ଜଷ୍ଟିସ ବିମଳ ପ୍ରସାଦ ଦାସ ଓଏଚ୍‌ଆର୍‌ସି ଅଧ୍ୟକ୍ଷ ନିଯୁକ୍ତ

ଅସୀମ ଅମିତାଭ ଦାଶ ହେଲେ ସଦସ୍ୟ

ଭୁବନେଶ୍ବର : ଦୀର୍ଘ ୬ ବର୍ଷ ୭ ମାସ ପରେ ଓଡ଼ିଶା ମାନବ ଅଧିକାର ଆୟୋଗରେ ନିୟମିତ ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ଏହାସହିତ ଖାଲିପଡ଼ିଥିବା ଗୋଟିଏ ସଦସ୍ୟ ପଦବି ମଧ୍ୟ ପୂରଣ ହୋଇଛି। ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିମଳ ପ୍ରସାଦ ଦାସଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିବା ବେଳେ ବିଶିଷ୍ଟ ଆଇନଜୀବୀ ଅସୀମ ଅମିତାଭ ଦାଶଙ୍କୁ ଆୟୋଗର ସଦସ୍ୟ ଭାବେ ନିଯୁକ୍ତି ମିଳିଛି। ଏ ନେଇ ଆଇନ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି।

ଜଷ୍ଟିସ ବିମଳ ପ୍ରସାଦ ଦାସ ଅଧ୍ୟକ୍ଷ ଭାବେ ଓ ବିଶିଷ୍ଟ ଆଇନଜୀବୀ ଅସୀମ ଅମିତାଭ ଦାଶ ସଦସ୍ୟ ଭାବେ କାର୍ଯ୍ୟଭାର ଗ୍ରହଣ କରିବା ପରଠୁ ସେମାନଙ୍କ କାର୍ଯ୍ୟକାଳ ଆରମ୍ଭ ହେବ। ପୂର୍ବରୁ ଜାତୀୟ ମାନବ ଅଧିକାର ଆୟୋଗ ଓ ରାଜ୍ୟ ମାନବ ଅଧିକାର ଆୟୋଗଙ୍କ ଅଧ୍ୟକ୍ଷ ଓ ସଦସ୍ୟଙ୍କ କାର୍ଯ୍ୟକାଳ ୫ ବର୍ଷ ଥିଲା। କିନ୍ତୁ କେନ୍ଦ୍ର ସରକାର ଚଳିତ ବର୍ଷ ମାନବ ଅଧିକାର ସୁରକ୍ଷା ଆଇନରେ ସଂଶୋଧନ କରି ଅଧ୍ୟକ୍ଷ ଓ ସଦସ୍ୟମାନଙ୍କ କାର୍ଯ୍ୟକାଳ ୩ ବର୍ଷକୁ କମାଇ ଦେଇଛନ୍ତି। ଅର୍ଥାତ ଉଭୟ ୩ ବର୍ଷ ପାଇଁ ନିଜ ନିଜ ଦାୟିତ୍ବ ତୁଲାଇବେ।

ଉଲ୍ଲେଖ ଥାଉକି, ୨୦୧୨ ନଭେମ୍ବର ୨୮ ତାରିଖରେ ଓଏଚଆରସି ଅଧ୍ୟକ୍ଷ ପଦରୁ ଜଷ୍ଟିସ ରାଧାକୃଷ୍ଣ ପାତ୍ର ଅବସର ନେବା ପରେ ନିୟମିତ ଅଧ୍ୟକ୍ଷ ପଦରେ କାହାକୁ ନିଯୁକ୍ତି ମିଳିନଥିଲା। ୨୦୧୨ ନଭେମ୍ବର ମାସରୁ ୨୦୧୩ ଅଗଷ୍ଟ ୧୫ ପର୍ଯ୍ୟନ୍ତ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ମାତ୍ର ୮ ମାସ ପାଇଁ ଦାୟିତ୍ବ ତୁଲାଇଥିଲେ ଜଷ୍ଟିସ ଆର. ଏନ୍ ବହିଦାର। ପରେ ୨୦୧୩ ଅଗଷ୍ଟ ମାସରୁ ୨୦୧୮ ଅଗଷ୍ଟ ୧୫ ତାରିଖ ୫ ବର୍ଷ ଧରି ଜଷ୍ଟିସ ବୀର କିଶୋର ମିଶ୍ର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଇଥିଲେ। ଆୟୋଗରେ ସଦସ୍ୟ ପଦରେ ବର୍ତ୍ତମାନ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁବୀର ଦାଶ କାର୍ଯ୍ୟ କରୁଛନ୍ତି। ତେଣୁ ଜଣେ ଅଧ୍ୟକ୍ଷ ଓ ସଦସ୍ୟ ପଦ ଖାଲିପଡ଼ିଥିଲା। ଅଧ୍ୟକ୍ଷ ଓ ସଦସ୍ୟ ପଦରେ ନିଯୁକ୍ତି ନେଇ ଗତ ୧୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଚୟନ କମିଟି ବସିଥିଲା। ଏବେ ନୂଆ ଅଧ୍ୟକ୍ଷ ଓ ସଦସ୍ୟ ନିଯୁକ୍ତି ହେବା ପରେ ଓଏଚ୍‌ଆର୍‌ସିର ସବୁ ପଦବି ପୂରଣ ହୋଇଛି।

୧୯୫୦ ମସିହା ନଭେମ୍ବର ୧୫ ତାରିଖରେ ଜଷ୍ଟିସ ବିମଳ ପ୍ରସାଦ ଦାସ କଟକ ଜିଲ୍ଲା ସାଲେପୁର ବ୍ଲକ ଧର୍ମଗତପୁର ଗାଁରେ ଜନ୍ମ ଗ୍ରହଣ କରିଥିଲେ। କଟକ ଖ୍ରୀଷ୍ଟ କଲେଜିଏଟ ସ୍କୁଲରୁ ବିଦ୍ୟାଳୟ ଶିକ୍ଷା ଶେଷକରି ତତ୍କାଳୀନ ରେଭେନସା କଲେଜରୁ ସ୍ନାତକ ଡିଗ୍ରି ହାସଲ କରିଥିଲେ। ୧୯୭୨ ମସିହାରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକତ୍ତୋର ପାସ କରିବା ପରେ ୧୯୭୪ରେ କଟକସ୍ଥିତ ମଧୁସୂଦନ ଲ’ କଲେଜରୁ ଏଲ.ଏଲ.ବି ଡିଗ୍ରି ହାସଲ କରିଥିଲେ। ପରେ ଓଡ଼ିଶା ହାଇକୋର୍ଟରେ ଜଣେ ଆଇନଜୀବୀ ଭାବରେ ୧୯୭୪ରୁ ୧୯୭୯ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ୧୯୯୬ରୁ ୧୯୯୭ ପର୍ଯ୍ୟନ୍ତ ଜଷ୍ଟିସ ଦାସ ରାଜ୍ୟ ବାର୍‌ କାଉନସିଲର ସଦସ୍ୟ ରହିଛନ୍ତି। ସମ୍ବିଧାନ, କର ବ୍ୟବସ୍ଥା, ଦେଵାନୀ, ଫୌଜଦାରୀ, ରାଜସ୍ବ, ଶ୍ରମ ଓ ପରିବେଶ ସଂକ୍ରାନ୍ତ ମାମଲାରେ ଜଷ୍ଟିସ ଦାସ ଅନେକ ସଫଳତା ପାଇଛନ୍ତି। ୧୯୯୯ରେ ସେ ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ।

ପୁରୀ ଶ୍ରୀମନ୍ଦିର ସୁରକ୍ଷା ଓ ଭକ୍ତଙ୍କ ସୁବିଧା ଦର୍ଶନ ପାଇଁ ରାଜ୍ୟ ସରକାର ପୁରୀ ଶ୍ରୀମନ୍ଦିର ସଂସ୍କାର କମିସନ ଦାୟିତ୍ବ ୨୦୧୬ ଜାନୁଆରିରେ ଜଷ୍ଟିସ ଦାସଙ୍କୁ ପ୍ରଦାନ କରିଥିଲେ। ମାତ୍ର ବର୍ଷେ ୩ ମାସ ପରେ ସେ ତାଙ୍କର ପ୍ରଥମ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିଥିଲେ। ମୋଟ ଦୁଇଟି ଅନ୍ତରୀଣ ରିପୋର୍ଟ ସରକାରଙ୍କୁ ଜଷ୍ଟିସ ବି.ପି ଦାସ କମିସନ ପ୍ରଦାନ କରିଛନ୍ତି। ଜଷ୍ଟିସ ଦାସଙ୍କ ସୁପାରିସ ଆଧାରରେ ଏବେ ଶ୍ରୀମନ୍ଦିର ଚାରିପଟୁ ୭୫ ମିଟର ପର୍ଯ୍ୟନ୍ତ ନିର୍ମାଣ ହଟାଇବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି।

ବିଶିଷ୍ଟ ଆଇନଜୀବୀ ଅସୀମ ଅମିତାଭ ଦାଶ ହାଇକୋର୍ଟ ଓ ସୁପ୍ରିମକୋର୍ଟର ଜଣେ ଦକ୍ଷ ଆଇନଜୀବୀ ଭାବେ ପରିଚିତ। ଆଇନ ବ୍ୟବସାୟରେ ୩୦ ବର୍ଷ ଧରି ଅଭିଜ୍ଞତା ଅର୍ଜନ କରିଛନ୍ତି। ଦେଵାନୀ, ଫୌଜଦାରୀ, ଖାଉଟି ସୁରକ୍ଷା ଆଇନ ଉପରେ ଶ୍ରୀ ଦାଶଙ୍କ ଯଥେଷ୍ଟ ଦଖଲ ରହିଛି। ୨୦୧୪ରୁ ବିଜୁ ଜନତା ଦଳର ଆଇନ ସାମ୍ମୁଖ୍ୟରେ ଶ୍ରୀ ଦାଶ ସାମିଲ ହୋଇଥିଲେ। ଏବେ ସେ ବିଜେଡି ଆଇନ ସାମ୍ମୁଖ୍ୟର ଉପଦେଷ୍ଟା ରହିବା ସହ ଦଳର ମୁଖପାତ୍ର ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧିତ ଖବର