କଟକ: ଡକ୍ଟର ଜଷ୍ଟିସ ଅକ୍ଷୟ କୁମାର ମିଶ୍ରଙ୍କୁ ଆଜି ହାଇକୋର୍ଟରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଚଳିତ ସପ୍ତାହରେ ଜଷ୍ଟିସ ମିଶ୍ର ଅବସର ଗ୍ରହଣ କରିବାକୁ ଯାଉଥିବା ବେଳେ ଆଜି ଥିଲା ହାଇକୋର୍ଟରେ ତାଙ୍କ ଶେଷ କାର୍ଯ୍ୟ ଦିବସ। ଆଜି ମଧ୍ୟାହ୍ନରେ ଆୟୋଜିତ ସ୍ଵତନ୍ତ୍ର କାର୍ଯକ୍ରମରେ ଜଷ୍ଟିସ ମିଶ୍ରଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସମେତ ସମସ୍ତ ବିଚାରପତି ଉପସ୍ଥିତ ଥିଲେ।

Advertisment

ଏଠାରେ ଉଲ୍ଲେଖଯୋଗ୍ୟ, ୧୯୫୮ ମସିହା ନଭେମ୍ବର ୯ ତାରିଖରେ ଜଷ୍ଟିସ ମିଶ୍ର ଜନ୍ମଗ୍ରହଣ କରିଥିଲେ। ସେ ୧୯୮୧ରେ ଏଲ୍‌ଏଲ୍‌ବି ଓ ୧୯୮୩ରେ ଏଲ୍‌ ଏଲ୍ଏମ୍ ପାସ୍ କରିଥିଲେ। ୧୯୮୧ରେ ଓକିଲାତି ପେସାରେ ଯୋଗ ଦେଇଥିଲେ। ସେ ମଧୁସୂଦନ ଆଇନ କଲେଜରେ ପାର୍ଟ ଟାଇମ ଅଧ୍ୟାପକ ଭାବେ ମଧ୍ୟ ୮, ଡିସେମ୍ବର ୧୯୮୬ରୁ ୧୯୮୮ ଅଗଷ୍ଟ ୨୮ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ୧୯୮୮ମସିହା ସେପ୍ଟେମ୍ବର ୧ତାରିଖରେ ବିଚାରବିଭାଗୀୟ ସେବାରେ ସେ ଯୋଗ ଦେଇଥିଲେ। ବଲାଙ୍ଗୀର ଜିଲ୍ଲା ଜଜ୍, ସେଲ୍ସ ଟାକ୍ସ ଟ୍ରିବୁନାଲ ସଦସ୍ୟ, ଓଡ଼ିଶା ଜୁଡ଼ିସିଆଲ ଏକାଡେମୀ ନିର୍ଦ୍ଦେଶକ, ସିବିଆଇ ସ୍ୱତନ୍ତ୍ର ବିଚାରପତି ଓ ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲ ଭାବେ ସେ କାର୍ଯ୍ୟ କରିଥିଲେ। ୨୦୧୮, ନଭେମ୍ବର ୧୯ରେ ସେ ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ।