ଜଷ୍ଟିସ୍‌ ପୂଜାହାରୀଙ୍କ ମାଡ୍ରାସ ହାଇକୋର୍ଟକୁ ବଦଳି

କଟକ: ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଶତ୍ରୁଘନ ପୂଜାହାରୀଙ୍କର ମାଡ୍ରାସ ହାଇକୋର୍ଟକୁ ବଦଳି ହୋଇଛି। ସେ ମାଡ୍ରାସ ହାଇକୋର୍ଟର ବିଚାରପତି ଭାବେ ୨୦୧୭, ନଭେମ୍ବର ୨୮ ତାରିଖ ସୁଦ୍ଧା ଯୋଗ ଦେବେ ବୋଲି କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରୁ ଜଣା ପଡିଛି। ୧୯୬୦, ସେପ୍ଟେମ୍ବର ୨୪ରେ ଜନ୍ମିତ ଜଷ୍ଟିସ୍‌ ପୂଜାହାରୀ ସୋନପୁରର ସୁବଳୟ ହାଇସ୍କୁଲରୁ ୧୯୭୮ ମସିହାରେ ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ। ୧୯୮୩ରେ ବଲାଙ୍ଗୀରସ୍ଥିତ ରାଜେନ୍ଦ୍ର କଲେଜରୁ ରାଜନୀତି ବିଜ୍ଞାନ ସମ୍ମାନରେ ସ୍ନାତକ ଡିଗ୍ରି ହସଲ କରିବା ପରେ ସମ୍ବଲପୁରସ୍ଥିତ ଲାଲା ଲଜପତ ରାୟ ଲ’ କଲେଜରୁ ୧୯୮୬ରେ ଏଏଲବି ପାସ୍‌ କରିଥିଲେ। ୧୯୮୭, ମେ’ ୧୭ରେ ସେ ଆଇନଜୀବୀ ଭାବେ ଯୋଗ ଦେଇଥିଲେ।

ପ୍ରଥମେ ସେ ସମ୍ବଲପୁରରେ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସେ ହାଇକୋର୍ଟରେ ଓକିଲାତି କରିଥିଲେ। ହାଇକୋର୍ଟରେ ଦୀର୍ଘ ବର୍ଷ ଆଇନଜୀବୀ ଭାବେ କାର୍ଯ୍ୟ କରିବା ପରେ ସେ ସୁପିରିଅର ଜୁଡିସିଆଲ ସର୍ଭିସ୍‌ (ସନିୟର ବ୍ରାଞ୍ଚ) ପରୀକ୍ଷାରେ କୃତିତ୍ୱ ହାସଲ କରି ୨୦୦୩, ଫେବ୍ରୁଆରି ୭ରେ ଗଞ୍ଜାମର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍‌ ଭାବେ ନିଯୁକ୍ତି ପାଇଥିଲେ। ଏହା ପରେ ସେ କୋରାପୁଟ, ଗଞ୍ଜାମ, ପୁରୀରେ ଜିଲ୍ଲା ଜଜ୍‌ ଭାବେ କାର୍ଯ୍ୟ କରିଥିଲେ। କଟକସ୍ଥିତ ସେଲ୍ସ ଟ୍ୟାକ୍ସ ଟ୍ରିବୁନାଲର ଅଧ୍ୟକ୍ଷ ଓ ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣର ସଦସ୍ୟ ସଚିବ ଭାବେ ସେ କାର୍ଯ୍ୟ କରିଥିଲେ। ସେ ଆଇନ ବିଭାଗର ପ୍ରମୁଖ ସଚିବ ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଥିଲେ। ୨୦୧୩, ନଭେମ୍ବର ୨୯ରେ ସେ ଓଡିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର