ସୁନ୍ଦରଗଡ଼ : ସୁନ୍ଦରଗଡ଼ରେ ନିମ୍ନ ଓ ମଧ୍ୟ ଜୁରାସିକ୍ ଯୁଗର ଭୂ-ଐତିହ୍ୟ (ଜିଓ ହେରିଟେଜ୍)! ଯାହାର ବୟସ ୧୮୪ରୁ ୧୬୦ ନିୟୁତ ବର୍ଷ! ଶୁଣିଲେ ହୁଏତ ଅବିଶ୍ବାସ ଲାଗିପାରେ। କିନ୍ତୁ, ଭାରତୀୟ ଭୂତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ଜିଲ୍ଲାର ହେମଗିର ବ୍ଲକ୍ କନିକା ବ୍ରାହ୍ମଣୀଗାଁ ନିକଟସ୍ଥ ଲୋକମୁଖରେ ପରିଚିତ ଛେଙ୍ଗାପାହାଡ଼କୁ ଭୂ-ଐତିହ୍ୟ ମାନ୍ୟତା ଦେଇ ଏହି ତଥ୍ୟ ପ୍ରକାଶ କରିଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି , ସଂସ୍ଥାର ସର୍ବେକ୍ଷଣ ପରେ ଏହି ପୁରାତନ ଐତିହ୍ୟଟି ଦେଶର ୯୦ଟି ବିରଳ ଭୂ-ଐତିହ୍ୟରେ ସାମିଲ୍ ହୋଇଛି। ଏହି ବିସ୍ମୟକର ଭୂ-ଐତିହ୍ୟ ସୁନ୍ଦରଗଡ଼ ପାଇଁ ଗୌରବ ଆଣିଦେଇଛି।
ହେମଗିର ବ୍ଲକ୍ ଗର୍ଜନଯୋର ସଂରକ୍ଷିତ ଜଙ୍ଗଲ ମଧ୍ୟରେ ବିଶାଳକାୟ ପାହାଡ଼। ସେହି ପାହାଡ଼ ଶିଖରରେ ରହିଛି ଚାନ୍ଦୁଆ ବା ତୋରଣ ସଦୃଶ ପଥରର ଆକର୍ଷଣୀୟ ଆକୃତି। ଯାହାର ଉଚ୍ଚତା ୧୨ ମିଟର ଓ ବ୍ୟାସାର୍ଦ୍ଧ ୩୦ ମିଟର। ପ୍ରାକୃତିକ ପ୍ରକ୍ରିୟାରେ ଗଠନ ହୋଇଥିବା ଏହି ପାହାଡ଼ର ଆକୃତିକୁ ଦେଖି ସ୍ଥାନୀୟଲୋକେ ଏହାକୁ ଛେଙ୍ଗାପାହାଡ଼ ନାଁ ଦେଇଥିଲେ। ହେମଗିର-କନିକା ମୁଖ୍ୟରାସ୍ତାରୁ ପ୍ରାୟ ୫ କିଲୋମିଟର ପାଦଚଲା ଜଙ୍ଗଲରାସ୍ତାରେ ଗଲେ ପଡ଼େ ଏହି ପାହାଡ଼। ଦୂରରୁ କେବଳ ସାଧାରଣ ପାହାଡ଼ ଭଳି ଦିଶୁଥିବା ଏହି ଆକୃତି ପାଖକୁ ଗଲେ ବହୁ ଆଶ୍ଚର୍ଯ୍ୟ ଅପେକ୍ଷା କରିଥାଏ। ତୋରଣ ସଦୃଶ ଏହି ପଥରବକ୍ଷରେ ରହିଛି ଭୂତତ୍ତ୍ବର ଅନେକ ନୂଆ ନୂଆ ତଥ୍ୟ। ପାହାଡ଼କଣାରୁ ଜଙ୍ଗଲର ଉଭୟପଟ ଅତି ସହଜରେ ଦୃଶ୍ୟମାନ ହୋଇଥାଏ। ଏଠାକୁ ପହଞ୍ଚିବା ମାତ୍ରେ ସବୁଜ ଜଙ୍ଗଲର ଶୀତଳପବନ ସାଙ୍ଗକୁ ଅତି ଉଚ୍ଚରୁ ସବୁଜ ବନାନୀର ମନଲୋଭା ଦୃଶ୍ୟ ଅବଲୋକନ କରିହେବ। ଜୁରାସିକ୍ ସମୟର ଏହି ଐତିହ୍ୟ ପାଖକୁ ପହଞ୍ଚିଲେ ଆପଣଙ୍କୁ ଲାଗିବ ପ୍ରତିଟି ପଥର ଯେମିତି ସେ ଯୁଗର କିଛି କିଛି କଥା କହିଚାଲିଛି।
ବୟସ ୧୮୪ରୁ ୧୬୦ ନିୟୁତ ବର୍ଷ
ଭାରତୀୟ ଭୂତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ଦେଲା ମାନ୍ୟତା
ଦେଶର ୯୦ଟି ଭୂ-ଐତିହ୍ୟରେ ଛେଙ୍ଗାପାହାଡ଼ ସାମିଲ୍
/sambad/media/post_attachments/wp-content/uploads/2023/06/sundargarh-h2-750x430.jpg)
ଭାରତୀୟ ଭୂତତ୍ତ୍ବ ସର୍ବେକ୍ଷଣ ସଂସ୍ଥାର ସର୍ବେକ୍ଷଣ ସମୟରେ ଜଣାପଡ଼ିଥିଲା ସେହି ଯୁଗରେ ଏହି ପୂରା ଅଞ୍ଚଳ ଜଳମଗ୍ନ ଥିଲା। ଏହି ଛେଙ୍ଗାପାହାଡ଼ ମଧ୍ୟଦେଇ ପ୍ରଖରସ୍ରୋତ ପ୍ରବାହିତ ହେବା ଯୋଗୁ ଏହାର ଆକୃତି ଏଭଳି ହୋଇଥିବା ଏବଂ ପରବର୍ତ୍ତୀ ସମୟରେ ଏହାର ବିବର୍ତ୍ତନ ହୋଇ ଏହାର ରୂପରେଖ ଏପରି ହୋଇଥିବା ଅନୁମାନ କରିଛି ସର୍ବେକ୍ଷଣ ସଂସ୍ଥା।
ଭାରତ ସରକାରଙ୍କ ଖଣି ମନ୍ତ୍ରାଳୟ ଖଣିଜସମ୍ପଦ ଥିବା ଅଞ୍ଚଳରେ ଭୂତତ୍ତ୍ବ- ଐତିହ୍ୟ ଏବଂ ଭୂତତ୍ତ୍ବ ଧ୍ବଂସାବଶେଷର ସର୍ବେକ୍ଷଣ ସହ ଏଗୁଡ଼ିକର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ତଥା ଏହାର ଅଧ୍ୟୟନ, ଗବେଷଣା, ପ୍ରାକୃତିକ କୀର୍ତ୍ତି ଓ ସାଂସ୍କୃତିକ ଗୌରବ ଭାବେ ଲୋକଙ୍କ ମଧ୍ୟରେ ସଚେତନତା କାର୍ଯ୍ୟକ୍ରମ କରିବାକୁ ନିର୍ଦେଶ ଦେଇଥିଲେ। ଏହାପରେ ୨୦୧୭ରୁ ଇବ୍ ଭ୍ୟାଲିରେ ସଂସ୍ଥା ଏହାର ସର୍ବେକ୍ଷଣ ଆରମ୍ଭ କରି ବ୍ରାହ୍ମଣୀଗାଁ ପାଖରେ ଥିବା ଛେଙ୍ଗାପାହାଡ଼ରେ ଜୁରାସିକ୍ ଯୁଗର ଭୂତତ୍ତ୍ବ-ଐତିହ୍ୟର ସନ୍ଧାନ ପାଇଥିଲା। ଏବେ ଏହାର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ଗୁରୁତ୍ବପୂର୍ଣ୍ଣ ଥିବାବେଳେ ଗତ ୭ ତାରିଖ ଦିନ ସର୍ବେକ୍ଷଣ ସଂସ୍ଥା ଓ ବନବିଭାଗ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
/sambad/media/post_attachments/wp-content/uploads/2023/06/sundargarh-h3-750x430.jpg)
ଏଥିରେ ଭାରତୀୟ ଭୂତତ୍ତ୍ବ ସର୍ବେକ୍ଷଣ ସଂସ୍ଥାର ଓଡ଼ିଶା ରାଜ୍ୟ ୟୁନିଟ୍ ଉପମହାନିର୍ଦେଶକ ଡ. ଏସ୍.ସି. ମିତ୍ର, ନିର୍ଦେଶକ ଡ. ଅସିତ କୁମାର ସ୍ବାଇଁ, ଅନ୍ୟତମ ନିର୍ଦେଶକ କାହ୍ନୁଚରଣ ଦାସ ଓ ଜୟଦୀପ ମୁଖାର୍ଜୀ, ଭାରପ୍ରାପ୍ତ ବନଖଣ୍ଡ ଅଧିକାରୀ ଲଳିତ କୁମାର ପାତ୍ର, ସହକାରୀ ବନସଂରକ୍ଷକ ମୋହନ ହେମ୍ରମ ପ୍ରମୁଖ କିପରି ଏହି ଐତିହ୍ୟ ସୁରକ୍ଷିତ ରହିପାରିବ, ସେ ନେଇ ବିଶଦ ଆଲୋଚନା କରିଥିଲେ।
ସଚେତନତା କାର୍ଯ୍ୟକ୍ରମରେ କନିକା ସରପଞ୍ଚ ଶାନ୍ତ ଧୃଆ, ସୁନ୍ଦରଗଡ଼ ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପକ ସୁନୀଲ କୁମାର ଦାସ, ମନୋହପୁର କୋଇଲା ଖଣି ପ୍ରକଳ୍ପ ମୁଖ୍ୟ ରାମଚନ୍ଦ୍ର ରେଡ୍ଡୀ, କାର୍ଯ୍ୟକ୍ରମର ଭାରପ୍ରାପ୍ତ ଅଧିକାରୀ ଦୀପକ ମାହାତୋ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/sundargarh-h1.jpg)