ଜଷ୍ଟିସ ଏମ୍‌.ଏମ୍‌.ଦାସ କମିସନ୍‌: ୧୬ କ୍ଷୁଦ୍ର ଜମାକାରୀ ଫେରି ପାଇଲେ ଜମାରାଶି

କଟକ: ଜଷ୍ଟିସ ଏମ୍‌.ଏମ୍‌.ଦାସ କମିସନଙ୍କ ନିର୍ଦ୍ଦେଶ ବଳରେ ଆଜି ଦୁଇଟି ଅର୍ଥ ଲାଗାଣକାରୀ ସଂସ୍ଥାର ୧୬ ଜଣ କ୍ଷୁଦ୍ର ଜାମାକରୀ(୧୦ ହଜାର ଟଙ୍କା ବା ତା’ଠାରୁ କମ୍‌ ନିବେଶ କରିଥିବା ବ୍ୟକ୍ତି) ସେମାନଙ୍କ ଟଙ୍କା ଫେରସ୍ତ ପାଇଛନ୍ତି। ନୋଟିସ ପାଇ ୱେଲଫେୟାର ବିଲ୍ଡିଂ ଆଣ୍ଡ୍‌ ଇଷ୍ଟେଟ ପ୍ରାଇଭେଟ ଲିମିଟେଡ ଓ ପ୍ଲସ ଭିମ୍‌ଟ୍ରେଡ଼ ପ୍ରାଇଭେଟ ଲିମିଟେଡ ସଂସ୍ଥାର ଜମାକାରୀମାନେ ବକ୍ସିବଜାର ପୁଲିସ ଲାଇନସ୍ଥିତ କମିସନଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେମାନେ ଏହି ସଂସ୍ଥାରେ ନିବେଶ କରିଥିବା ଟଙ୍କା ସଂପର୍କରେ ନଥିପତ୍ର ସହିତ ନିଜ ପରିଚୟପତ୍ର ଉପସ୍ଥାପନ କରିଥିଲେ। ଏହା ପରେ େଓ୍ଵଲଫେୟାର ସଂସ୍ଥା ୧୩ ଜଣଙ୍କୁ ଜମା ଟଙ୍କା ଫେରସ୍ତ କରିଥିଲା। ଏହି ସଂସ୍ଥାକୁ କମିସନ୍‌ ୪୮ ଜଣ କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ ନୋଟିସ୍‌ ଜାରି କରିଥିବା ବେଳେ ପୂର୍ବରୁ ୮ଜଣଙ୍କ ଟଙ୍କା ଫେରସ୍ତ କରାଯାଇଥିଲା। ଅବଶିଷ୍ଟ କ୍ଷୁଦ୍ର ଜମାକାରୀଙ୍କୁ େଓ୍ଵଲଫେୟାର ସଂସ୍ଥା ଅକ୍ଟୋବର ୩୧ ସୁଦ୍ଧା ଟଙ୍କା ଫେରସ୍ତ କରିବାକୁ କମିସନ୍‌ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ପ୍ଲସ୍‌ ଭିମ୍‌ଟ୍ରେଡ୍‌ର ୪ ଜଣ କ୍ଷୁଦ୍ର ଜମାକରୀଙ୍କ ମଧ୍ୟରୁ ୩ଜଣଙ୍କ ଟଙ୍କା ଆଜି ସଂସ୍ଥା ପକ୍ଷରୁ ଫେରସ୍ତ କରାଯାଇଛି। ସେପ୍ଟେମ୍ବର ୭ ସୁଦ୍ଧା ଅନ୍ୟ ଜଣଙ୍କୁ ଟଙ୍କା ଫେରାଇବାକୁ କମିସନ୍‌ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର