ଭୟଙ୍କର ଅଗ୍ନିକାଣ୍ଡରୁ ବର୍ତ୍ତିଲା ପେଟ୍ରୋଲ ପମ୍ପ

ସର୍ଟ ସର୍କିଟ୍‌ରୁ ଜଳିଲା ତେଲ ଟ୍ୟାଙ୍କର୍‌

କଟକ: ଭୟଙ୍କର ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଗଲା ଲିଙ୍କ୍‌ରୋଡସ୍ଥିତ ସନ୍ତୋଷ ପେଟ୍ରୋଲ ପମ୍ପ। ତେଲ ଟ୍ୟାଙ୍କର୍‌ରେ ଥିବା ବ୍ୟାଟେରୀରୁ ସର୍ଟ ସର୍କିଟ୍‌ ଯୋଗୁ ଟ୍ୟାଙ୍କର୍‌ରେ ନିଆଁ ଲାଗିଯାଇଥିଲା। ଟ୍ୟାଙ୍କର୍‌ରୁ ପେଟ୍ରୋଲ ପମ୍ପରେ ଥିବା ଭୂତଳ ଟାଙ୍କିରେ ତେଲ ଅନ୍‌ଲୋଡ୍‌ ସମୟରେ ଅଗ୍ନିକାଣ୍ଡ ଘଟିଥିଲା। ଘଟଣା ସମ୍ପର୍କରେ ଖବର ପାଇ ୭ଟି ଦମକଳ ଗାଡ଼ି ତୁରନ୍ତ ପହଞ୍ଚି ଦୁଇ ଘଣ୍ଟା କାଳ ଉଦ୍ୟମ କରି ନିଆଁକୁ ଆୟତ୍ତ କରିଥିଲା। କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି, ସେ ନେଇ ଆସନ୍ତାକାଲିଠାରୁ ଅଗ୍ନିଶମ ବିଭାଗ ପକ୍ଷରୁ ତଦନ୍ତ କରାଯିବ ବୋଲି ସୂଚନା ମିଳିଛି। ପାରାଦୀପରୁ ଭାରତୀୟ ପେଟ୍ରୋଲିୟମ୍‌ରୁ ଗୋଟିଏ ଟାଙ୍କି(ଓଡି ୦୫ ଏକ୍ସ ୪୦୭୭)ରେ ୫ ହଜାର ଲିଟର୍‌ ପେଟ୍ରୋଲ ଏବଂ ୧୫ ହଜାର ଲିଟର୍‌ ଡିଜେଲ୍‌ ବୋଝେଇ ହେଇ ସନ୍ତୋଷ ପେଟ୍ରୋଲ ପମ୍ପରେ ଆଜି ଦିନ ପ୍ରାୟ ୩ଟା ବେଳେ ପହଞ୍ଚି ଥିଲା।

୭ ଦମକଳ ଗାଡ଼ି, ୫୦ ଅଗ୍ନିଶମ ଓ ଓଡ୍ରାଫ୍‌ କର୍ମଚାରୀ ନିୟୋଜିତ
ଘଟଣାର ତଦନ୍ତ ଆରମ୍ଭ

ସନ୍ଧ୍ୟା ପ୍ରାୟ ୬ଟା ବେଳେ ପ୍ରଥମେ ପମ୍ପରେ ଡିଜେଲ୍‌ ଅନ୍‌ଲୋଡ୍‌ କରାଯାଇଥିଲା। ୭ଟା ବେଳକୁ ପେଟ୍ରୋଲ ଅନ୍‌ଲୋଡ୍‌ ହେଉଥିଲା। ଗାଡ଼ିର ଡ୍ରାଇଭର୍‌ଙ୍କ କହିବା ଅନୁଯାୟୀ, ୭ଟା ୩୦ ବେଳେ ଅନ୍‌ଲୋଡ ସମୟରେ ଟାଙ୍କିର କ୍ୟାବିନ୍‌ ଭିତରୁ ଶବ୍ଦ ହେଲା। ଡୋର୍‌ ଖୋଲି ଦେଖିବା ପରେ ଭିତରେ ବ୍ୟାଟେରୀରୁ ଅଗ୍ନିକାଣ୍ଡ ହୋଇଥିଲା। ଫାୟାର ଏକ୍ସଟିଙ୍ଗୁଇସର୍‌ ବ୍ୟବହାର କରାଯାଇଥିଲେ ସୁଦ୍ଧା ନିଆଁ ଆୟତ୍ତ ହୋଇନଥିବା ସେ କହିଛନ୍ତି। ବକ୍ସିବଜାରର ୩ଟି, ସିଡିଏ ଓ ନୂଆବଜାରରୁ ଦୁଇଟି ଗାଡ଼ି ପହଞ୍ଚି ମେକାନିକାଲ୍‌ ଫୋମ୍‌ ଏବଂ ପାଣି ବ୍ୟବହାର କରି ନିଆଁକୁ ଆୟତ୍ତ କରାଯାଇଥିଲା। ଭୁବନେଶ୍ୱର ଏବଂ ବାରଙ୍ଗରୁ ମଧ୍ୟ ଆହୁରି ଦୁଇଟି ଦମକଳ ଗାଡ଼ି ପହଞ୍ଚିଥିଲା। ମୁଖ୍ୟ ଅଗ୍ନିଶମ ଅଧିକାରୀ ବ୍ରଜେନ୍ଦୁ ଭୂଷଣ ଦାସ କହିଛନ୍ତି ଯେ ନିଆଁ ଲିଭାଇବାକୁ ହୋସ୍‌ ଏବଂ ଫୋମ୍‌ ବ୍ୟବହାର କରାଯାଇଛି। ତେଲ ବୋଝେଇ ହେଇ ଆସିଥିବା ଟାଙ୍କିର ଇଞ୍ଜିନରେ ବ୍ୟାଟ୍ରୋରୀରୁ ସର୍ଟ ସର୍କିଟ୍‌ ଯୋଗୁ ଅଗ୍ନିକାଣ୍ଡ ଘଟିଛି। ଦମକଳ ଗାଡ଼ି ଠିକ ସମୟରେ ପହଞ୍ଚିବାରୁ ଅଳ୍ପକେ ବଡ଼ ଧରଣର ଅଘଟଣରୁ ବର୍ତ୍ତିଯାଇଛି। ନଚେତ ସ୍ଥିତି ଅଧିକ ଭୟଙ୍କର ହୋଇଥାନ୍ତା। ଆସନ୍ତାକାଲିଠାରୁ ତଦନ୍ତ କରାଯିବ। ସନ୍ତୋଷ ପେଟ୍ରୋଲ ପମ୍ପ ମାଲିକ ୟୋଗେଶ ଲାଲ୍‌ କହିଛନ୍ତି, ସର୍ଟ ସର୍କିଟ୍‌ରୁ ଲାଗିଛି। ପମ୍ପର କୌଣସି କ୍ଷତି ହୋଇନାହିଁ। ଘଟଣା ସମ୍ପର୍କରେ ଖବର ପାଇ ଡିସିପି ଅଖିଳେଶ୍ୱର ସିଂହ, ମୁଖ୍ୟ ଅଗ୍ନିଶମ ଅଧିକାରୀ ସୁକାନ୍ତ ସେଠୀ, ପ୍ରଦୀପ ରାଉତଙ୍କ ସମେତ ୫୦ ଅଗ୍ନିଶମ ଓ ଓଡ୍ରାଫ୍‌ର କର୍ମଚାରୀ ପହଞ୍ଚିଥିଲେ।

ସମ୍ବନ୍ଧିତ ଖବର