କନିଷ୍ଠ ଶିକ୍ଷକଙ୍କ ସମୂହ ଇସ୍ତଫା ଧମକ

ଭୁବନେଶ୍ବର : ରାଜ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ କନିଷ୍ଠ ଶିକ୍ଷକମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏହି ଶିକ୍ଷକମାନେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଭାରକୁ ନିଜ କାନ୍ଧ‌େର ବହନ କରି ଶ୍ରେଣୀରେ ଉପସ୍ଥାନ ବୃଦ୍ଧି କରିବା ଠାରୁ ଆରମ୍ଭ କରି ଗୁଣାତ୍ମକ ଶିକ୍ଷାର ପ୍ରଚାର ଓ ପ୍ରସାର କରୁଛନ୍ତି। କିନ୍ତୁ ରାଜ୍ୟ ସରକାର ଏହି ବର୍ଗର ଶିକ୍ଷକମାନଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରୁଛନ୍ତି ବୋଲି ବିଏଡ୍ ଶିକ୍ଷା ସହାୟକ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ସରକାରୀ ଅବହେଳାର ପ୍ରତିବାଦରେ ୭୦ ହଜାରରୁ ଅଧିକ କନିଷ୍ଠ ଶିକ୍ଷକ ସମୂହ ଇସ୍ତଫା ଦେବାର ଧମକ ଦେଇଛନ୍ତି।

ଗତକାଲି ଭୁବନେଶ୍ବରରେ ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସଭାପତିତ୍ବ କରି ସଭାପତି ଅଜୟ ଧଳ କହିଥିଲେ, ରାଜ୍ୟ ସରକାର ସମସ୍ତ ବର୍ଗର କର୍ମଚାରୀମାନଙ୍କୁ ସପ୍ତମ ବେତନ କମିସନ୍‌ଙ୍କ ସୁପାରିସ ଆଧାରରେ ବର୍ଦ୍ଧିତ ଦରମା ପ୍ରଦାନ ପାଇଁ ଏକ ଫିଟ୍‌ମେଣ୍ଟ୍ କମିଟି ଗଠନ କରିଥିଲେ। ଯେଉଁଥିରେ କନିଷ୍ଠ ଶିକ୍ଷକଙ୍କ ଦାବି ଉପସ୍ଥାପନ ପାଇଁ ସୁଯୋଗ ଦିଆଯାଇଥିଲା। ବା‌ଲକ୍ରିଷ୍ଣନ୍ କମିଟି ସେମାନଙ୍କ ଦରମା ବୃଦ୍ଧି ପାଇଁ ସୁପାରିସ କରିଥିଲେ। କିନ୍ତୁ ଅନ୍ୟ ସମସ୍ତ କର୍ମଚାରୀଙ୍କୁ ରାଜ୍ୟ ସରକାର ସପ୍ତମ ବେତନ କମିସନ୍‌ଙ୍କ ସୁପାରିସ ଆଧାରରେ ଦରମା ପ୍ରଦାନ କରିଥିଲା ବେଳେ ଏହି କନିଷ୍ଠ ଶିକ୍ଷକମାନଙ୍କୁ ସେମାନଙ୍କ ପ୍ରାପ୍ୟରୁ ବଞ୍ଚିତ କରିଛନ୍ତି। ପରିବାର ପ୍ରତିପୋଷଣ ପାଇଁ ବାଧ୍ୟବାଧକତା ତଥା ଠିକାରେ ନିଯୁକ୍ତି ପାଇ ବୟସ ଅତିକ୍ରାନ୍ତ ହୋଇଯାଉଥିବାରୁ ବହୁ ମେଧାବୀ ଶିକ୍ଷକ, ଶିକ୍ଷୟିତ୍ରୀ ଏଥିରେ ବାଧ୍ୟ ହୋଇ କାର୍ଯ୍ୟ କରୁଛନ୍ତି। ଆଗାମୀ ବିଧାନସଭା ଅଧିବେଶନ ପୂର୍ବରୁ କନିଷ୍ଠ ଶିକ୍ଷକମାନଙ୍କୁ କେନ୍ଦ୍ର ପ୍ରଦତ୍ତ ଅବିକଳ ମୂଳ ଦରମା ଓ ବିଜ୍ଞାପନ ଆଧାରରେ ବିଏଡ୍‌ ଭିତ୍ତିରେ ନିଯୁକ୍ତ କନିଷ୍ଠ ଶିକ୍ଷକମାନଙ୍କୁ ମୂଳ ଦରମା ୯୩୦୦ ଟଙ୍କା ଓ ଗ୍ରେଡ୍ ପେ ୪୬୦୦ ଟଙ୍କା ଦରମା ବୃଦ୍ଧି ହାରରେ ପ୍ରଦାନ ନ କରନ୍ତି, ତେବେ ‌ସମସ୍ତ କନିଷ୍ଠ ଶିକ୍ଷକ ସମୂହ ଇସ୍ତଫା ପ୍ରଦାନ କରି ବିଧାନସଭା ସମ୍ମୁଖରେ ଧାରଣା ଦେବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ନାୟକ, ଉପସଭାପତି ସରୋଜ କୁମାର ପଣ୍ଡା, ନୃସିଂହ ଚରଣ ସାହୁ, ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧି ଅକ୍ଷୟ କୁମାର ପୃଷ୍ଟି ଓ ଗଞ୍ଜାମ ଜିଲ୍ଲା ପ୍ରତିନିଧି ମନୋଜ କୁମାର ପଣ୍ଡା ପ୍ରମୁଖ ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର