ଜଷ୍ଟିସ ଏମ୍.ଏମ୍.ଦାସ କମିସନ: ୫ ହଜାର କ୍ଷୁଦ୍ର ଜମାକାରୀ ଚିହ୍ନଟ

କଟକ: ଚିଟଫଣ୍ଡ୍ ମାମଲାର ତଦନ୍ତ କରୁଥିବା ଜଷ୍ଟିସ ମଦନ ମୋହନ ଦାସ କମିସନ୍ ଷଷ୍ଠ ପର୍ଯ୍ୟାୟରେ ଆଉ ପ୍ରାୟ ୨୦ଟି ଅର୍ଥ ଲଗାଣକାରୀ ସଂସ୍ଥାର ୫ ହଜାର କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରିଛନ୍ତି। ଏଥି ମଧ୍ୟରେ ଟାୱାର ଗ୍ରୁପର ୨ ହଜାର ୨୭୨ ଜଣ ଓ ସନମାର୍ଗ ମାଇକ୍ରୋଫାଇନାନ୍ସର ୧ ହଜାର ୧୭୧ ଜଣ କ୍ଷୁଦ୍ର ଜମାକାରୀ ରହିଛନ୍ତି। ଷଷ୍ଠ ପର୍ଯ୍ୟାୟରେ କମିସନ୍ ବିଭିନ୍ନ ସଂସ୍ଥାକୁ କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ ପକ୍ଷ ରଖିବାକୁ ନୋଟିସ୍ ଜାରି କରିଥିଲେ। କିନ୍ତୁ ତଦନ୍ତ ମାମଲାର ଶୁଣାଣି ସମୟରେ ନୋଟିସ୍ ପାଇବା ସତ୍ବେ ଏହି ସବୁ ସଂସ୍ଥାର ମୁଖ୍ୟ କିମ୍ବା ପ୍ରତିନିଧି ହାଜର ହୋଇ ନଥିଲେ। ଏପରି ପରିସ୍ଥିତିରେ କମିସନ୍ ଜମାକାରୀଙ୍କ ସତ୍ୟପାଠରେ ଥିବା ତଥ୍ୟ ଆଧାରରେ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରିଛନ୍ତି। ସରକାରଙ୍କୁ ପ୍ରଦାନ କରାଯିବାକୁ ଥିବା ପରବର୍ତ୍ତୀ ରିପୋର୍ଟରେ ଏହି ଜମାକାରୀଙ୍କ ପ୍ରସଂଗରେ ଉଲ୍ଲେଖ କରାଯିବ ବୋଲି କମିସନ୍ ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ପୂର୍ବରୁ ପାଞ୍ଚଟି ପର୍ଯ୍ୟାୟରେ କମିସନ ମୋଟ ୫ ଲକ୍ଷ ୯୩ ହଜାର ସତ୍ୟପାଠ ଯାଞ୍ଚ କରିଥିବା ବେଳେ ଷଷ୍ଠ ପର୍ଯ୍ୟାୟରେ ୨ ଲକ୍ଷ ୨୪ ହଜାର ୨୫୩ଟି ସତ୍ୟପାଠ ଯାଞ୍ଚ କରାଯାଉଛି। ୨୦୧୮, ଜୁଲାଇ ୧୩ରେ କମିସନ ସରକାରଙ୍କୁ ପଞ୍ଚମ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଥିଲେ। କମିସନ୍ ଖୁବ୍ ଶୀଘ୍ର ପରବର୍ତ୍ତୀ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବେ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର