରି ସମ୍ପୃକ୍ତ ଘଟଣାର ସମସ୍ତ ଦଲିଲ ଯାଞ୍ଚ କରିଥିଲେ। ଏହାପରେ ଉପଜିଲ୍ଲାପାଳ ଏବଂ ସ୍ଥାନୀୟ ତହସିଲଦାର ମଧୁସୂଦନ ମାଝୀ କୁସୁମୀ ଗ୍ରାମ ସ୍ଥିତ କବିର ଧର୍ମପୀଠ ଜାଗାକୁ ଯାଇ ସେଠାରେ ଉପସ୍ଥିତ ରହିଥିବା ଗ୍ରାମବାସୀ ଏବଂ ଅଭିଯୋଗ କରିଥିବା ଲୋକମାନଙ୍କୁ ଘଟଣା ସମ୍ପର୍କରେ ପଚାରିବୁଝି ଚଞ୍ଚକତା ସମ୍ପର୍କରେ ସମସ୍ତ ତଥ୍ୟ ସଂଗ୍ରହ ସହିତ ଏଥିରେ ରେ ସମ୍ପୃକ୍ତ କର୍ମଚାରୀ ଙ୍କ ସମ୍ପର୍କରେ ଏକ ରିପୋର୍ଟ ପ୍ରସ୍ତୁତ କରି ନବରଙ୍ଗପୁର ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଉପଜିଲ୍ଲାପାଳଙ୍କ ରିପୋର୍ଟର ତର୍ଜମା କରି ନବରଙ୍ଗପୁର ଜିଲ୍ଲାପାଳ ଡଃ.କୋମଳ ଲୋଚନ ମିଶ୍ର ଆଜି ଝରିଗାଁ ତହସିଲ କାର୍ଯ୍ୟାଳୟ ର ରେକର୍ଡ କିପର ତଥା ଜୁନିଅର ଆରଆଇ ସଚ୍ଚିଦାନନ୍ଦ ରଥ ଏବଂ ଅମିନ ଦେବେନ୍ଦ୍ର ବେଶ୍ରା କୁ ନିଲମ୍ବିତ ଆଦେଶ ଦେଇଛନ୍ତି। ପୁନର୍ବାର ଆଦେଶ ପର୍ଯ୍ୟନ୍ତ ଏହି ୨ ଜଣ କର୍ମଚାରୀ ଉମରକୋଟ ତହସିଲରେ ଅବସ୍ଥାପିତ ହେବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି।