ନୂଆଦିଲ୍ଲୀ/କଟକ: ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍‌ ଅରିନ୍ଦମ ସିହ୍ନାଙ୍କୁ ନିଯୁକ୍ତି ମିଳିଛି। ହାଇକୋର୍ଟର ବର୍ତ୍ତମାନର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଚକ୍ରଧାରୀ ଶରଣ ସିଂହ ଜାନୁଆରି ୧୯ରେ ଅବସର ଗ୍ରହଣ କରିବାକୁ ଯାଉଥିବା ବେଳେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍‌ ସିହ୍ନାଙ୍କ ନିଯୁକ୍ତି ନେଇ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ତରଫରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଭାରତର ରାଷ୍ଟ୍ରପତି ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ସିହ୍ନାଙ୍କୁ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି। ୨୦ ତାରିଖରୁ ଜଷ୍ଟିସ୍‌ ସିହ୍ନା କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ନିର୍ବାହ କରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

Advertisment

ଉଲ୍ଲେଖଯୋଗ୍ୟ ଯେ, ୧୯୬୫ ସେପ୍ଟେମ୍ବର ୨୨ରେ ଜଷ୍ଟିସ୍‌ ସିହ୍ନା ଜନ୍ମ ଗ୍ରହଣ କରିଥିଲେ। ୧୯୯୧ ମାର୍ଚ୍ଚ ୧୧ରେ ସେ ଆଇନଜୀବୀ ଭାବେ ଯୋଗ ଦେଇଥିଲେ। କଲିକତା ହାଇକୋର୍ଟରେ ୨୨ ବର୍ଷ ଓକିଲାତି କରିବା ପରେ ତାଙ୍କୁ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା। ୨୦୧୩ ଅକ୍ଟୋବର ୩୦ରେ ସେ କଲିକତା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ଏହାପରେ ତାଙ୍କର ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇଥିଲା। ୨୦୨୧ ଅକ୍ଟୋବର ୮ରେ ସେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ।