ବିବାଦର ବିକଳ୍ପ ସମାଧାନ ଉପରେ ଗୁୁରୁତ୍ୱ

ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କୁ ହାଇକୋର୍ଟ ବାର୍‌ ପକ୍ଷରୁ ସମ୍ବର୍ଦ୍ଧନା

କଟକ : ଅଦାଲତରେ ମାମଲା ବଦଳରେ ବିବାଦର ବିକଳ୍ପ ସମାଧାନ ଦିଗରେ ପଦକ୍ଷେପ ନିଆଯିବା ଆବଶ୍ୟକ। ଲୋକ ଅଦାଲତ ଓ ମଧ୍ୟସ୍ଥତା ମାଧ୍ୟମରେ ମାମଲା ସମାଧାନ ପାଇଁ ପ୍ରଚେଷ୍ଟା ହେବା ଉଚିତ। ଏ ପ୍ରକାର ମତ ରଖିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର। ଓଡ଼ିଶା ହାଇକୋର୍ଟ ବାର୍‌ ଆସୋସିଏସନ୍‌ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେଇ ଜଷ୍ଟିସ୍‌ ମିଶ୍ର କହିଛନ୍ତି ଯେ ସବୁ ବାର୍‌ର ସମ୍ମତି ନେଇ ସପ୍ତାହର ଶନିବାର ଦିନ ଶୁଣାଣି କରି କ୍ରିମିନାଲ ଅପିଲ ମାମଲା ଗୁଡିକର ଫୈସଲା କରିବା ଦିଗରେ ପଦକ୍ଷେପ ନେବାକୁ ସେ ଦେଶର ସବୁ ହାଇକୋର୍ଟକୁ ଚିଠି ଲେଖିଥିଲେ। ଗଲା ଦୁଇ ମାସ ଭିତରେ ଏଭଳି ପ୍ରକ୍ରିୟାରେ ୨୧୦୦ରୁ ଅଧିକ କ୍ରିମିନାଲ ଅପିଲର ଫୈସଲା ହୋଇପାରିଛି। ଏହା ସମ୍ଭବ ହୋଇଛି କେବଳ ବାର୍‌ର ସଦସ୍ୟଙ୍କ ସହଯୋଗ ଯୋଗୁଁ। ଓଡିଶା ହାଇକୋର୍ଟରେ ବିଚାରାଧୀନ ମାମଲାର ସଂଖ୍ୟା ହ୍ରାସ ପାଇଛି। ଶନିବାର କୋର୍ଟର ନିଷ୍ପତ୍ତି ସଫଳ ହୋଇଛି। ଜଜ୍‌ମାନେ କାର୍ଯ୍ୟ କରୁଛନ୍ତିି। କିନ୍ତୁ ଏଥିପାଇଁ ବାର୍‌ର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଜଷ୍ଟିସ ମିଶ୍ର କହିଛନ୍ତି।

ସମ୍ବର୍ଦ୍ଧନା ସମାରୋହରେ ଜଷ୍ଟିସ୍‌ ମିଶ୍ର ଯୁବ ଆଇନଜୀବୀମାନଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ ଜୀବନରେ କିଛି ବି ଅସମ୍ଭବ ନୁହେଁ। ଧୈର୍ଯ୍ୟ ଓ ନିରନ୍ତର ଅଧ୍ୟବସାୟ ରହିଲେ ମଣିଷ ସବୁ କିଛି ହାସଲ କରିପାରିବ। ହାଇକୋର୍ଟ ବାର୍‌ରେ ନିଜର ପୁୁରୁଣା ଦିନର ସ୍ମତିଚାରଣ କରି ଜଷ୍ଟିସ ମିଶ୍ର କହିଥିଲେ ଯେ ଯେତେବେଳେ ସେ ବାର୍‌ରେ ଯୋଗ ଦେଇଥିଲେ ସେତେବେଳେ ତାଙ୍କୁ ବରିଷ୍ଠ ମାନଙ୍କ ପକ୍ଷରୁ ଉତ୍ସାହ ମିଳୁଥିଲା। କିନ୍ତୁ ଜଣେ ଭଲ ଆଡଭୋକେଟ୍‌ ଓ ଜଣେ ଭଲ ଲୟର ଭିତରେ ପାର୍ଥକ୍ୟ ରହିଛି। ଜଣେ ଭଲ ଆଡଭୋକେଟ୍‌ ଜଣେ ଭଲ ଲୟର ହୋଇ ନପାରନ୍ତି। ଅଭ୍ୟାସ ଆଉ ଉପସ୍ଥାପନାର ଶୈଳୀ କିନ୍ତୁ ଜଣେ ଆଇନଜୀବୀଙ୍କୁ ଭଲ ଆଡଭୋକେଟ ସହ ଭଲ ଲୟର୍‌ ଭାବେ ପ୍ରତିଷ୍ଠିତ କରାଏ। ମାମଲାକୁ ଠିକ୍‌ ଭାବେ ଉପସ୍ଥାପନ କରା ନଗଲେ ଫଳାଫଳ ଆଶାନୁରୂପ ମିଳେ ନାହିଁ । ଉଦାହରଣ ଛଳରେ ଜଷ୍ଟିସ ମିଶ୍ର କହିଥିଲେ ଯେ ବିଶ୍ୱ ଇତିହାସରେ ଏଥେନ୍‌ସର ଡେମୋସ୍ଥିନ୍ସଙ୍କୁ ଜଣେ ମହାନ ବକ୍ତା ଭାବେ ଗ୍ରହଣ କରାଯାଏ। । କିନ୍ତୁ ପ୍ରଥମରୁ ସେ ଭଲ ଭାବେ କହିବା ପାଇଁ ସକ୍ଷମ ନଥିଲେ। ସେ ପର୍ବତ ଓ ସମୁଦ୍ରକୂଳକୁ ଯାଇ ଭଲ ଭାବେ କହିବା ପାଇଁ ନିୟମିତ ଅଭ୍ୟାସ କରୁଥିଲେ। ପରବର୍ତ୍ତର୍ୀ ସମୟରେ ସେ ଜଣେ ମହାନ ବକ୍ତା ଭାବେ ପ୍ରସିଦ୍ଧି ଲାଭ କରିଥିଲେ। ଯୁବ ଆଇନଜୀବୀମାନେ ସେହିଭଳି ନିୟମିତ ଅଭ୍ୟାସ ଆଉ ଅଧ୍ୟବସାୟ କରିବା ଜରୁରି ବୋଲି ଜଷ୍ଟିସ ମିଶ୍ର କହିଥିଲେ।

