ଜଷ୍ଟିସ୍‌ ଡି. ପି. ଚୌଧୁରୀଙ୍କ ଅବସର

କଟକ : ହାଇକୋର୍ଟର ବିଚାରପତି ଡକ୍ଟର ଜଷ୍ଟିସ୍‌ ଦୁର୍ଗା ପ୍ରସନ୍ନ ଚୌଧୁରୀ ଆଜି ଅବସର ଗ୍ରହଣ କରିଛନ୍ତି। ଡକ୍ଟର ଜଷ୍ଟିସ୍‌ ଚୌଧୁରୀଙ୍କ ଅବସର ପରେ ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୪କୁ ହ୍ରାସ ପାଇଛି। ଗଲା ୩୦ ତାରିଖରେ ଜଷ୍ଟିସ ଏସ୍‌.ସି.ପରିଜା ଅବସର ନେଇଥିଲେ।

୧୯୫୬, ଜୁଲାଇ ୩ରେ ଜନ୍ମିତ ଡକ୍ଟର ଜଷ୍ଟିସ୍‌ ଚୌଧୁରୀ ରେଭେନ୍ସାରୁ ବିଏସ୍‌ସି ଓ ମଧୁସୂଦନ ଆଇନ କଲେଜରୁ ଏଲ୍‌ଏଲ.ବି. ଏବଂ ପରେ ଏଲ୍‌ଏଲ୍‌.ଏମ୍‌ କରିଥିଲେ। ୧୯୮୦ରେ ରାଜ୍ୟ ଆଇନଜୀବୀ ପରିଷଦରୁ ଓକିଲାତି ଲାଇସେନ୍ସ ହାସଲ କରିବା ପରେ ସେ ୧୯୮୨ ପର୍ଯନ୍ତ ହାଇକୋର୍ଟରେ ଓକିଲାତି କରିଥିଲେ। ୧୯୮୨ରେ ଓଡ଼ିଶା ବିଚାରବିଭାଗୀୟ ସେବା (ଓଜେଏସ୍‌)ରେ ସେ ଯୋଗ ଦେଇଥିଲେ। ୨୦୧୫ରେ ଖୋର୍ଦ୍ଧା ଜିଲ୍ଲା ଓ ଦୌରା ଜଜ୍‌ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ମିଳିଥିଲା। ୨୦୧୫, ଏପ୍ରିଲ ୧୭ରେ ହାଇକୋର୍ଟର ବିଚାରପତି ଭାବେ ଜଷ୍ଟିସ ଚୌଧୁରୀ ଶପଥ ଗ୍ରହଣ କରିଥିଲେ। ବିଚାରପତି ଭାବେ କାର୍ଯ୍ୟ କରିବା ବେଳେ ସେ ବହୁ ଗୁରୁତ୍ୱପୂର୍ଣ୍ଣ ମାମଲାର ରାୟ ଶୁଣାଇଥିଲେ। ସୂଚନା ଯୋଗ୍ୟ ଯେ ହାଇକୋର୍ଟରେ ମଞ୍ଜୁରୀପ୍ରାପ୍ତ ବିଚାରପତି ପଦ ୨୭ ହୋଇଥିବା ବେଳେ ଜଷ୍ଟିସ ଏସ୍‌.ସି.ପରିଜା ଓ ଡକ୍ଟର ଜଷ୍ଟିସ ଡି.ପି.ଚୌଧୁରୀଙ୍କ ଅବସର ଗ୍ରହଣ ପରେ ବର୍ତ୍ତମାନ ମୁଖ୍ୟ ବିଚାରପତିଙ୍କ ସମେତ ୧୪ ଜଣ ବିଚାରପତି ରହିଛନ୍ତି। ଅନ୍ୟପକ୍ଷରେ ହାଇକୋର୍ଟ େଓ୍ଵବସାଇଟରେ ଉପଲବ୍ଧ ତଥ୍ୟ ଅନୁସାରେ ଜୁନ୍‌ ୩୦ ସୁଦ୍ଧା ୧ ଲକ୍ଷ ୬୭ ହଜାର ୯୭୧ଟି ମାମଲା ବିଚାରାଧୀନ ରହିଛି।

ସମ୍ବନ୍ଧିତ ଖବର