ଜଷ୍ଟିସ ସି.ଆର.ପାଲ କମିସନ୍ ରିପୋର୍ଟ ବିଧାନସଭାରେ ଉପସ୍ଥାପନ ପ୍ରସଂଗ: ହାଇକୋର୍ଟରେ ଆବେଦନ ଖାରଜ

କଟକ: ହାଇକୋର୍ଟ ବେଞ୍ଚ୍‌ ପ୍ରତିଷ୍ଠା ନେଇ ଜଷ୍ଟିସ ସି.ଆର. ପାଲ କମିସନ ପ୍ରଦାନ କରିଥିବା ରିପୋର୍ଟ ବିଧାନସଭାରେ ଉପସ୍ଥାପନ ପାଇଁ ନିର୍ଦ୍ଦେଶ ଦିଆଯାଉ ଦର୍ଶାଇ ରୁଜୁ ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ଶିବଶଙ୍କର ମହାନ୍ତିଙ୍କ ପକ୍ଷରୁ ଦାୟର ଏ ସଂପର୍କିତ ମାମଲାର ଶୁଣାଣି କରି ଆବେଦନକୁ ଖାରଜ କରିଛନ୍ତି। କମିସନ ଅଫ୍ ଇନକ୍ବ‌ାରି ଆଇନର ଧାରା ୩(୪) ଅନୁସାରେ ତଦନ୍ତ ରିପୋର୍ଟ ଉପସ୍ଥାପନ ପାଇଁ ରହିଥିବା ବ୍ୟବସ୍ଥା ବାଧ୍ୟତାମୂଳକ ହୋଇ ନଥିବା ଦୃଷ୍ଟିରୁ ଆବେଦନକୁ ଖାରଜ କରାଯାଇଥିବା ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ, ଓଡ଼ିଶା ହାଇକୋର୍ଟର ବେଞ୍ଚ ସ୍ଥାପନକୁ ନେଇ ବିଭିନ୍ନ ଜିଲ୍ଲାରେ ଆନ୍ଦୋଳନ ହେବା ପରେ ରାଜ୍ୟ ସରକାର ଜଷ୍ଟିସ ସି.ଆର. ପାଲଙ୍କ ଅଧ୍ୟକ୍ଷତାରେ ୨୦୦୮ ମାର୍ଚ୍ଚ ୧୧ରେ ଜଣିଆ ବିଚାରବିଭାଗୀୟ ତଦନ୍ତ କମିସନ ଗଠନ କରିଥିଲେ। ୨୦୧୪ ମାର୍ଚ୍ଚ ୩୧ରେ ରାଜ୍ୟ ସରକାରଙ୍କୁ କମିସନ ଚୂଡାନ୍ତ ରିପୋର୍ଟ ପ୍ରଦାନ କରିଥିଲେ। ଏହି କମିସନ ପାଇଁ ସରକାରଙ୍କ ତହବିଲରୁ ୧ କୋଟି ୫୨ ଲକ୍ଷ ୫୮ ହଜାର ୭୨୨ ଟଙ୍କା ଖର୍ଚ୍ଚ ହୋଇଥିଲା। କମିସନଙ୍କ ରିପୋର୍ଟକୁ ବିଧାନସଭାରେ ଉପସ୍ଥାପନ କରିବା ସହିତ ସାର୍ବଜନୀନ କରିବା ପାଇଁ ସରକାର କିଛି ପଦକ୍ଷେପ ନେଇ ନଥିଲେ। କମିସନ ଅଫ୍ ଇନକ୍ବାରି ଆଇନର ଧାରା ୩(୪) ଅନୁସାରେ ତଦନ୍ତ ରିପୋର୍ଟ ଦାଖଲର ୬ ମାସ ଭିତରେ ଏହାକୁ ବିଧାନସଭାରେ ଉପସ୍ଥାପନ କରାଯିବା କଥା। କିନ୍ତୁ ଏପରି ନ କରି ସରକାର ଏହି ରିପୋର୍ଟକୁ ୫ ବର୍ଷରୁ ଅଧିକ ସମୟ ହେବ ଧରି ବସି ରହିଥିବା ବେଳେ ପଶ୍ଚିମ ଓଡ଼ିଶା ସହିତ ଗଞ୍ଜାମ, କୋରାପୁର, ରାୟଗଡ଼ା ଓ ଅନ୍ୟ ସ୍ଥାନଗୁଡିକରେ ହାଇକୋର୍ଟ ବେଞ୍ଚ ଦାବି ନେଇ ଆନ୍ଦୋଳନ ଗୁରୁତର ରୂପ ଧାରଣ କରିଥିଲା। ଅନ୍ୟପକ୍ଷରେ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଂଗରେ ବିଭିନ୍ନ ଦିଗ ଅନୁଧ୍ୟାନ ପାଇଁ ସରକାର ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ପାଞ୍ଚଜଣିଆ କମିଟି ଗଠନ କରିଥିଲେ। ଏ ନେଇ ଗୃହ ବିଭାଗ ପକ୍ଷରୁ ୨୦୧୯ ମାର୍ଚ୍ଚ ୮ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି କମିଟି ପୁନର୍ଗଠନ କରି ସରକାର ୨୦୧୯, ଅଗଷ୍ଟ ୨୮ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଉନ୍ନୟନ କମିସନରଙ୍କୁ କମିଟିର ଅଧ୍ୟକ୍ଷ ରଖାଯାଇଥିବା ବେଳେ ଗୃହ ବିଭାଗ ଅତିରିକ୍ତ ସଚିବଙ୍କୁ ସଦସ୍ୟ ଆବାହକ ରଖାଯାଇଥିଲା। ଏଥିସହିତ ଗୃହ ସଚିବ, ଅର୍ଥ ସଚିବ, ରାଜସ୍ବ ସଚିବ ଓ ଆଇନ ସଚିବଙ୍କୁ ଏଥିରେ ସଦସ୍ୟ ଭାବେ ରଖାଯାଇଥିଲା। ବିଚାରବିଭାଗୀୟ ତଦନ୍ତ କମିସନ ରିପୋର୍ଟ ପଡ଼ି ରହିଥିବାବେଳେ କମିସନଙ୍କ ପରାମର୍ଶ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ଏପରି ପରିସ୍ଥିତିରେ ସୂଚନା ଅଧିକାର ଆଇନ ବଳରେ ଆବେଦନକାରୀ ଆଇନ ବିଭାଗ ସ୍ବତନ୍ତ୍ର ସଚିବଙ୍କ ନିକଟରୁ କମିସନଙ୍କ ରିପୋର୍ଟ ସଂପର୍କରେ ସୂଚନା ମାଗିଥିଲେ। ଏହି ରିପୋର୍ଟ ବିଧାନସଭାରେ ଉପସ୍ଥାପନ କରାଯାଇ ନଥିବାରୁ ଏହା ସୂଚନା ଅଧିକାର ପରିସରଭୁକ୍ତ ନୁହେଁ ବୋଲି ଆବେଦନକାରୀଙ୍କୁ ଅବଗତ କରାଯାଇଥିଲା। ଏପରି ପରିସ୍ଥିତିରେ ତୁରନ୍ତ ଜ‌ଷ୍ଟିସ ସି.ଆର. ପାଲ କମିସନ୍ ରିପୋର୍ଟ ବିଧାନସଭାରେ ଉପସ୍ଥାପନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଦର୍ଶାଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସରକାରଙ୍କ ପକ୍ଷରୁ ଏଜିଏ ମୃଗାଙ୍କଶେଖର ସାହୁ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର