କେନ୍ଦୁଝର: କେବଳ ଶଙ୍ଖ ଚିହ୍ନ ଓ ନବୀନ ପଟ୍ଟନାୟକଙ୍କୁ ଚିହ୍ନନ୍ତୁ। ନବୀନ ପଟ୍ଟନାୟକ ଆପଣଙ୍କ ପରିବାରର ଓ ଆପଣଙ୍କ ପିଲାଙ୍କ ସ୍ୱପ୍ନକୁ ସାକାର କରିବାକୁ ଦିନରାତି ଖଟୁଛନ୍ତି। ନିର୍ବାଚନରେ ତାଙ୍କୁ ଆଶୀର୍ବାଦ ଦିଅନ୍ତୁ। ଆଜି କେନ୍ଦୁଝର ଜିଲ୍ଲା ସିଲସୁଆଁରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଏହା କହିଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ମହାନ ଜନନାୟକ। ସେ କେନ୍ଦୁଝରବାସୀଙ୍କ ସ୍ୱପ୍ନକୁ ସାକାର କରିବାକୁ ଦିନରାତି ଖଟୁଛନ୍ତି। ତାଙ୍କୁ ନିର୍ବାଚନରେ କେନ୍ଦୁଝରବାସୀ ଆଶୀର୍ବାଦ ଦିଅନ୍ତୁ। ଶଙ୍ଖ ଚିହ୍ନ ଓଡ଼ିଶାବାସୀଙ୍କ ଆତ୍ମା। ବିଜୁ ପରିବାରର ଆତ୍ମା। ନବୀନ ପଟ୍ଟନାୟକ ଓ ଶଙ୍ଖ ଚିହ୍ନକୁ ଆଶୀର୍ବାଦ କରିବାକୁ ସେ ନିବେଦନ କରିଛନ୍ତି। ଘଟଗାଁ ମା’ ତାରିଣୀ ମନ୍ଦିରର ରୂପାନ୍ତରୀକରଣ ପାଇଁ ୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସପ୍ତାହେ ତଳେ ଲୋକାର୍ପିତ ହୋଇଛି। ଗତକାଲି ସମଲେଇ ପ୍ରକଳ୍ପ ଲୋକାର୍ପିତ ହୋଇଛି। ମା’ ତାରିଣୀଙ୍କ ପୀଠ ବି ସେମିତି ନୂଆ ରୂପରେ ସଜେଇ ହେବ। ଆଗାମୀ ୧୦୦ ବର୍ଷ ପାଇଁ ଦର୍ଶନରେ ଭକ୍ତଙ୍କୁ କୌଣସି ସମସ୍ୟା ହେବନି।

Advertisment

୫-ଟି ଅଧ୍ୟକ୍ଷ କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ନୁହେଁ, କାମରେ ବିଶ୍ୱାସ କରନ୍ତି। ସେ ମଧ୍ୟ ତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଛନ୍ତି। ଅନ୍ୟମାନଙ୍କ ଭଳି ଲମ୍ବା ଭାଷଣ ଦେବା ସେ ଶିଖି ନାହାନ୍ତି। ଅନ୍ୟ ଲୋକମାନେ ବଡ଼ବଡ଼ ଭାଷଣ ଦେଇ ପଳାଇବେ। କିନ୍ତୁ ଗୋଟିଏ ହେଲେ ସମସ୍ୟାର ସମାଧାନ ହେବନି। ପୁଣି ଛଅ ମାସ ପରେ ଆସିବେ। ମିଠାମିଠା କଥା କହି ପଳାଇବେ। ସେ ଭାଷଣର କିଛି ମୂଲ୍ୟ ନାହିଁ। ମୁଖ୍ୟମନ୍ତ୍ରୀ କହିଛନ୍ତି ଲୋକଙ୍କ ସବୁ ସମସ୍ୟାକୁ ସମ୍ମାନର ସହ ସମାଧାନ କରାଯିବ। ତେଣୁ ଆଜି ଯେଉଁ ସବୁ ଆବେଦନପତ୍ର ମିଳିଛି ତାହା ମଧ୍ୟରୁ ମନ୍ଦିର, ମସଜିଦ୍‌, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ସମ୍ପର୍କିତ ସମାଧାନ ସାତଦିନ ମଧ୍ୟରେ ହେବ। କାରଣ ଏହା ଲୋକଙ୍କ ସରକାର। ଲୋକେ ଯାହା ଚାହିଁବେ, ତାହା ହେବ ବୋଲି ସେ କହିଛନ୍ତି। କେନ୍ଦୁଝର ଜିଲ୍ଲାରେ ୧୩ ହଜାର ୩୧୦ କୋଟି ଟଙ୍କାର ବିକାଶମୂଳକ କାର୍ଯ୍ୟ ଜାରି ରହିଛି। ଗତ ସାତ ମାସରେ ଲୋକଙ୍କ ଆବେଦନ ଆଧାରରେ ମୁଖ୍ୟମନ୍ତ୍ରୀ ୪୬୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଜୁନ୍‌ ମାସରେ କେନ୍ଦୁଝର ଗସ୍ତ ସମୟରେ ତାଙ୍କୁ ୭୧୦ଟି ଅଭିଯୋଗ ମିଳିଥିଲା। ସେଥିରୁ ୬୫୦ଟି ଆବେଦନର ସମାଧାନ ହୋଇସାରିଛି।

