ଓଏଚ୍‌ଆରସି ଅଧ୍ୟକ୍ଷ ଦାୟିତ୍ବ ଗ୍ରହଣ କଲେ ଜଷ୍ଟିସ୍ ବିମଳ ପ୍ରସାଦ ଦାସ

ଖାଦ୍ୟ ଅପମିଶ୍ରଣ ନଜରକୁ ଆସିଲେ ନିଜ ଆଡ଼ୁ ମାମଲା, ଉପାନ୍ତ ଅଞ୍ଚଳରେ ମାନବାଧିକାର ସଚେତନତା କ୍ୟାମ୍ପ ଯୋଜନା

ଭୁବନେଶ୍ବର : ରାଜ୍ୟ ମାନବାଧିକାର ଆୟୋଗ (ଓଏଚ୍‌ଆରସି)ର ଅଧ୍ୟକ୍ଷ ଭାବେ ଜଷ୍ଟିସ୍ ବିମଳ ପ୍ରସାଦ ଦାସ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି। ଆଜି ତୋଷାଳି ପ୍ଲାଜା ପରିସରରେ ଥିବା ଆୟୋଗଙ୍କ କାର୍ଯ୍ୟାଳୟରେ ଜଷ୍ଟିସ୍ ଦାସ କାର୍ଯ୍ୟ ଆରମ୍ଭ କରିଛନ୍ତି।

ଦାୟିତ୍ବ ଗ୍ରହଣ କରିବା ପରେ ଜଷ୍ଟିସ୍ ଦାସ ଗଣମାଧ୍ୟମକୁ କହିଛନ୍ତି ଯେ, ଆୟୋଗ ନିକଟରେ ଦୀର୍ଘଦିନ ଧରି ପଡ଼ି ରହିଥିବା ମାମଲା ସହିତ ନୂଆ ମାମଲାଗୁଡ଼ିକର ତ୍ବରିତ ବିଚାର ଉପରେ ଗୁରୁତ୍ବ ଦିଆଯିବ। ସ୍ବଚ୍ଛତାକୁ ପ୍ରାଧାନ୍ୟ ଦିଆଯିବା ସହିତ ବୈଷୟିକ ଜ୍ଞାନକୌଶଳକୁ ମଧ୍ୟ ଧ୍ୟାନ ଦିଆଯିବ। ସମ୍ବିଧାନର ଧାରା ୨୧ ଅନୁସାରେ ମାନବାଧିକାରର ସଂପ୍ରସାରଣ ହୋଇଛି। ଅପପୁଷ୍ଟିଠାରୁ ଆରମ୍ଭ କରି ସ୍ବାସ୍ଥ୍ୟସେବା ପର୍ଯ୍ୟନ୍ତ ମାନବାଧିକାର ପରିସରଭୁକ୍ତ ହୋଇଛି। ଆୟୋଗର ତଦନ୍ତକାରୀ ଶାଖାର କିଛି ସମସ୍ୟା ରହିଛି ତାହାକୁ ଦୂର କରାଯିବା ଉପରେ ଗୁରୁତ୍ବ ଦିଆଯିବ। କୌଣସି ମାମଲାକୁ ଅବହେଳା କରାଯିବ ନାହିଁ।

ପୁଲିସ ବିରୋଧରେ ଆସୁଥିବା ମାନବାଧିକାର ଉଲ୍ଲଂଘନ ଅଭିଯୋଗ ସଂପର୍କରେ ଜଷ୍ଟିସ୍ ଦାସ କହିଥିଲେ ଯେ, ଉଭୟ ଉଲ୍ଲଂଘନକାରୀ ଓ ପୀଡ଼ିତର ମାନବାଧିକାର ରହିଛି। ଦୁହିଁଙ୍କ ଭିତରେ କିଭଳି ସନ୍ତୁଳନ ରହିପାରିବ ତାହାକୁ ଧ୍ୟାନ ଦିଆଯିବ। ସ୍ବଚ୍ଛତା ହିଁ ମାନବାଧିକାରର ମୂଳଦୁଆ। ତେଣୁ ସ୍ବଚ୍ଛତା ବଜାୟ ରଖିବା ସହିତ ଉତ୍ତରଦାୟିତ୍ବକୁ ମଧ୍ୟ ଗୁରୁତ୍ବ ଦିଆଯିବ ବୋଲି ସେ କହିଥିଲେ।

ଆୟୋଗର ସଦସ୍ୟ ଅସୀମ ଅମିତାଭ ଦାସ କହିଥିଲେ, ୨୦୧୨ ମସିହା ପରେ ଆୟୋଗରେ ଜଣେ ପୂର୍ଣ୍ଣ ଅଧ୍ୟକ୍ଷ କାର୍ଯ୍ୟ କରିବାକୁ ଯାଉଛନ୍ତି। ପୂର୍ବରୁ ପଡ଼ି ରହିଥିବା ମାମଲା ସହିତ ନୂତନ ମାମଲାକୁ ମଧ୍ୟ ଗୁରୁତ୍ବ ଦିଆଯିବ। ବିଶେଷକରି ପେନସନ ମାମଲାଗୁଡ଼ିକୁ ତୁରନ୍ତ ସାରିବା ପାଇଁ ଚେଷ୍ଟା କରାଯିବ। ଉପାନ୍ତ ଅଞ୍ଚଳରେ ମାନବାଧିକାରକୁ କିଭଳି କଡ଼ାକଡ଼ି ଭାବେ ଲାଗୁ କରାଯିବ ଏହା ଦିଗରେ ଆୟୋଗ କାର୍ଯ୍ୟ କରିବ। ଏପରିକି ଉପାନ୍ତ ଅଞ୍ଚଳରେ ଯଦି ମାନବାଧିକାର ଉଲ୍ଲଂଘନ ସଂପର୍କରେ ଗଣମାଧ୍ୟମରେ କୌଣସି ରିପୋର୍ଟ ପ୍ରକାଶ ପାଇବ ଆୟୋଗ ନିଜ ଆଡ଼ୁ ମାମଲା ଗ୍ରହଣ କରିବେ। ଲୋକମାନଙ୍କୁ ମାନବାଧିକାର ସଂପର୍କରେ ସଚେତନ କରିବା ଲାଗି ଉପାନ୍ତ ଅଞ୍ଚଳରେ କ୍ୟାମ୍ପ୍ କରିବା ପାଇଁ ଯୋଜନା କରାଯାଇଛି।

ସେହିପରି ଖାଦ୍ୟ ଅପମିଶ୍ରଣ ମାନବାଧିକାର ଉଲ୍ଲଂଘନର ଅଧୀନ ହୋଇଥିବା ବେଳେ ଅପମିଶ୍ରଣ ସଂପର୍କରେ ଏକାଧିକ ଘଟଣା ବାରମ୍ବାର ନଜରକୁ ଆସୁଛି। ତେଣୁ ଗଣମାଧ୍ୟମର ରିପୋର୍ଟ ଆଧାରରେ ଆୟୋଗ ନିଜ ଆଡ଼ୁ ମାମଲା କରି ଘଟଣା ତଦନ୍ତ କରିବେ। କାର୍ଯ୍ୟରେ ଅବହେଳା କରିଥିବା ବିଭାଗ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ। ଅତୀତରେ ରାଜ୍ୟ ସରକାର ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ତେଣୁ ଆୟୋଗର ପ୍ରସ୍ତାବ ଉପରେ ମଧ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ରାଜ୍ୟ ମାନବାଧିକାର ଆୟୋଗଙ୍କ ନିକଟରେ ଏବେ ୧୪ହଜାରରୁ ଅଧିକ ମାମଲା ପଡ଼ି ରହିଛି। ୨୦୧୨ ମସିହା ପରଠାରୁ ଆୟୋଗରେ ପୂର୍ଣ୍ଣ କମିସନ କାର୍ଯ୍ୟ କରି ନ ଥିଲା। ଯାହାଫଳରେ ମାନବାଧିକାର ମାମଲାଗୁଡ଼ିକର ତ୍ବରିତ ବିଚାରରେ ବିଳମ୍ବ ହୋଇଥିଲା। ଫଳରେ ଲୋକମାନେ ଠିକ୍ ସମୟରେ ନ୍ୟାୟ ପାଇବାରୁ ବଞ୍ଚିତ ହୋଇଆସୁଥିଲେ।

ସମ୍ବନ୍ଧିତ ଖବର