ଜଷ୍ଟିସ ଏମ୍‌.ଏମ୍‌.ଦାସ କମିସନ୍‌: ୧୦ ଜମାକାରୀ ଫେରି ପାଇଲେ ଟଙ୍କା

କଟକ: ଜଷ୍ଟିସ ଏମ୍‌.ଏମ୍‌.ଦାସ କମିସନଙ୍କ ନିର୍ଦ୍ଦେଶ ବଳରେ ଆଜି ଅର୍ଥ ଲଗାଣକାରୀ ସଂସ୍ଥା ବିଭୁ କଲ୍ୟାଣ ଇନଫ୍ରା ପ୍ରପର୍ଟିଜ୍‌ ଲିମିଟେଡ୍‌ର ୧୦ ଜଣ କ୍ଷୁଦ୍ର ଜାମାକରୀ ସେମାନଙ୍କ ଟଙ୍କା ଫେରସ୍ତ ପାଇଛନ୍ତି। ପୂର୍ବରୁ ଏହି ସଂସ୍ଥା ୧୨ ଜଣ କ୍ଷୁଦ୍ର ଜମାକାରୀଙ୍କୁ ସେମାନଙ୍କ ଜମା ଟଙ୍କା କମିସନଙ୍କ କାର୍ଯ୍ୟାଳୟରେ ଫେରାଇଥିଲା। ଆଜି ନୋଟିସ ପାଇ ଜମାକାରୀମାନେ ବକ୍ସିବଜାର ପୁଲିସ ଲାଇନସ୍ଥିତ କମିସନଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସଂସ୍ଥାର ଓକିଲ ସୁବାଶିଷ ମହାପାତ୍ର ଓ ଦୀପ୍ତି ମିଶ୍ରଙ୍କ ଉପସ୍ଥିତିରେ ୧୦ ଜଣ କ୍ଷୁଦ୍ର ଜମାକାରୀଙ୍କୁ ସେମାନଙ୍କ ଜମାଟଙ୍କା ଡ୍ରାଫ୍ଟ ମାଧ୍ୟମରେ ଫେରସ୍ତ କରାଯାଇଥିଲା। ଏହି ୧୦ ଜଣଙ୍କ ମଧ୍ୟରୁ ୬ ଜଣ ପୂର୍ବରୁ ଥରେ ନୋଟିସ ପାଇ ଟଙ୍କା ଫେରସ୍ତ ପାଇବାକୁ କମିସନଙ୍କ କାର୍ଯ୍ୟାଳୟକୁ ଆସି ନିରାଶ ହୋଇ ଫେରିଥିଲେ। ଏହି ୬ଜଣ ଜମାକାରୀଙ୍କୁ ୫ ଶହ ଟଙ୍କା ଲେଖାଏ ଜରିମାନା ବାବଦରେ ସଂସ୍ଥା ପ୍ରଦାନ କରିଛି। କମିସନଙ୍କ ନିର୍ଦ୍ଦେଶକ୍ରମେ ସଂସ୍ଥା ଜମାକାରୀଙ୍କୁ ସେମାନଙ୍କ ନିବେଶ ରାଶି ସହିତ ଏହି ଜାରିମାନା ଟଙ୍କା ପ୍ରଦାନ କରିଥିଲା। ସୂଚନା ଯୋଗ୍ୟ ଯେ ଏହି ସଂସ୍ଥା ଦ୍ୱାରା କ୍ଷତିଗ୍ରସ୍ତ ୩୦ ଜଣ କ୍ଷୁଦ୍ର ଜାମାକାରୀଙ୍କ ମଧ୍ୟରୁ ଏ ପର୍ଯ୍ୟନ୍ତ ୨୨ ଜଣ ଜମାକାରୀ ଟଙ୍କା ଫେରସ୍ତ ପାଇ ସାରିଲେଣି। ଅବଶିଷ୍ଟ ୮ ଜଣ ଜମାକାରୀଙ୍କୁ ସେପ୍ଟେମ୍ବର ୨୫ ତାରିଖ ମଧ୍ୟରେ ଜମା ଟଙ୍କା ଫେରାଇବା ପାଇଁ କମିସନ୍‌ ବିଭୁ କଲ୍ୟାଣ ଇନଫ୍ରାକୁ ନିର୍ଦ୍ଦେଶ ଦେଇଛନ୍ତି। ଅବଶିଷ୍ଟ ୮ଜଣ ଜମାକାରୀଙ୍କ ମଧରୁ ଜଣଙ୍କର ମୃତ୍ୟୁ ହୋଇ ସାରିଥିବା ବେଳେ ତାଙ୍କ ଉତ୍ତରାଧିକାରୀଙ୍କୁ ଜମାଟଙ୍କା ଫେରାଇବା ପାଇଁ କମିସନ୍‌ ସାନି ନୋଟିସ୍‌ ଜାରି କରିଛନ୍ତି।

ସମ୍ବନ୍ଧିତ ଖବର