ବଳଦେବଜୀଉ ମନ୍ଦିରର ରୂପାନ୍ତରୀକରଣ ପାଇଁ ୪ କୋଟି ୮୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ଗୁପ୍ତଗଙ୍ଗାରେ ଥିବା ବ୍ରହ୍ମେଶ୍ୱର ମନ୍ଦିର ପାଇଁ ୩ କୋଟି ୫୦ ଲକ୍ଷ ଟଙ୍କା, ସୀତାବିଞ୍ଜ ପାଇଁ ୨ କୋଟି ୪୦ ଲକ୍ଷ ଟଙ୍କା, ସିଦ୍ଧମଠର ସୌନ୍ଦର୍ଯ୍ୟୀକରଣ ପାଇଁ ୩ କୋଟି ୧୧ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଭୀମକୁଣ୍ଡରେ ଏକ ପୋଲ ନିର୍ମାଣ ପାଇଁ ଲୋକଙ୍କ ଦାବି ଥିଲା। ଏଥିପାଇଁ ୧୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ। ଗୁଣ୍ଡିଚାଘାଗି ଜଳପ୍ରପାତର ସୌନ୍ଦର୍ଯ୍ୟୀକରଣ ପାଇଁ ୨ କୋଟି ଟଙ୍କା, ତେଲକୋଇରେ ଏକ ଇନ୍‌ଷ୍ଟ୍ରିମ ଜଳସେଚନ ପ୍ରକଳ୍ପ ପାଇଁ ୪୧ କୋଟି ଓ ସନ୍ଥେଭଞ୍ଜଠାରେ ଜଳସେଚନ ପ୍ରକଳ୍ପ ପାଇଁ ୬୦ କୋଟି ଟଙ୍କା ମଞ୍ଜୁର ହୋଇଛି। କେନ୍ଦୁଝରରେ ମେଡିକାଲ କଲେଜ, ସରକାରୀ ଇଞ୍ଜିନିୟରିଂ କଲେଜ ଓ ବିଶ୍ବବିଦ୍ୟାଳୟ ସବୁକିଛି ହୋଇଛି। ଲୋକଙ୍କ ଦାବି ଅନୁଯାୟୀ ଗୋନାସିକା ହାଇସ୍କୁଲକୁ ଉଚ୍ଚମାଧ୍ୟମିକ ସ୍କୁଲକୁ ଉନ୍ନୀତ କରିବାକୁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି। ଚଳିତବର୍ଷଠାରୁ ଏଠାରେ ଯୁକ୍ତଦୁଇ ପାଠପଢା ଆରମ୍ଭ ହେବ ବୋଲି ଶ୍ରୀ ପାଣ୍ଡିଆନ କହିଛନ୍ତି। ଓଡ଼ିଶାର ସାଢ଼େ ଚାରିକୋଟି ଲୋକଙ୍କୁ ମୁଖ୍ୟମନ୍ତ୍ରୀ ନିଜ ପରିବାର ବୋଲି ଭାବନ୍ତି। ତେଣୁ ପରିବାରର ପ୍ରତ୍ୟେକ ଲୋକଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ବିଏସ୍‌କେୱାଇ ଯୋଜନା ଆରମ୍ଭ ହୋଇଛି। ପ୍ରତିମାସରେ ଦୁଇଲକ୍ଷ ଲୋକ ଏହି ଯୋଜନାରେ ଉପକୃତ ହେଉଛନ୍ତି। ଏ ବାବଦରେ ସରକାର ୨୫୦ କୋଟି ଟଙ୍କା ପ୍ରତି ମାସରେ ଖର୍ଚ୍ଚ କରୁଛନ୍ତି। ଯେଉଁମାନଙ୍କ ପାଖରେ ବିଏସ୍‌କେୱାଇ କାର୍ଡ ନାହିଁ ସେମାନେ ନବୀନ କାର୍ଡ ପାଇଁ ଆବେଦନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ସେହିପରି ଆସନ୍ତା ମାସରୁ କେନ୍ଦୁଝରରେ ଲକ୍ଷ୍ମୀ ବସ୍‌ ସେବା ଆରମ୍ଭ ହେବ ବୋଲି ଶ୍ରୀ ପାଣ୍ଡିଆନ୍ ସୂଚନା ଦେଇଥିଲେ।
ଆଜିର କାର୍ଯ୍ୟକ୍ରମରେ ବିଧାୟକ ବଦ୍ରି ନାରାୟଣ ପାତ୍ର, ଭାଗିରଥୀ ସେଠୀ, ଜଗନ୍ନାଥ ନାଏକ ଓ ମିନାକ୍ଷୀ ମହାନ୍ତ, ଜିଲ୍ଲା ବିଜେଡି ସଭାପତି ମାଧବ ସର୍ଦ୍ଦାର, ପୂର୍ବତନ ଜିଲ୍ଲା ସଭାପତି ଆଶିଷ ଚକ୍ରବର୍ତ୍ତୀ, ଯୁବ ବିଜେଡି ରାଜ୍ୟ ଉପସଭାପତି ସୌମ୍ୟଶଙ୍କର ଚକ୍ର, କେସିସି ସଭାପତି କାନନ ବିହାରୀ ପହି ଓ ଜିଲ୍ଲା ପରିଷଦ ସଭାପତି ସାଗରିକା ସାହୁ ଉପସ୍ଥିତ ଥିଲେ।