ଜଷ୍ଟିସ୍‌ ଏମ୍‌.ଏମ୍‌.ଦାସ କମିସନଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧି 

କଟକ: ଚିଟ୍‌ଫଣ୍ଡ୍‌ ମାମଲାର ତଦନ୍ତ କରୁଥିବା ଜଷ୍ଟିସ୍‌ ମଦନ ମୋହନ ଦାସ କମିସନ୍‌ଙ୍କ କାର୍ଯ୍ୟକାଳ ଆଉ ୬ ମାସ ବୃଦ୍ଧି ହୋଇଛି। କମିସନଙ୍କ କାର୍ଯ୍ୟକାଳ ୨୦୧୮, ଅଗଷ୍ଟ ୫ ତାରିଖରୁ ୬ ମାସ ପାଇଁ ବୃଦ୍ଧି କରାଯିବା ସଂପର୍କରେ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୧୫, ଫେବ୍ରୁଆରି ୫ ତାରିଖରୁ ଚିଟ୍‌ ଫଣ୍ଡ୍‌ କମିସନ ଭାବେ କାର୍ଯ୍ୟ କରି ଆସୁଥିବା ଜଷ୍ଟିସ ଏମ୍‌.ଏମ୍‌.ଦାସଙ୍କ କାର୍ଯ୍ୟକାଳ ଏଭଳି ବିଭିନ୍ନ ପର୍ଯ୍ୟାୟରେ ବୃଦ୍ଧି କରାଯାଇଛି। ୨୦୧୮, ଫେବ୍ରୁଆରି ୪ ତାରିଖରେ କମିସନଙ୍କ କାର୍ଯ୍ୟକାଳ ୬ ମାସ ପାଇଁ ବୃଦ୍ଧି କରାଯାଇଥିବା ବେଳେ ତାହା ଆସନ୍ତା ଅଗଷ୍ଟ ୪ ତାରିଖରେ ଶେଷ ହେଉଥିଲା। କିନ୍ତୁ ତଦନ୍ତ ପ୍ରକ୍ରିୟା ଶେଷ ହୋଇ ପାରି ନଥିବାରୁ କାର୍ଯ୍ୟକାଳ ବୃଦ୍ଧି ପାଇଁ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ଗୃହ ବିଭାଗକୁ ଜୁଲାଇ ମାସରେ ଚିଠି ଲେଖା ଯାଇଥିଲା।

ସୂଚନା ଯୋଗ୍ୟ ଯେ ଚିଟ୍‌ଫଣ୍ଡ୍‌ ଘଟଣାର ବିଚାରବିଭାଗୀୟ ତଦନ୍ତ ପାଇଁ ୨୦୧୩, ଜୁଲାଇ ୯ ତାରିଖରେ ଜଣିକିଆ କମିସନ୍‌ ଗଠନ କରାଯାଇଥିଲା। ୨୦୧୩ରେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଆର୍‌.କେ.ପାତ୍ରଙ୍କୁ ତଦନ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଜଷ୍ଟିସ ପାତ୍ରଙ୍କ ପରଲୋକ ପରେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଏମ୍‌.ଏମ୍‌.ଦାସଙ୍କୁ ୨୦୧୫, ଫେବ୍ରୁଆରି ୫ ତାରିଖ ଦିନ ତଦନ୍ତ ଦାୟିତ୍ଵ ଅର୍ପଣ କରାଯାଇଥିଲା। ପ୍ରଥମରୁ ୫ଟି ପ୍ରସଂଗରେ ତଦନ୍ତ ପାଇଁ କମିସନଙ୍କୁ ଦାୟିତ୍ଵ ପ୍ରଦାନ କରାଯାଥିଲା। ଇତିମଧ୍ୟରେ କ୍ଷୁଦ୍ର ଜମାକରୀଙ୍କ ପ୍ରସଂଗରେ ସରକାରଙ୍କୁ ୫ରି ଅନ୍ତରୀଣ ରିପୋର୍ଟ କମିସନ୍‌ ପ୍ରଦାନ କରି ସାରିଛନ୍ତି। ଷଷ୍ଠ ପର୍ଯ୍ୟାୟ ସତ୍ୟପାଠ ଯାଞ୍ଚ ଚାଲିଥିବା ବେଳେ ଏହା ପରେ ମୂଳ ଟର୍ମ ଅଫ୍‌ ରେଫରେନ୍ସ ଅଧାରରେ ତଦନ୍ତ କରାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର