ଦୁର୍ଘଟଣାରୁ ବର୍ତ୍ତିଲା ହାଓ୍ଵଡା-ପୁରୀ ଏକ୍ସପ୍ରେସ୍‌

ଡିଆର୍‌ଏମ୍‌ଙ୍କ ତଦନ୍ତ ନିର୍ଦ୍ଦେଶ ଟ୍ରାକ୍‌ରେ ୬ ଘଣ୍ଟା ପଡ଼ି ରହିଲା, ବଦଳିଲା ୭ ଟ୍ରେନ୍‌ର ଗତିପଥ

କଟକ: ହାଓ୍ଵଡ଼ା-ପୁରୀ ଜଗନ୍ନାଥ ଏକ୍ସପ୍ରେସ୍‌ ଅଳ୍ପକେ ବଡ଼ ଧରଣର ଅଘଟଣରୁ ବର୍ତ୍ତି ଯାଇଛି। ଗତକାଲି ରାତି ପ୍ରାୟ ୨ଟା ୨୫ ମିନିଟ୍‌ରେ ଟ୍ରେନ୍‌ ପୁରୀ ଅଭିମୂଖେ ଯାଉଥିବା ବେଳେ କଟକ ରେଳ ଷ୍ଟେସନ୍‌ର ଶହେ ମିଟର ପୂର୍ବରୁ ଦୁର୍ଘଟଣାର ସାମ୍‌ନା କରିଥିଲା। ଏସ୍‌-୬ କୋଚ୍‌ର ଅଣ୍ଡର ଗିଅର୍‌ ହ୍ଵିଲ୍‌ ନିକଟରେ ଥିବା ଏକ ସ୍ପ୍ରିଙ୍ଗ୍‌ ଭାଙ୍ଗି ଯାଇଥିଲା। ଟ୍ରେନ୍‌ ଡ୍ରାଇଭର କଟକ ପ୍ଲାଟ୍‌ଫର୍ମ ପୂର୍ବରୁ ଜରୁରିକାଳୀନ ବ୍ରେକ୍‌ ମାରି ଟ୍ରେନ୍‌କୁ ଅଟକାଇ ଥିଲେ। ସ୍ପ୍ରିଙ୍ଗ୍‌ ମରାମତି କରାଯିବା ପରେ ପାଖାପାଖି ୬ ଘଣ୍ଟା ପରେ ଟ୍ରେନ୍‌ ଛାଡ଼ିଥିଲା। ଫଳରେ ସେହି ରୁଟ୍‌ ଦେଇ ଯାଉଥିବା ମୋଟ ୭ଟି ଟ୍ରେନ୍‌ର ଗତିପଥ ପରିବର୍ତ୍ତନ କରାଯାଇଥିଲା। ଅନ୍ୟପଟେ ଏଭଳି ଯାନ୍ତ୍ରିକ ତ୍ରୁଟିର ତଦନ୍ତ କରିବାକୁ ଖୋର୍ଧା ଡିଆର୍‌ଏମ୍‌ ନିର୍ଦ୍ଦେଶ ଦେଇଛନ୍ତି। ମେକାନିକାଲ୍‌ ଓ ଇଲେକ୍ଟ୍ରିକାଲ୍‌ ବିଭାଗର ଦୁଇ ବରିଷ୍ଠ ଅଧିକାରୀଙ୍କୁ ନେଇ ଗଠିତ କମିଟି ଘଟଣାର ତଦନ୍ତ କରିବ ବୋଲି ପୂର୍ବତଟ ରେଳ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସୂଚନା ଅନୁଯାୟୀ ହାଓ୍ଵାଡା-ପୁରୀ ଜଗନ୍ନାଥ ଏକ୍ସପ୍ରେସ୍‌(୧୮୪୦୯) ଗତକାଲି ବିଳମ୍ବିତ ରାତିରେ ପୁରୀ ଅଭିମୁଖେ ଯାଉଥିଲା। ରାତି ପ୍ରାୟ ୨ଟା ୨୫ ମିନିଟ୍‌ ସମୟରେ କଟକ ମହାନଦୀ ଓଭର ବ୍ରିଜ ଅତିକ୍ରମ କରିବା ପରେ ସନ୍ତୋଷୀ ମା’ ମନ୍ଦିର ସାମ୍‌ନାରେ ହଠାତ୍‌ ଏସ୍‌-୬ ବଗିର ଅଣ୍ଡର ଗିଅର୍‌ ଚକା ନିକଟରେ ଥିବା ସ୍ପି୍ରଙ୍ଗ ଭାଙ୍ଗି ଯାଇଥିଲା। ପଛ ବଗିଗୁଡ଼ିକ ରେଳ ଧାରଣା ବାହାରକୁ ଚାଲିଯିବା ପୂର୍ବରୁ ଡ୍ରାଇଭର୍‌ ବ୍ରେକ୍‌ ମାରିଥିଲେ। ରାତି ସାରା ଶହ ଶହ ଯାତ୍ରୀ ଟ୍ରେନ୍‌ ଭିତରେ ପଡ଼ି ରହିଥିଲେ। ଘଟଣା ସମ୍ପର୍କରେ ଖବର ପାଇ ଷ୍ଟେସନ୍‌ ମାଷ୍ଟରଙ୍କ ସମେତ ପୂର୍ତତଟ ରେଳ ବିଭାଗର ବରିଷ୍ଠ ଅଧିକାରୀ ପହଞ୍ଚିଥିଲେ। ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖାଯାଇ ଏସ୍‌-୬ ବଗିଟିକୁ ସମ୍ପୂର୍ଣ୍ଣ ଭାବେ ଅଲଗା କରି ଦିଆଯାଇଥିଲା। ଦିନ ୯ଟା ୩୯ ମିନିଟ୍‌ରେ ନୂଆ ବଗି ଲଗାଯାଇ ଟ୍ରେନ୍‌ଟି ପୁଣି ଛାଡ଼ିଥିଲା। ଯାତ୍ରୀଙ୍କୁ ନେଇ ଟ୍ରେନ୍‌ ପୁରୀ ଅଭିମୁଖେ ବାହାରିଥିଲା। ଏଭଳି ଯାନ୍ତ୍ରୀକ ତ୍ରୁଟି ପାଇଁ ଖୋର୍ଧା ଡିଆର୍‌ଏମ୍‌(ଡିଭିଜନାଲ୍‌ ରେଲେଓ୍ଵ ମ୍ୟାନେଜର) ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ଦୁର୍ଘଟଣାଗ୍ରସ୍ତ ଟ୍ରେନ୍‌ଟି ରେଳ ଧାରଣା ଉପରେ ମରାମତି ଚାଲୁଥିବାରୁ ୭ଟି ଟ୍ରେନ୍‌ର ଗତିପଥ ବଦଳାଯାଇଥିଲା। ସିଆଲଦା-ପୁରୀ ଦୂରନ୍ତ, ହାଓ୍ଵଡା-ୟଶବନ୍ତପୁର ଏକ୍ସପ୍ରେସ୍‌, ହାଓ୍ଵଡା-ପୁରୀ ସାପ୍ତାହିକ, ହରିଦ୍ୱାର-ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍‌, ନୂଆ ଦିଲ୍ଲୀ-ପୁରୀ ପୁରୁଷୋତ୍ତମ ଏକ୍ସପ୍ରେସ୍‌, ହାଓ୍ଵଡା-ପୁରୀ ଏକ୍ସପ୍ରେସ, ହାଓ୍ଵଡା-ଭାସ୍କୋଡାମା ଅମରାବତୀ ଏକ୍ସପ୍ରେସ୍‌ର ଗତିପଥ ବଦଳାଯାଇଥିବା ସମ୍ପର୍କରେ ପୂର୍ବତଟ ରେଳ ବିଭାଗ ପକ୍ଷରୁ ଜାରି ହୋଇଥିବା ଏକ ପ୍ରେସ ବିବୃତ୍ତିରେ କୁହାଯାଇଛି।

ସମ୍ବନ୍ଧିତ ଖବର