ହାଇକୋର୍ଟ ବାର୍‌ ଆସୋସିଏସନ୍‌ର ସଭାପତି ବରିଷ୍ଠ ଆଇନଜୀବୀ ଅଶୋକ କୁମାର ପରିଜାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ, ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଧର୍ମପତ୍ନୀ ଶ୍ରୀମତୀ ସୁପ୍ରମା ମିଶ୍ର, ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଜଚାରପତି ଜଷ୍ଟିସ ଡି.ପି.ମହାପାତ୍ର, ଆଡଭୋକେଟ୍‌ ଜେନେରୋଲ ସୂର୍ଯ୍ୟ ପ୍ରସାଦ ମିଶ୍ର, ବରିଷ୍ଠ ଆଇନଜୀବୀ ଡକ୍ଟର ବିପିନି ବିହାରୀ ରଥ, ବିଜୟକୃଷ୍ଣ ମହାନ୍ତି, ଜଗନ୍ନାଥ ପଟ୍ଟନାୟକ, ଜି.ଏ.ଆର୍‌. ଦୋରା, ଉପସଭାପତି କାଳୀ ପ୍ରସନ୍ନ ମିଶ୍ର, ସଂପାଦକ ଉମେଶ ଚନ୍ଦ୍ର ବେଉରା ଯୋଗ ଦେଇଥିଲେ। କାଳୀ ପ୍ରସନ୍ନ ମିଶ୍ର ପ୍ରାରମ୍ଭିକ ସୂଚନା ଦେଇଥିଲେ। ହାଇକୋର୍ଟ ବାର୍‌ ଆସୋସିଏସନ୍‌ର ସଭାପତି ଶ୍ରୀ ପରିଜା ତାଙ୍କ ଅଭିଭାଷଣରେ କହିଥିଲେ ଯେ ଜଷ୍ଟିସ ଦୀପକ ମିଶ୍ର ଆମ ସମସ୍ତ ପାଇଁ ଗୌରବ ଆଣି ଦେଇଛନ୍ତି। ଯୁବ ଆଇନଜୀବୀମାନଙ୍କ ପାଇଁ ସେ ସବୁବେଳେ ପ୍ରେରଣାର ଉତ୍ସ ହୋଇ ରହିବେ। ଜଷ୍ଟିସ୍‌ ମିଶ୍ରଙ୍କ ବିଭିନ୍ନ ଯୁଗାନ୍ତକାରୀ ରାୟ ସଂପର୍କରେ ଶ୍ରୀ ପରିଜା ସମ୍ୟକ ସୂଚନା ପ୍ରଦାନ କରିଥିଲେ।

ଏହି ଅବସରରେ ହାଇକୋର୍ଟ ବାର୍‌ର ଓ୍ଵାଇଫାଇ ବ୍ୟବସ୍ଥାକୁ ପ୍ରଧାନ ବିଚାରପତି ଜଷ୍ଟିସ ମିଶ୍ର ଉଦ୍‌ଘାଟନ କରିଥିଲେ। ଜଷ୍ଟିସ ଦୀପକ ମିଶ୍ରଙ୍କ ଧର୍ମପତ୍ନୀ ଶ୍ରୀମତୀ ସୁପ୍ରମା ମିଶ୍ର ହାଇକୋର୍ଟ ବାର୍‌ ଆସୋସିଏସନର ନୂଆ ‘ଆପ୍‌’କୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ହାଇକୋର୍ଟର ବିଚାରପତି ଜଷ୍ଟସ ଇନ୍ଦ୍ରଜିତ ମହାନ୍ତି, କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ଡାଙ୍କ ସମେତ ଅନ୍ୟ ବିଚାରପତି, ବରିଷ୍ଠ ଆଇନଜୀବୀ ଅଶୋକ ମୁଖାର୍ଜୀ, ଈଶାନ ମହାନ୍ତି, ବିଜନ ରାୟ, ବି.ଏମ୍‌. ପଟ୍ଟନାୟକ, ମନୋରଂଜନ ମହାନ୍ତି, ହାଇକୋର୍ଟ ବାର୍‌ ଆସୋସିଏସନ୍‌ର ସମସ୍ତ କର୍ମକର୍ତ୍ତା ଓ ଶତାଧିକ ଆଇନଜୀବୀ ଉପସ୍ଥିତ ଥିଲେ। ହାଇକୋର୍ଟ ବାର୍‌ ଆସୋସିଏସନ୍‌ ସହିତ ରାଜ୍ୟ ଆଇନଜୀବୀ ପରିଷଦ, ଓଏଟି ବାର୍‌ ଆସୋସିଏସନ୍‌, କଟକ ବାର୍‌ ଆସୋସିଏସନ୍‌, ଭୁବନେଶ୍ୱର ବାର୍‌ ଆସୋସିଏସନ୍‌, କ୍ରିମିନାଲ କୋର୍ଟସ୍‌ ବାର୍‌ ଆସୋସିଏସନ୍‌, ଏମଭି ଲୟର୍ସ ବାର୍‌ ଆସୋସିଏସନ୍‌ ସମେତ ବିଭିନ୍ନ ବାର୍‌ ପକ୍ଷରୁ ଜଷ୍ଟିସ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବନ୍ଧିତ ଖବର